Breaking Newsଟେକ୍ନୋଲୋଜି

ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦୀ

Share this:

◈ ମହାକାଶ କ୍ଷେତ୍ରରେ ସଂସ୍କାର କେବଳ ବ୍ୟବସାୟରେ ସୁଗମତା ଆଣିବା ପାଇଁ ନୁହେଁ, ବରଂ ପ୍ରତ୍ୟେକ କ୍ଷେତ୍ରର ବିକାଶ ଲାଗି ଉଦ୍ଦିଷ୍ଟ
◈ ମହାକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ପାଇଁ ଦେଶ ସକ୍ଷମ
◈ ମହାକାଶ କାର୍ଯ୍ୟକ୍ରମ ଯେପରି ଗରିବଙ୍କ ଆଶା ଆକାଂକ୍ଷା ପୂରଣ କରିବ ସେଦିଗରେ ଆମର ଉଦ୍ୟମ ଅବ୍ୟାହତ ରହିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ପ୍ରମୁଖ ଶିଳ୍ପ, ଷ୍ଟାର୍ଟଅପ୍ସ ଓ ମହାକାଶ କ୍ଷେତ୍ରର ଶିକ୍ଷାବିତ ଓ ବୁଦ୍ଧିଜୀବି ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ମତ ବିନିମୟ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଜୁନ ମାସରେ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ମହାକାଶ କାର୍ଯ୍ୟକଳାପ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ସେଥିରେ ନିଷ୍ପତ୍ତି ନିଆଯାଇଥିଲା। ଭାରତୀୟ ଜାତୀୟ ମହାକାଶ କାର୍ଯ୍ୟକଳାପ ବୃଦ୍ଧି ଓ ଏହାର ତତ୍ଵାବଧାନ କେନ୍ଦ୍ରର ସ୍ଥାପନା ସହ ଏହି ସଂସ୍ଥାର ଏକ୍ଷେତ୍ରରେ ଘରୋଇ ଓ ଷ୍ଟାର୍ଟଅପ୍ସ କମ୍ପାନୀମାନଙ୍କ ଭାଗିଦାରୀତା ପାଇଁ ପଥ ସୁଗମ କଲା। ଏହି ପରିପ୍ରେକ୍ଷୀରେ  ଆଇଏନ-ଏସପିଏସିଇ ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବଗୁଡିକ ମଧ୍ୟରେ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ, ଇନ୍ଧନ ଉପଯୋଗ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ 

ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିବାରୁ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନର ରାସ୍ତା ଉନ୍ମୋଚିତ ହେବା ଫଳରେ ଏହା ଘରୋଇ ଭାଗିଦାରୀତାର ଏକ ନୂତନ ଦିଗନ୍ତକୁ ଉନ୍ମୋଚନ କରିଛି। ନୀତିଗତ ସ୍ଵଚ୍ଛତା ଓ ପେଷାଦାର ମନୋବୃତ୍ତି ସହ ସରକାରଙ୍କ ନିଷ୍ପତ୍ତି କମ୍ପାନୀଗୁଡ଼ିକୁ ମହାକାଶ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ।

କମ୍ପାନୀମାନଙ୍କ ଦ୍ଵାରା ରକେଟ ଓ ଉପଗ୍ରହ ନିର୍ମାଣ ଯୋଜନା ଭାରତର ମହାକାଶ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ଯୋଗୁଁ କର୍ମନିଯୁକ୍ତି ସୃଷ୍ଟି ସହ ଆଇଆଇଟି, ଏନଆଇଟି ଓ ଅନ୍ୟାନ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ପାଇଁ ଶିକ୍ଷା ଓ ଗବେଷଣାର ଅନେକ  ସମ୍ଭାବନା ସୃଷ୍ଟି କରିବ।

ବ୍ୟବସାୟରେ ସୁଗମତା ଠାରୁ ଆଗକୁ ବଢ଼ିବା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ କେବଳ ବ୍ୟବସାୟରେ ସୁଗମତା ଆସିବ ନାହିଁ ବରଂ ଏହା ପ୍ରତ୍ୟେକ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବ। ଏଥିରେ ଉତକ୍ଷେପଣସ୍ଥଳୀ ନିର୍ମାଣ ଏବଂ ମହାକାଶ ଯାନ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ। ଏହି ସଂସ୍କାରଗୁଡିକ ଯୋଗୁଁ ଭାରତ କେବଳ ବିଶ୍ଵ ଉପଗ୍ରହ ପ୍ରତିଯୋଗିତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ତା’ନୁହେଁ, ବରଂ ଏହି କାର୍ଯ୍ୟକ୍ରମର ସୁବିଧା ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ମାନଙ୍କୁ ସାହସିକତାର ସହିତ କାର୍ଯ୍ୟ କରି ସମାଜ ଓ ଦେଶର ହିତସାଧନ କରିବାକୁ ନିବେଦନ କରିଛନ୍ତି।

ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଭୂମିକା

ମହାକାଶ ବିଭାଗ ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡଃ କେ.ଶିବନ ଶିଳ୍ପ ପ୍ରତିଷ୍ଠାନଗୁଡିକ ପକ୍ଷରୁ କରାଯାଇଥିବା ବିଭିନ୍ନ ସମର୍ଥନ ଓ ଆଇଏନ-ଏସପିଏସିଇର ଅନୁମତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଏପର୍ଯ୍ୟନ୍ତ ୨୫ରୁ ଅଧିକ ଶିଳ୍ପ ପ୍ରତିଷ୍ଠାନ ମହାକାଶ କାର୍ଯ୍ୟକଳାପ ପାଇଁ ଇଚ୍ଛା ପ୍ରକଟ କରିଥିବା ସେ ସୂଚନା ଦେଇଥିଲେ।

ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ ବୋଲି ନିଜ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ। ଇସ୍ରୋ ଦ୍ଵାରା ସେମାନଙ୍କ ପ୍ରକଳ୍ପ ପାଇଁ ଦିଆଯାଉଥିବା ସାହାଯ୍ୟ ଓ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ। ଘରୋଇ ସଂସ୍ଥାଗୁଡ଼ିକ ସହ ଇସ୍ରୋର ଏଭଳି ସହଯୋଗ ଯୋଗୁଁ ଦେଶରେ ଅଧିକରୁ ଅଧିକ ରକେଟ ଉତକ୍ଷେପଣ ସହ ରକେଟ ଇଞ୍ଜିନ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏକ୍ଷେତ୍ରରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ରୋର ସାହାଯ୍ୟ କରିବାକୁ ସେମାନେ ପ୍ରସ୍ତାବ ମଧ୍ୟ ଦେଇଥିଲେ।

Also Read| Lakshmi Vilas Bank: ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସହ ଡିବିଏସ ବ୍ୟାଙ୍କର ହେବ ମିଶ୍ରଣ

[amazon_auto_links id=”9932″]

Share this: