Banking New Rule: କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଟଙ୍କା ଜମା ଓ ଉଠାଣ ସର୍ଭିସ ଚାର୍ଜ ବୃଦ୍ଧି କରିନାହାନ୍ତି: ଅର୍ଥ ମନ୍ତ୍ରଣାଳୟ

Share this:

ନୂଆଦିଲ୍ଲୀ: କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ (Service Charge) ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ (Ministry  Of Finance) ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି।

ଜନଧନ ଆକାଉଣ୍ଟ ସମେତ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ (BSBD) କ୍ଷେତ୍ରରେ କୌଣସି ସର୍ଭିସ ଚାର୍ଜ ଲାଗୁ କରାଯିବାର ବ୍ୟବସ୍ଥା ନାହିଁ। ଏହି ୬୦.୦୪ କୋଟି ବିଏସ୍‌ବିଡି ଆକାଉଣ୍ଟ ମଧ୍ୟରେ ୪୧.୧୩ କୋଟି ଜନଧନ ଆକାଉଣ୍ଟ ଅନ୍ତର୍ଭୁକ୍ତ। ଜନଧନ ଆକାଉଣ୍ଟ ଖୋଲିଥିବା ଲୋକମାନେ ଗରିବ ଏବଂ ସେମାନେ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳର ଅଧିବାସୀ। ଅତଏବ ଏହି ବର୍ଗର କୌଣସି ଜମାଖାତାଧାରୀଙ୍କଠାରୁ ସର୍ଭିସ ଚାର୍ଜ ନେବାର ବ୍ୟବସ୍ଥା ନାହିଁ। ଏମାନଙ୍କୁ ମାଗଣା ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ର ନିର୍ଦ୍ଦେଶ ରହିଛି।

ନିୟମିତ ସେଭିଙ୍ଗସ୍‌ ଆକାଉଣ୍ଟ (Saving), କରେଣ୍ଟ ଆକାଉଣ୍ଟ(Current Account), କ୍ୟାଶ କ୍ରେଡିଟ ଆକାଉଣ୍ଟ ଓ ଓଭରଡ୍ରାଫ୍ଟ ଆକାଉଣ୍ଟ (Over Draft) ଆଦି କ୍ଷେତ୍ରରେ ସର୍ଭିସ ଚାର୍ଜ ବୃଦ୍ଧି କରାଯାଇନାହିଁ। କେବଳ ବ୍ୟାଙ୍କ ଅଫ୍‌ ବରୋଦା (Bank Of Baroda) ଚଳିତ ନଭେମ୍ବର ୧ ତାରିଖଠାରୁ ମାସିକ ମାଗଣା ଟଙ୍କା ଜମା ଓ ଉଠାଣ ଉପରେ କେତେକ ପରିବର୍ତ୍ତନ କରିଛି। ଏହି ବ୍ୟବସ୍ଥାରେ ବିନା ସର୍ଭିସ ଚାର୍ଜରେ ଟଙ୍କା ଜମା ଓ ଉଠାଣ ସଂଖ୍ୟାକୁ ୫ ଥରରୁ ୩ ଥରକୁ ହ୍ରାସ କରାଯାଇଛି। ଅର୍ଥାତ୍‌ ଜମାକାରୀ ମାସକୁ ୩ ଥର ଲେଖାଏଁ ମାଗଣାରେ ଟଙ୍କା ଜମା ଓ ଉଠାଇବାର ସୁବିଧା ପାଇବେ। ଏହି ମୁକ୍ତ କାରବାର ସୁବିଧା ବାହାରେ ବ୍ୟାଙ୍କ ସହିତ କାରବାରରେ ଅନ୍ୟ କୌଣସି ଦେୟ ବୃଦ୍ଧି କରାଯାଇନାହିଁ। ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ କୁହାଯାଇଛି ଯେ ସାଂପ୍ରତିକ କରୋନା ମହାମାରୀ ଦୃଷ୍ଟିରୁ ଏହି ପରିବର୍ତ୍ତନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନିଆଯାଇଛି।

ଏହାଛଡା ଅନ୍ୟ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିକଟ ଅତୀତରେ ସର୍ଭିସ ଚାର୍ଜ ବୃଦ୍ଧି କରିନାହାନ୍ତି। ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହଙ୍କ ସମେତ ଦେଶର ସମସ୍ତ ବ୍ୟାଙ୍କ ନିଜର ସେବା ଯୋଗାଣ ପାଇଁ ଦେୟ ଧାର୍ଯ୍ୟ କରିବାକୁ ଅଧିକୃତ। ତେବେ ଏହି ଦେୟ ବା ସର୍ଭିସ ଚାର୍ଜ ଲାଗୁ କରିବାବେଳେ ତାହା ନ୍ୟାୟୋଚିତ, ସ୍ୱଚ୍ଛ, ପାତରଅନ୍ତର ବିହୀନ ଏବଂ ଯୁକ୍ତି ସଂଗତ ହେବା ଉଚିତ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି। ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଜଣାଇଛନ୍ତି ଯେ ନିକଟ ଭବିଷ୍ୟତରେ ବ୍ୟାଙ୍କର ସର୍ଭିସ ଚାର୍ଜ ବଢାଇବାର କୌଣସି ପ୍ରସ୍ତାବ ସେମାନଙ୍କର ନାହିଁ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ସେମାନେ ଗ୍ରହଣ କରିଛନ୍ତି।

Also Read|France Airstrike: ମାଲିରେ ଅଲ କାଏଦା ଦଳ ଉପରେ ମିସାଇଲ୍ ଦ୍ଵାରା ଆକ୍ରମଣ, ୫୦ ଆତଙ୍କବାଦୀ ନିହତ

Share this:

Leave a Reply

Your email address will not be published. Required fields are marked *