Cuttack: ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

Share this:

ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲ (Income Tax appellate Tribunal-ITAT) ର କଟକ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ (PM Modi)। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜି ଟିକସ ଆତଙ୍କବାଦରୁ ଟିକସ ସ୍ୱଚ୍ଛତାରେ ପହଞ୍ଚିଛି। ସରକାରଙ୍କର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ଆଭିମୁଖ୍ୟ କାରଣରୁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ପ୍ରଯୁକ୍ତି (Technology) ସହାୟତାରେ ନିୟମ ଏବଂ ପ୍ରକ୍ରିୟାରେ ସଂସ୍କାର ଅଣାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଆମେ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ପ୍ରଦର୍ଶନ କରୁଛୁ ଏବଂ ସମାନ ସମୟରେ ଟିକସ ପ୍ରଶାସନର ଅବଧାରଣାକୁ ବଦଳାଉଛୁ” ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମ୍ପତ୍ତି ନିର୍ମାତାମାନଙ୍କର ସମସ୍ୟା ଯେତେବେଳେ ହ୍ରାସ ପାଇଥାଏ, ସେମାନେ ସୁରକ୍ଷା ପାଇଥାନ୍ତି, ତା’ପରେ ଯାଇ ଦେଶର ବ୍ୟବସ୍ଥା ପ୍ରତି ସେମାନଙ୍କର ଆସ୍ଥା ବୃଦ୍ଧି ପାଇଥାଏ। ସେ ଆହୁରି କହିଥିଲେ ଯେ ବୃଦ୍ଧି ପାଉଥିବା ଏହି ବିଶ୍ୱାସ କାରଣରୁ ଅଧିକରୁ ଅଧିକ ସହଯୋଗୀ ଟିକସ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ଆଗେଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟିକସ ହ୍ରାସ ଏବଂ ପ୍ରକ୍ରିୟାକୁ ସରଳ କରାଯିବା ସହିତ ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ରକ୍ଷା କରିବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ଲାଗି ବଡ଼ ସଂସ୍କାର ଅଣାଯାଇଛି।

ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସକୁ ନେବା ସରକାରଙ୍କ ଚିନ୍ତାପ୍ରକ୍ରିୟାର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯାହାର ଫଳସ୍ୱରୂପ ଆଜି ଦେଶରେ ଦାଖଲ କରାଯାଉଥିବା ୯୯.୭୫ ପ୍ରତିଶତ ଆୟକର ରିଟର୍ଣ୍ଣ ବିନା ଆପତ୍ତିରେ ଗ୍ରହଣ କରାଯାଉଛି। ସେ କହିଥିଲେ ଦେଶର ଟିକସ ବ୍ୟବସ୍ଥାରେ ଏହା ଏକ ବଡ଼ ପରିବର୍ତ୍ତନ।

ଆୟକର କ୍ଷେତ୍ରରେ ସରକାର ଗ୍ରହଣ କରିଥିବା କେତେକ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଥିବା ସରକାରଗୁଡିକ ସମୟରେ କରଦାତାମାନେ କର ଆତଙ୍କ ଅଭିଯୋଗ କରୁଥିବା ବେଳେ ଆଜି ଦେଶ ଏ କ୍ଷେତ୍ରରେ ଅମୂଳଚୂଳ ପରିବର୍ତ୍ତନ କରିବା ସହିତ କର ସ୍ୱଚ୍ଛତା ଆଣିବାରେ ସମର୍ଥ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଆୟକର କ୍ଷେତ୍ରରେ ସଂସ୍କାର, ସୁବ୍ୟବସ୍ଥା ଏବଂ ପରିବର୍ତ୍ତନ ମାଧ୍ୟମରେ ଅଗ୍ରସର ହେଉଛନ୍ତି। ୫ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ କୌଣସି କର ନ ଥିବା ବିଷୟ ଉତ୍‍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଏହାଦ୍ୱାରା ଦେଶର ନିମ୍ନ ମଧ୍ୟବିତ୍ତ ବର୍ଗର ଯୁବପିଢି ଉପକୃତ ହୋଇଛନ୍ତି।

ଅତୀତର ସମୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରଦାତା ଓ କର ଆଦାୟକାରୀଙ୍କ ସମ୍ପର୍କକୁ ଶୋଷିତ ଏବଂ ଶୋଷକ ବୋଲି ଅଭିହିତ କରି କହିଛନ୍ତି, ପୂର୍ବ ସରକାରଗୁଡିକ ସ୍ୱାଧୀନତା ପରେ ଦେଶର କର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିନାହାନ୍ତି। ସେ କହିଛନ୍ତି, ଯେପରି ବର୍ଷା ହେଲେ ତାହା ସମସ୍ତଙ୍କୁ ଲାଭ ଦେଇଥାଏ, ଶାସନ ବ୍ୟବସ୍ଥା ମଧ୍ୟ ସମସ୍ତଙ୍କ ପାଇଁ ଲାଭଦାୟକ ହେବା ଜରୁରୀ। ସେ କହିଛନ୍ତି, ଯେପରି ସାଧାରଣ ଲୋକଠାରୁ କର ଆଦାୟ ବେଳେ କୌଣସି ଅସୁବିଧା ନ ଥାଏ, ସେହିଭଳି ସେହି ଅର୍ଥକୁ ସାଧାରଣ ଜନତାଙ୍କ ପାଇଁ ଖର୍ଚ୍ଚ କଲାବେଳେ ତାହା ସେମାନେ ଅନୁଭବ କରିବା ଜରୁରୀ ଅଟେ। ନିକଟରେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟକର ଜନିତ ବିବାଦ ସମାଧାନ ନିମନ୍ତେ ଶାରୀରିକ ଉପସ୍ଥିତିକୁ ଦୂର କରାଯାଇ ‘ଫେସଲେସ୍‍ ଅପିଲ୍‍’ ବ୍ୟବସ୍ଥା କରାଯାଇଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ସେହି ପ୍ରସଙ୍ଗ ପୁଣି ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆୟକର କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକଟି ସଂସ୍କାର ନୂତନ ଜ୍ଞାନକୌଶଳ ସହାୟତାରେ ଏବଂ ନୀତି ନିର୍ଦ୍ଧାରିତ ଉପାୟରେ ଗ୍ରହଣ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱର ସଫଳ ଦେଶ ମଧ୍ୟରେ ଭାରତ କରଦାତାଙ୍କ ଅଧିକାର ଏବଂ କର୍ତ୍ତବ୍ୟକୁ ଆଇନଗତ ମାନ୍ୟତା ଦେଇଛି। ସେ କହିଛନ୍ତି, ଏହି ପରିବର୍ତ୍ତନ ଦ୍ୱାରା ଆଜି ଦେଶରେ ୯୯ପ୍ରତିଶତରୁ ଅଧିକ ଆୟକର ରିଟର୍ଣ୍ଣ ବିନା କୌଣସି ଆପତ୍ତିରେ ଗ୍ରହଣ କରାଯାଇପାରୁଛି।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଯୋଗଦେଇ ପୂର୍ବାଞ୍ଚଳ ପ୍ରଥମ ଆୟକର ଆପିଲେଟ୍‍ ଟ୍ରିବ୍ୟୁନାଲଭାବେ କଟକ ବେଞ୍ଚର ନୂତନ ଅତ୍ୟାଧୁନିକ କାର୍ଯ୍ୟାଳୟ ଆଗାମୀ ଦିନରେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବ ବୋଲି କହିଛନ୍ତି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଆଇ.ଟି.ଏ.ଟିର ସଭାପତି ପି.ପି. ଭଟ୍ଟ ଉପସ୍ଥିତ ଥିଲେ।

Also Read | Pass: ଆସନ୍ତା ବର୍ଷ ଦଶମ-ଦ୍ୱାଦଶ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍ କରିବେ!

Share this: