Cyclone Yaas:ୟାସ ପ୍ରଭାବରେ ବାଲେଶ୍ଵରରେ ବ୍ୟାପକ କ୍ଷୟକ୍ଷତି,ଏବେ ଯାଇପାରେ ଝାଡ଼ଖଣ୍ଡ

Share this:

ବାଲେଶ୍ୱର: ସାମୁଦ୍ରିକ ବାତ୍ୟା ‘ୟାସ୍‍’ (Yaas) ବାଲେଶ୍ୱର (Baleswar) ର ୨୦ କିଲୋମିଟର ଦକ୍ଷିଣରେ ସୋର ନିକଟବର୍ତ୍ତୀ ବାହାନଗାଠାରେ ସ୍ଥଳଭାଗ ସ୍ପର୍ଶ କରିଛି। ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ୟାସ୍। ୟାସ୍‍ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୦ କିଲୋମିଟର ରହିଥିଲା।

ସେଇପରି ବାତ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟାକୁ ବାଲେଶ୍ୱର ଜିଲ୍ଲା ଅତିକ୍ରମ କରିବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ। ପରେ ଏହା ମୟୂରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ଝାଡ଼ଖଣ୍ଡ ଅଭିମୁଖେ ଯିବାର ସମ୍ଭାବନା ରହିଛି। ସେ କହିଛନ୍ତି, ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲାରେ ୟାସ୍‍ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଉଛି। ରେଲ୍‍ୱେ ଷ୍ଟେସନ୍‍ କଲୋନୀ ନିକଟରେ ରହୁଥିବା ଜଣେ ଯୁବକ ଉପରେ ଗଛ ପଡ଼ିବାରୁ ତା’ର ମୃତ୍ୟୁ ଘଟିଛି।

ସେହିପରି ବାତ୍ୟାର ପ୍ରଭାବରେ ଖଇରା ବ୍ଲକ୍‍ର ଡଗରପଡ଼ା ଓ ଶାଳପଡ଼ା ଗ୍ରାମ ଅଞ୍ଚଳରେ ପ୍ରବଳ ବର୍ଷା ଏବେ ଲାଗି ରହିଛି। ବାଲେଶ୍ୱର-ଚାନ୍ଦିପୁର ରାସ୍ତାରେ ଶତାଧିକ ଗଛ ଉପୁଡ଼ି ପଡ଼ିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବାଲେଶ୍ୱର ସହରରେ ଆଇ.ଜି. ଅଫିସ୍‍ ଓ ଷ୍ଟେସନ୍‍ ସମ୍ମୁଖରେ ବହୁ ଗଛ ଉପୁଡ଼ି ପଡ଼ିଛି। ଏନ୍‍ଡିଆର୍‍ଏଫ୍‍ ଓ ଓଡ୍ରାଫ୍‍ ଦଳରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ କାଟିବାରେ ଲାଗିଛନ୍ତି। ବାହାନଗା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଘର ଭାଙ୍ଗିଯିବା ସହିତ ଚାଳଛପର ଓ ଟାଇଲ୍‍ ଉଡ଼ିଯାଇଛି। ବିଦ୍ୟୁତ୍‍ ଖୁଣ୍ଟ ଉପୁଡ଼ି ପଡ଼ିବା ଓ ତାର ଛିଡ଼ି ପଡ଼ିବା ଯୋଗୁଁ ଗତକାଲିଠାରୁ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଦ୍ୟୁତ୍‍ ସରବରାହ ବନ୍ଦ୍‍ ରହିଛି। ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକମାନଙ୍କୁ କୋଭିଡ୍‍ କଟକଣା ମଧ୍ୟରେ ରଖାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସେହି ସ୍ଥାନମାନଙ୍କରେ ଜେନେରେଟର୍‍ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଉଛି।

ସେହିପରି ଭଦ୍ରକ ଜିଲ୍ଲାରେ ୟାସ୍‍ର ପ୍ରଭାବରେ ପବନ ଓ ବର୍ଷା ଲାଗିରହିଥିବାରୁ ସମୁଦ୍ର ତଟବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍‍ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଛି। ଏନ୍‍ଡିଆର୍‍ଏଫ୍‍, ଓଡ୍ରାଫ୍‍ ଓ ଅଗ୍ନିଶମ ବିଭାଗ ଟିମ୍‍ ପକ୍ଷରୁ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି। ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଆଶ୍ରୟ ନେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ୟାସ୍‍ର ପ୍ରଭାବରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଏକ ଘୂର୍ଣ୍ଣିଝଡ଼ ଯୋଗୁଁ ରାଜନଗର ବ୍ଲକ୍‍ର ସମୁଦ୍ର ତଟବର୍ତ୍ତୀ କେତେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ୧ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍‍ କଟକଣା ମଧ୍ୟରେ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ପୂର୍ଣ୍ଣମୀ ଥିବାରୁ ବାତ୍ୟା ପ୍ରଭାବରେ ସମୁଦ୍ର ପାଣି କେତେକ ସ୍ଥାନକୁ ମାଡ଼ିଆସିଛି। ବହୁ ଚାଷଜମିରେ ଲୁଣିପାଣି ମାଡ଼ିଯାଇଛି। ଜିଲ୍ଲାରେ ୟାସ୍‍ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି।

 ଜଗତ୍‍ସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ବାଲିକୁଦା, ଏରସମା, ତିର୍ତ୍ତୋଲ, କୁଜଙ୍ଗ ଓ ପାରାଦ୍ୱୀପ ଅଞ୍ଚଳରେ ୟାସ୍‍ର ପ୍ରଭାବରେ ପରିପରିବା ଚାଷ ନଷ୍ଟ ହୋଇଛି। ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଥିବାବେଳେ ବନ୍ଦରରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଯବାନମାନେ ରାସ୍ତା ପରିଷ୍କାର କାର୍ଯ୍ୟରେ ଲାଗିଛନ୍ତି। ପାରାଦ୍ୱୀପରେ ବର୍ଷା ଓ ପବନର ବେଗ ହ୍ରାସ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି।

Also Read | Corona:ରାଜ୍ୟରୁ ଆଜି ପୁଣି ୧୧ହଜାର ୬୨୩ ସଂକ୍ରମିତ ଚିହ୍ନଟ

[amazon_auto_links id=”9939″]

Share this: