Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ, ୩ରେ ମତଦାନ

Share this:

ଭୁବନେଶ୍ଵର (mahimalive): ରାଜ୍ୟରେ ବାଲେଶ୍ୱର ସଦର (Baleswar Sadar) ଏବଂ ତିର୍ତ୍ତୋଲ (Tirtol) ଉପନିର୍ବାଚନ ଆସନ୍ତା ୩ ତାରିଖରେ ହେବାକୁ ଥିବାବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ହେଉଛି ପ୍ରଚାରର ଶେଷ ଦିନ। ବିଜେଡି, ବିଜେପି ଏବଂ କଂଗ୍ରେସର ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟ ଜୋର୍‍ଦାର୍‍ କରିଛନ୍ତି।

ଚଳିତ ଉପନିର୍ବାଚନରେ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ସିସିଟିଭି ବ୍ୟବହାର ହେବ ବୋଲି ନିର୍ବାଚନ କମିଶନରଙ୍କ ତରଫରୁ ଜଣାପଡ଼ିଛି। ଏଥିସହିତ ଭୋଟ୍‍ଗ୍ରହଣ ପୂର୍ବରୁ ପ୍ରତ୍ୟେକ ବୁଥ୍‍କୁ ସାନିଟାଇଜ୍‍ କରାଯିବା ସହ ବୁଥ୍‍ ବାହାରେ ମାସ୍କ ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଭୋଟର ହାତରେ ଗ୍ଲୋଭ୍‍ସ୍‍ ପିନ୍ଧି ନିଜ ମତାଧିକାର ସାବ୍ୟସ୍ତ କରିବେ ଓ ଭୋଟ୍‍ଗ୍ରହଣ କେନ୍ଦ୍ରମଧ୍ୟକୁ ପ୍ରବେଶପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ।

ବାଲେଶ୍ୱର ଉପନିର୍ବାଚନ ପାଇଁ ୩୪୬ଟି ଭୋଟଗ୍ରହଣ କେନ୍ଦ୍ରରେ ୧ହଜାର ୮୦୦ ଶହ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଜଡ଼ିତ କର୍ମଚାରୀମାନେ ଭୋଟଗ୍ରହଣ କେନ୍ଦ୍ରକୁ ଯିବା ଆରମ୍ଭ କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜକୁମାର ସେନାପତି କହିଛନ୍ତି ସମସ୍ତ ଭୋଟଗ୍ରହଣ କେନ୍ଦ୍ରକୁ ସାନିଟାଇଜ୍‍ କରାଯାଇଛି। ଏହି ଉପନିର୍ବାଚନରେ ୨ଲକ୍ଷ ୩୦ହଜାର ୨୯୭ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ଏହି ଉପନିର୍ବାଚନରେ ମତଦାନ ପାଇଁ ନିର୍ବାଚନ କମିସନ ୧୨ଟି ବିକଳ୍ପ ପରିଚୟ ପତ୍ରର ତାଲିକା ଜାରି କରିଛନ୍ତି। ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫଟୋଥିବା ସରକାରୀ ଚାକିରୀ କ୍ଷେତ୍ରର ପରିଚୟପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ୍‍ ଓ ପୋଷ୍ଟ ଅଫିସ୍‍ର ପାସ୍‍ବୁକ୍‍, ମନରେଗା ଜବ୍‍ କାର୍ଡ, ପ୍ୟାନ୍‍ କାର୍ଡ ଓ ଆଧାରକାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ଭୋଟରମାନେ ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (Election Commission) ଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି।

Also Read | Lockdown: ଫେରିଲା ଲକଡାଉନ, ଡିସେମ୍ବର ୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଲାଗୁ

Share this: