Puri Rath Yatra: ଆଜି ହେଉଛି ପବିତ୍ର ରଥଯାତ୍ରା; ହେବ ଭକ୍ତ ଓ ଭଗବାନଙ୍କ ମିଳନ, ପ୍ରସ୍ତୁତି ଆରମ୍ଭ

Share this:

ପୁରୀ: Puri Sri Jagannath Rath Yatra ଆଜି ହେଉଛି ପବିତ୍ର ରଥଯାତ୍ରା। ଭକ୍ତ ଏବଂ ଭଗବାନଙ୍କ ଅପୂର୍ବ ମିଳନ ହେବ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଆଜି ଦର୍ଶନ ଦେବେ। ବଡ଼ଦାଣ୍ଡରେ ରଥ ଏବଂ ପଥ ପ୍ରସ୍ତୁତ ହୋଇସାରିଛି। ମହାପ୍ରଭୁ ଶ୍ରୀମନ୍ଦିରରୁ ଆସି ରଥାରୁଢ ହେବେ। ରଥଖଳାରୁ ଗତକାଲି ତିନୋଟିଯାକ ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଇ ଦିଆଯାଇଛି। ରଥଗୁଡିକୁ ସଶସ୍ତ୍ର ବାହିନୀ ଯବାନମାନଙ୍କ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଶ୍ରୀଜୀଉମାନଙ୍କ ଆଗମନ ପ୍ରତୀକ୍ଷାରେ ରଥ ଓ ପଥ ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି।

ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବା ପାଇଁ ପୁରୀକୁ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଏବେ ଭକ୍ତଙ୍କ ସୁଅଛୁଟିବାରେ ଲାଗିଛି। ସମଗ୍ର ବଡଦାଣ୍ଡ ଓ ସମୁଦ୍ରକୂଳ ଅଞ୍ଚଳ ଏବେ ଲୋକରଣ୍ୟ ହୋଇପଡିଲାଣି। ଜଳ, ସ୍ଥଳ ଓ ଆକାଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଟରକ୍ଷୀ ବାହିନୀର ସୁରକ୍ଷାକର୍ମୀମାନେ ସମୁଦ୍ର ପଥକୁ ଜଗିରହିଥିବା ବେଳେ ପ୍ରାୟ ଶହେ ପ୍ଲାଟୁନ୍‍ ସଶସ୍ତ୍ର ପୁଲିସ ଫୋର୍ସଙ୍କ ସମେତ ବୋମା ନିଷ୍କ୍ରୀୟକାରୀ ଦଳ ଓ ଗୁଇନ୍ଦା ବାହିନୀଙ୍କୁ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ବଡଦାଣ୍ଡର ବିଭିନ୍ନ ସ୍ଥାନରେ ପୁଲିସ ବିଭାଗ ପକ୍ଷରୁ ଅତ୍ୟାଧୁନିକ କ୍ୟାମେରା ସଂଯୋଗ କରାଯାଇଛି।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂକୀର୍ତ୍ତନ ଦଳଙ୍କ ଖୋଳ ଓ ପଖଉଜ ବାଦନ ସାଙ୍ଗକୁ ଆକର୍ଷଣୀୟ ନୃତ୍ୟ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ବହୁଗୁଣରେ ବଢାଇ ଦେଇଛି। ରଥଯାତ୍ରା ସମୟରେ ଯେପରି କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ସଙ୍ଗଠିତ ହୋଇ ନପାରିବ ସେଥିଲାଗି ରାଜ୍ୟର ବରିଷ୍ଠ ପୁଲିସ ଅଫିସରମାନେ ପୁରୀରେ ଅବସ୍ଥାନ କରି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି।

ସୂଚନା ଅନୁଯାୟୀ ସକାଳ ୬ଟାରେ ମଙ୍ଗଳ ଆରତି ହୋଇ ଅବକାଶ, ମଇଲମ, ତଡପଲାଗି, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ସକାଳ ସାଢେ ୯ଟା ସୁଦ୍ଧା ଶ୍ରୀଜୀଉଙ୍କୁ ସକାଳ ଧୂପରେ ଖେଚୁଡି ଭୋଗ କରାଯିବ। ଏହାପରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ହୋଇ ସାଢେ ୯ଟାରେ ପହଣ୍ଡି ବିଜେ ଆରମ୍ଭ ହେବ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଶ୍ରୀଜୀଉମାନଙ୍କୁ ରଥାରୁଢ କରାଯିବ। ଏହାପରେ ଅନ୍ୟାନ୍ୟ ନୀତି ହୋଇ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ଭିତରେ ଛେରାପହଁରା ହୋଇ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ରଥଟଣା ସମୟରେ କୌଣସି ଭକ୍ତ ରଥ ଉପରକୁ ନଡିଆ କିମ୍ବା ଅନ୍ୟ ଫଳ ଫିଙ୍ଗିବାକୁ ନିଷିଦ୍ଧ କରାଯାଇଛି।

ଏଥିସହିତ ପୁରୀକୁ ଆସୁଥିବା ରେଳଗାଡି ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ରେଳଷ୍ଟେସନରେ କ୍ଲୋଜସର୍କିଟ କ୍ୟାମେରା, ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ପ୍ରସ୍ତୁତହୋଇ ରହିଛନ୍ତି। ଜନଗହଳିକୁ ଆଖିଆଗରେ ରଖି ଏକମୁଖୀ ଯାନବାହନ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସମେତ ବଡଦାଣ୍ଡର ଦୁଇପଟେ ଥିବା ଉଚ୍ଚ ଅଟ୍ଟାଳିକାଗୁଡିକ ଉପରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସଶସ୍ତ୍ର ପୁଲିସଙ୍କୁ ନିୟୋଜିତ କରାଯାଇଛି। ରଥଟଣା କାର୍ଯ୍ୟରେ ଅଭିଜ୍ଞ ଅଫିସର, ମହାରଣା ଓ ଭୋଇମାନଙ୍କୁ ନିୟୋଜିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ପହଣ୍ଡିବିଜେ ଏବଂ ଘୋଷଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷାକରି ରହିଛନ୍ତି।

କରୋନା କଟକଣା ପାଇଁ ଦୁଇବର୍ଷ ଭକ୍ତଗଣ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ପ୍ରାଥମିକ ଆକଳନ କରାଯାଇଛି।

Share this:

Leave a Reply

Your email address will not be published. Required fields are marked *