Municipal elections in odisha 2022: ପୌର ନିର୍ବାଚନରେ ରହିବନି Covid କଟକଣା, ପୂର୍ବ ପରି ହେବ ପ୍ରଚାର

Share this:

ଭୁବନେଶ୍ଵର: Municipal elections in odisha 2022 ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପୌର ନିର୍ବାଚନ ପାଇଁ ପ୍ରଚାର ସମୟରେ କୌଣସି କରୋନା (Covid-19) କଟକଣା ରହିବ ନାହିଁ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ପ୍ରଚାର ସମୟରେ କୌଣସି କଟକଣା ଲାଗୁ କରାଯାଇନାହିଁ। ପୂର୍ବରୁ ଯେମିତି ନିର୍ବାଚନ ପାଇଁ ପ୍ରଚାର କରାଯାଉଥିଲା ସେହିଭଳି ଭାବରେ ପ୍ରାର୍ଥୀମାନେ ପ୍ରଚାର କରିପାରିବେ। ତେବେ ଯଦି ଆଗକୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼େ, ତେବେ ପୁଣି କଟକଣା ଲାଗୁ କରାଯିବ।

ସେ କହିଛନ୍ତି ପ୍ରତ୍ୟେକ ବୁଥ୍ ରେ ୨ଟି ଇଭିଏମ୍‍ (EVM) ସହ ଜଣେ ପ୍ରିଜାଇଡିଂ ଏବଂ ୪ଜଣ ପୁଲିଂ ଅପିସର ରହିବେ। ଚଳିତ ନିର୍ବାଚନରେ ପୁଲିଂ କର୍ମଚାରୀ ଚାହିଁଲେ ମତଦାନ କରିପାରିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ।  ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା (NOTA) ବିକଳ୍ପ ବ୍ୟବହାର ହେବ।  ଇଭିଏମର ସବାଶେଷରେ ନୋଟା ବଟନ୍ ରହିବ।

ସେହିପରି ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଶେଷ ଦିନ। ଏଥିପା।ଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିର କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ସୁବାସ ସିଂହ ପ୍ରାର୍ଥୀପତ୍ର ଦାଖଲକରିଥିବା ବେଳେ ବିଜେପିର ମେୟର ପ୍ରାର୍ଥୀ ଶ୍ରୀତମ ଦାସ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିସହିତ ଅନ୍ୟ ଦୁଇଜଣ ମେୟର ସ୍ୱାଧୀନ ପ୍ରାର୍ଥୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସେପରି ଭୁବନେଶ୍ୱରରୁ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଏବଂ ବିଜେପିର ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

Share this:

Leave a Reply

Your email address will not be published. Required fields are marked *