Mann Ki Baat : ଭାରତର ‘ପେନସିଲ ଗାଁ’ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ଏମିତି କଥା

Share this:

ନୂଆଦିଲ୍ଲୀ: ଚଳିତ ପାର୍ବଣ ଋତୁରେ କିଣାକିଣି ବେଳେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ଅଗ୍ରାଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆଜି ପୂର୍ବାହ୍ନରେ ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ରାଷ୍ଟ୍ରକୁ ସମ୍ବୋଧନ କରି ଶ୍ରୀ ମୋଦୀ ସ୍ଥାନୀୟ ସାମଗ୍ରୀର ପ୍ରଚାର ଓ ପ୍ରସାର କଥା ମନେରଖିବା ପାଇଁ ସମସ୍ତଙ୍କୁ କହିଛନ୍ତି।

କରୋନାର ଏଇ ସଂକଟ ସମୟରେ ଧୈର୍ଯ୍ୟ ଓ ସଂଯମ ଅବଲମ୍ବନ ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ମାସ୍କ ପିନ୍ଧିବା ସହିତ ସାବୁନରେ ହାତ ଧୋଇବା ଦୁଇଗଜର ଶାରୀରିକ ଦୂରତ୍ୱ ବଜାୟ ସହିତ ଏହି ପାର୍ବଣ ଋତୁକୁ ଉପଭୋଗ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସମଗ୍ର ବିଶ୍ୱ ଭାରତରେ ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ଅନେକ ସ୍ଥାନୀୟ ଉତ୍ପାଦର ବିଶ୍ୱସ୍ତରରେ ପହଞ୍ଚିବାର କ୍ଷମତା ରହିଛି। ଏହି ମର୍ମରେ ସେ ଖଦୀର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଖଦୀ ସରଳ ଓ ନିରାଡ଼ମ୍ବର ଜୀବନଶୈଳୀର ଏକ ପ୍ରତୀକ ଭାବେ ଦୀର୍ଘଦିନ ଧରି ଜନମାନସରେ ରହିଆସିଥିବା ବେଳେ ଏବେ ଏହା ଏକ ପରିବେଶ ଅନୁକୂଳ ବସ୍ତ୍ର ଭାବେ ବେଶ୍‍ ପରିଚିତି ଲାଭ କରିଛି। ଖଦୀ ଶରୀର ଅନୁକୂଳ ଏବଂ ସବୁ ପ୍ରକାର ପାଗରେ ଏହାକୁ ପିନ୍ଧାଯାଇ ପାରିବ। ଏହା ଫ୍ୟାସନର ମଧ୍ୟ ଏକ ପ୍ରତୀକରେ ପରିଣତ ହୋଇଛି। ଖଦୀର ଲୋକପ୍ରିୟତା କେବଳ ଯେ ବଢ଼ୁନାହିଁ, ବିଶ୍ୱର ଅଧିକାଂଶ ସ୍ଥାନରେ ମଧ୍ୟ ଏହାର ଉତ୍ପାଦନ ଆରମ୍ଭ ହୋଇଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମେକ୍ସିକୋରେ ୱାକ୍‍ସାକା ବୋଲି ଏକ ସ୍ଥାନ ଅଛି, ଯେଉଁଠାରେସ୍ଥାନୀୟ ଗ୍ରାମବାସୀମାନେ ଖଦୀ ଲୁଗା ବୁଣିଥାନ୍ତି। ଏବେ ଏହି ଅଞ୍ଚଳର ଖଦୀ ୱାକସାକା ଖଦୀ ଭାବେ ସମଗ୍ରୀ ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିବା ଆରମ୍ଭ କରିଛି।

ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଗଭୀର ଭାବେ ଅନୁପ୍ରାଣୀତ ହୋଇ ମାର୍କ ବ୍ରାଉନ ନାମକ ଜଣେ ଯୁବକ ଜରିଆରେ ଖଦୀ କିଭଳି ୱାକସାକାରେ ପହଞ୍ଚିଲା, ପ୍ରଧାନମନ୍ତ୍ରୀ ସେହି ବିଷୟ ସ୍ମରଣ କରିଛନ୍ତି। ମାକ୍‍ ବ୍ରାଉନ୍‍ ଭାରତରେ ବାପୁଙ୍କ ଆଶ୍ରମ ପରିଦର୍ଶନ କରିବା ପରେ ହୃଦଙ୍ଗମ କରିଥିଲେ ଯେ ଖଦୀ କେବଳ ଏକ ବସ୍ତ୍ର ନୁହେଁ, ବରଂ ଜୀବନର ଏକ ସମ୍ପୂର୍ଣ୍ଣ ମାର୍ଗ। ସେ ମେକ୍ସିକୋ ଫେରିବା ପରେ ୱାକସାକା ଗ୍ରାମବାସୀଙ୍କୁ ପରିଚିତ କରାଇ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏବେ ୱାକସାକା ଖଦୀ ସାରା ବିଶ୍ୱର ଏକ ବ୍ରାଣ୍ଡରେ ପରିଣତ ହୋଇଚି। ୱାସକା ଖଦୀ ୱେବ୍‍ସାଇଟ୍‍କୁ ଯାଇ ବ୍ରାଉନଙ୍କ ସାକ୍ଷାତକାର ଶୁଣିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବଦନ କରିଛନ୍ତି।

ସେହିପରି କରୋନା ସମୟରେ ଖଦୀ ମାସ୍କ ମଧ୍ୟ ବେଶ୍‍ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅଧିକାଂଶ ସ୍ଥାନରେ ଏବେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ଖଦୀର ମାସ୍କ ପ୍ରସ୍ତୁତ କରୁଛନ୍ତି। ଏହି ପ୍ରସଙ୍ଗରେ ସେ ଉତ୍ତରପ୍ରଶେର ବାରାବାଙ୍କୀ ଅଞ୍ଚଳର ସୁମନ ଦେବୀଙ୍କ ଉଦାହରଣ ଦେଇଛନ୍ତି।

ସୁମନଦେବୀଏବଂ ସ୍ୱୟଂସହାୟକ ଗୋଷ୍ଠୀରେ କାର୍ଯ୍ୟ କରୁଥିବା ତାଙ୍କର କିଛି ସାଙ୍ଗ ଖଦିର ମାସ୍କ ପ୍ରସ୍ତୁତ କରିଥିଲେ ଏବଂ ଏବେ ସେମାନେ ହଜାର ହଜାର ଖଦୀମାସ୍କ ପ୍ରସ୍ତୁତି କାର୍ଯ୍ୟରେ ଲାଗି ଡ଼ିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମର ଆଧ୍ୟାତ୍ମିକତା, ଯୋଗ (Yoga) ଏବଂ ଆୟୁର୍ବେଦ (Ayurveda) ଭଳି ଅନେକଗୁଡ଼ିଏ ସ୍ୱଦେଶୀ କ୍ରୀଡ଼ା ସମଗ୍ର ବିଶ୍ୱର ଦୃଷ୍ଟିଆକର୍ଷଣ କରିବା ଆରମ୍ଭ କରିଛି। ଭାରତୀୟ କ୍ରୀଡ଼ା ମାଲଖମ୍ବ ଏବେ ଅନେକ ଦେଶରେ ଲୋକପ୍ରିୟ ହେବା ଆରମ୍ଭ କରିଛି। ଯେତେବେଳେ ଚିନ୍ମୟ ପଟନକର ଓ ପ୍ରଜ୍ଞା ପଟନକର ନିଜ ଦେଶ ବାହାରେ ଆମେରିକାରେ ମାଲଖମ୍ବ ଶିକ୍ଷା ଦେବାପାଇଁ ସ୍ଥିର କଲେ ସେତେବେଳେ ଏହି କ୍ରୀଡ଼ା ଏତେ ଲୋକପ୍ରିୟ ହୋଇପାରିବ ବୋଲି ସେମାନଙ୍କ ମନରେ ଆଦୌ ଧାରଣା ନଥିଲା ବୋଲି ସେ କହିଛନ୍ତି। ସମଗ୍ର ଆମେରିକାର ବିଭିନ୍ନ ଅଞ୍ଚଳରେ ଏବେ ମାଲଖମ୍ବ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପୁରାତନ ଭାରତରେ ଏଭଳି ଅନେକଗୁଡ଼ିଏ କ୍ରୀଡ଼ା ଥିଲା, ଯାହା ମନୁଷ୍ୟର ଅନ୍ତର୍ନିହିତ ବିକାଶ ତ୍ୱରାନ୍ୱିତ କରିବା ସହିତ ମାନସପଟଳ ଏବଂ ଶାରୀରିକ ସନ୍ତୁଳନର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଉଥିଲା। ମାଲଖମ୍ବ ବିଷୟରେ ଅଧିକ ଜ୍ଞାନ ଆହରଣ ପାଇଁ ସେ ଯୁବପିଢ଼ିକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ଦେଶର ବିଭିନ୍ନ ସାମରିକ କଳା ସଂପର୍କରେ ଆମ ଯୁବପିଢ଼ି ଜ୍ଞାନ ଆହରଣ କରିବା ଉଚିତ, ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନେ ଏହା ଉପରେ ଅଭିନବତା ଆଣିପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, କାଶ୍ମୀରର ପୁଲୱାମା (Pulwama) ସମଗ୍ର ଦେଶକୁ ଶିକ୍ଷା ଦେବାରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ଭାରତ ପୂର୍ବରୁ ପେନ୍‍ସିଲ୍‍ (Pencil) ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କାଠ ଅନ୍ୟ ଦେଶରୁ ଆମଦାନୀ କରୁଥିଲା କିନ୍ତୁ ବର୍ତ୍ତମାନ ପେନ୍‍ସିଲ୍‍ ପ୍ରସ୍ତୁତି କ୍ଷେତ୍ରରେ ପୁଲୱାମା ଦେଶକୁ ଆତ୍ମନିର୍ଭର କରାଇପାରିଛି। କାଶ୍ମୀର ଉପତ୍ୟକାର ଚୀନାର କାଠ ଅଧିକ ନରମ ଏବଂ ଆର୍ଦ୍ରତାଯୁକ୍ତ ଯାହା ପେନ୍‍ସିଲ୍‍ ପ୍ରସ୍ତୁତି ପାଇଁ ବିଶେଷ ଭାବେ ଉପଯୋଗୀ। ପୁଲୱାମାର ଓଉଖୁ ଏବେ ପେନ୍‍ସିଲ୍‍ ଗ୍ରାମ ଭାବେ ପରିଚିତ ହୋଇପାରିଛି। ଏଠାରେ ପ୍ରତିଷ୍ଠିତ ଅନେକଗୁଡ଼ିଏ ପେନସିଲ୍‍ ନିର୍ମାଣ କେନ୍ଦ୍ର ବହୁସଂଖ୍ୟାରେ ମହିଳାଙ୍କ ସମେତ ଶହଶହ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି।

ଶ୍ରୀ ମୋଦୀ ପୁଲୱାମାର ମଂଜୁର ଅହମ୍ମଦ ଆଲାଇଙ୍କ ଉଦାହରଣ ଦେଇଛନ୍ତି, ଯିଏ ତାଙ୍କର ପୈତୃକ ସମ୍ପତ୍ତି ବିକ୍ରି କରି ସେଓ ପେଟି ତିଆରି କରୁଥିଲେ। ପୂର୍ବରୁ ମଂଜୁର ଏକ କ୍ଷୁଦ୍ର ବ୍ୟବସାୟ କରୁଥିଲେ। ପରେ ସେ ପୋପ୍‍ଲାର କାଠ ଏବଂ ପେନ୍‍ସିଲ୍‍ ନିର୍ମାଣ ପାଇଁ ବ୍ୟବହାର କରାଯାଉଥିବା ଚୀନାର କାଠ ବିଷୟରେ ଜାଣିବାକୁ ପାଇଲେ। ମଂଜୁର ତାଙ୍କର ଉଦ୍ୟମତାର ଗୁଣବତ୍ତା ବଳରେ କେତେକ ପେନସିଲ୍‍ ନିର୍ମାଣ ସଂସ୍ଥାକୁ ପୋପଲାର କାଠର ପେଟି ଯୋଗାଇବା ଆରମ୍ଭ କରିଦେଲେ। ଏବେ ସେ କୋଟିକୋଟି ଟଙ୍କାର କାରବାର କରୁଥିବା ବେଳେ ନିଜର ଜୀବିକା ନିର୍ବାହ ସହ ୨ଶହ ଲୋକଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ଦେଶର ଯୁବମାନସକୁ ଜ୍ଞାନ ପ୍ରଦାନ ଦିଗରେ ଅତୁଳନୀୟ ଅବଦାନ ନିମନ୍ତେ ଶ୍ରୀ ମୋଦୀ ତାଙ୍କ ସହ ଏଭଳି ଅନେକ ଉଦ୍ୟମୀ ବ୍ୟକ୍ତିଙ୍କର ପ୍ରଶଂସା କରିଛନ୍ତି।

Also Read | Loan Moratorium : ଯଦି ସମସ୍ତ EMI କ୍ରମାଗତ ଭାବରେ ଲକଡାଉନରେ ଜମା କରିଛନ୍ତି, ବର୍ତ୍ତମାନ କ୍ୟାସବ୍ୟାକ୍ ମିଳିବ

Share this: