GST: ଓଡ଼ିଶାରୁ ଅକ୍ଟୋବର ମାସରେ ଜିଏସ୍‌ଟି ୨୪୧୯ କୋଟି ଟଙ୍କା ସଂଗୃହୀତ, ଗତବର୍ଷ ତୁଳନାରେ ୨୧ଶତାଂଶ ଆଦାୟ ଅଧିକ

Share this:

ନୂଆଦିଲ୍ଲୀ: ଚଳିତ ଅକ୍ଟୋବର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି (GST) ରାଜସ୍ୱ ସଂଗ୍ରହ ୧ ଲକ୍ଷ ୫ ହଜାର ୧୫୫ କୋଟି ଟଙ୍କା ହୋଇଛି। ସେଥିମଧ୍ୟରୁ ସିଜିଏସ୍‌ଟି (CGST) ପରିମାଣ ୧୯ ହଜାର ୧୯୩ କୋଟି ଟଙ୍କା, ଏସ୍‌ଜିଏସ୍‌ଟି (SGST)  ୨୫ ହଜାର ୪୧୧କୋଟି ଓ ଆଇଜିଏସ୍‌ଟି (IGST) ପରିମାଣ ୫୨ ହଜାର ୫୪୦କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି। ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩ ହଜାର ୩୭୫ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ ୯୩୨ କୋଟି ଟଙ୍କାର ରାଜସ୍ୱ ସମେତ ୮ ହଜାର ୧୧ କୋଟି ଟଙ୍କାର ସେସ୍‌ ବା ଉପକର ସଂଗୃହୀତ ହୋଇଛି। ଚଳିତବର୍ଷ ଅକ୍ଟୋବରର ୩୧ ସୁଦ୍ଧା ୮୦ ଲକ୍ଷ ଜିଏସ୍‌ଟିଆର-୩ ବି ରିଟର୍ଣ୍ଣ (GSTR3 B Return) ଫାଇଲ କରାଯାଇଛି। ଓଡ଼ିଶାରୁ ଏହି ମାସରେ ମୋଟ ୨ ହଜାର ୪୧୯ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି। ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍‌ଟି ସଂଗ୍ରହ ୨୧ ଶତାଂଶ ଅଧିକ। ଗତବର୍ଷ ଅକ୍ଟୋବରର ମାସରେ ଓଡିଶାରୁ ୧୯୯୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା।

କରୋନା ମହାମାରୀ (Corona Pandemic) ଯୋଗୁଁ ଜିଏସ୍‌ଟି ଆଦାୟ ଗୁରୁତରଭାବେ ପ୍ରଭାବିତ ହୋଇଥିଲା। ଏ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ତଳେ ଥିଲା। ତେବେ ସେପ୍ଟେମ୍ବରରୁ  ଏହା ଅଭିବୃଦ୍ଧି ପରଲକ୍ଷିତ ହୋଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଅକ୍ଟୋବରର ମାସରେ ଜିଏସଟି ବାବଦରେ ଯେଉଁ ଟିକସ ରାଜସ୍ୱ ଆଦାୟ ହୋଇଛି ତାହା ଗତବର୍ଷର ସେହିମାସ ତୁଳନାରେ ୧୦ ଶତାଂଶ ଅଧିକ। ଏହି ସମୟ ମଧ୍ୟରେ ଆମଦାନୀ ସାମଗ୍ରୀ ଉପରୁ ୯ ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଛି। ସେହିଭଳି ସେବା ଆମଦାନୀ ସମେତ ଘରୋଇ ମାଲପରିବହନ ଓ ଚାଲାଣ କ୍ଷେତ୍ରରେ ଆଦାୟ ହେଉଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅକ୍ଟୋବରର ତୁଳନାରେ ୧୧ ଶତାଂଶ ଅଧିକ ବଢିଛି। ଜିଏସ୍‌ଟି ରାଜସ୍ୱର ଅଭିବୃଦ୍ଧି ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ -୧୪ %, -୮% ଏବଂ ୫ ଶତାଂଶ ଥିଲା। ଏଥିରୁ ଅର୍ଥନୀତିରୁ ପୁନରୁଦ୍ଧାର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ। କ୍ରମଶଃ କାରବାର ବଢିବା ସହିତ ଜିଏସ୍‌ଟି ଆଦାୟ ମଧ୍ୟ ବଢିବାରେ ଲାଗିଛି।

ଗତବର୍ଷ ଅକ୍ଟୋବରର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା ୭୩ ହଜାର ୧୫୯ କୋଟି ଟଙ୍କା। ଚଳିତବର୍ଷ ଅକ୍ଟୋବରର ମାସରେ ଏହି ସଂଖ୍ୟା ୮୦ ହଜାର ୮୪୮ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଏ କ୍ଷେତ୍ରରେ ୧୧ ଶତାଂଶ ଅଭିବୃଦ୍ଧି ଘଟିଛି। କେତେକ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଛାଡିଦେଲେ ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟର ଅକ୍ଟୋବରର ମାସର ଜିଏସ୍‌ଟି ସଂଗ୍ରହରେ ଅଭିବୃଦ୍ଧି ଅପେକ୍ଷାକୃତ ଭଲ ରହିଛି। ଆନ୍ଧ୍ର ଓ ଛତିଶଗଡରେ ଏହି ଜିଏସ୍‌ଟି ଆଦାୟ ଅଭିବୃଦ୍ଧି ଗତ ଅକ୍ଟୋବରର ମାସରେ ୨୬ ଶତାଂଶ ହୋଇଥିବାବେଳେ ଝାଡଖଣ୍ଡରେ ୨୩ %, ରାଜସ୍ଥାନରେ ୨୨ % ଓ ଓଡିଶାରେ ୨୧ % ରହିଛି।

Also Read | Jammu and Kashmir: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ଵାରା ହିଜବୁଲର ବରିଷ୍ଠ କମାଣ୍ଡର ସାଇଫୁଲ୍ଲା ନିହତ

Share this:

Leave a Reply

Your email address will not be published. Required fields are marked *