Odisha By-Election: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ

Share this:

ଭୁବନେଶ୍ଵର: ବାଲେଶ୍ୱର ସଦର (Baleswar  Sadar)ଏବଂ ତିର୍ତ୍ତୋଲ (Tirtol) ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ କରାଯାଇଛି। ଏଥିଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଆଜି ଏହି ଦୁଇଟି ଆସନ ଲାଗି ଅନୁଷ୍ଠିତ ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରୀ ୬୧.୫ ପ୍ରତିଶତ ମତଦାନ ହୋଇଛି। ଆସନ୍ତା ୧୦ ତାରିଖ ଦିନ ଭୋଟ୍‍ଗଣତି ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ବାଲେଶ୍ୱରରେ ୬୮.୦୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୭.୧ ପ୍ରତିଶତ ମତଦାତା ଆଜି ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଦୁଇଟି ସ୍ଥାନରେ ମୋଟ ଉପରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ ହୋଇଛି। କୋଭିଡ୍‍ କଟକଣାକୁ ପାଳନ କରାଯାଇ ଭୋଟ୍‍ଗ୍ରହଣ ଯେପରି ସୁରୁଖୁରୁରେ ହୋଇପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍‍ମୁକ୍ତ ଭୋଟଗ୍ରହଣ ପାଇଁ ବୁଥ୍‍ ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ବୁଥ୍‍ ବିଶୋଧନ ଓ ପ୍ରତି ଭୋଟରଙ୍କ ଥର୍ମାଲ୍‍ ସ୍କ୍ରିନିଂ ସହ ହାତକୁ ସାନିଟାଇଜ୍‍ କରାଯିବାର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଭୋଟରଙ୍କ ଡାହାଣ ହାତଲାଗି ସଂପୃକ୍ତ ବୁଥ୍‍ର ଗ୍ଲୋଭସ୍‍ ମଧ୍ୟ ଯୋଗାଇ ଦିଆଯାଇଛି। ଥର୍ମାଲ ସ୍କ୍ରିନିଂ ସମୟରେ ଯେଉଁ ବ୍ୟକ୍ତିଙ୍କ ତାପମାତ୍ରା ନିର୍ଦ୍ଧାରିତ ତାପମାତ୍ରା ଠାରୁ ଅଧିକ ଥିଲା କିଂବା କୋଭିଡ୍‍ ଲକ୍ଷଣ ପରିଲକ୍ଷିତ ହୋଇଥିଲା ସଂପୃକ୍ତ ଭୋଟରଙ୍କୁ କ୍ରମିକ ନମ୍ବର ସହ କୁ ନ ଦିଆଯାଇ ଅଲଗା ରଖାଯାଇଥିଲା ଏବଂ ମତଦାନର ଶେଷ ପର୍ଯ୍ୟାୟରେ ସେହି ଭୋଟର ମାନଙ୍କୁ ମତଦାନ ଲାଗି ଅନୁମତି ଦିଆଯାଇଥିଲା।ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଉଭୟ ନିର୍ବାଚନ ମଣ୍ଡଳୀରେ ଥିବା ସମ୍ବେଦନଶୀଳ ବୁଥ୍‍ଗୁଡ଼ିକରେ ସିସିଟିଭି ଲଗାଯାଇଥିବାବେଳେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୩୦ହଜାର ୨୯୭ଜଣ ମତଦାତା ୬ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହି ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୧୮ହଜାର ୬୫୮ଜଣ ପୁରୁଷ ମତଦାତା ଥିବାବେଳେ ୧ଲକ୍ଷ ୧୧ହଜାର ୬୩୦ଜଣ ମହିଳା ଏବଂ ୯ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବୁଥ ସଂଖ୍ୟା ୧୯୮ରୁ ୩୪୬କୁ ବୃଦ୍ଧି କରାଯାଇଛି। ସେଥିମଧ୍ୟରୁ ୮୫ଟି ସମ୍ବେଦନଶୀଳ ଓ୧୬ଟି ମଡେଲ ବୁଥ୍‍ ରହିଛି।

ସେହିପରି ଜଗତ୍‍ସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ୨ଲକ୍ଷ ୩୯ହଜାର ୧୫୩ଜଣ ଭୋଟର ନିଜନିଜର ମତାଧିକାର ସାବ୍ୟସ୍ତ କରଛନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍‍ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି। ସେଥିମଧ୍ୟରୁ ୧୫୧ଟି ବୁଥ୍‍ ସମ୍ବେଦନଶୀଳ ଥିବାବେଳେ ଭୋଟ୍‍ଗ୍ରହଣ ପରିଚାଳନା ପାଇଁ ୪୦ଜଣ ମାଇକ୍ରୋ ଅବଜରଭର ଓ ୮୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

Also Read | Turkey Earthquake: ୪ ବର୍ଷିୟ ଝିଅ ଆଗରେ ଭୂକମ୍ପ ହାର; ୯୧ ଘଣ୍ଟା ପରେ ହାଥ ହଲେଇ ଡାକିଲା ଉଦ୍ଧାରକାରୀ ଦଳକୁ

Share this: