Padmapur Byelection : ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

Share this:

ପଦ୍ମପୁର: Padmapur Byelection ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବା ବେଳେ ବର୍ତ୍ତମାନ ପ୍ରଚାର ଜୋରସୋରରେ ଚାଲିଛି। ବିଜେପି ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଣ୍ଡୋସିଲଠାରେ ଏକ ଜନସଭାରେ ପ୍ରଚାର କରିବା ସହ ମିଠାପାଲି, ପାଇକମାଳ, ବଇଦପାଲି, ହିରାପୁର, ଭେଙ୍ଗରାଜପୁର ଆଦି ସ୍ଥାନରେ ରୋଡ୍‍ ଶୋ ଏବଂ ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇଛନ୍ତି।

ସେ ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇକମାଲ ଠାରେ ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରୁଛନ୍ତି। ସେ କହିଛନ୍ତି ପଦ୍ମପୁରରେ ଏଥର ନିଶ୍ଚୟ ପଦ୍ମଫୁଲ ଫୁଟିବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କା ଧାର୍ଯ୍ୟ କରିଥିଲେ।  ଚଳିତ ବର୍ଷ ଏହି ମୂଲ୍ୟ ୨୦୪୦ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର ଏଠାରେ ରାଜ୍ୟ ସରକାର ଓ ମିଲରଙ୍କ ମଧୂଚନ୍ଦ୍ରିକା କାରଣରୁ ଧାନ କ୍ୱିଣ୍ଟାଲ ପିଛା ୧୨୦୦ରୁ ୧୩୦୦ଟଙ୍କାରେ ବିକ୍ରି ହେଉଛି।

ସେ କହିଛନ୍ତି ଯେ, ସୋହେଲାରେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କେନ୍ଦ୍ର ଅନୁଦାନ ବ୍ୟତିତ ଚାଷୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ବୋନସ ଦେବେ କିନ୍ତୁ ରାଜ୍ୟର ଜଣେ ବି ଚାଷୀଙ୍କୁ ବୋନସ ମିଳିପାରିନାହିଁ। ମୋଦି ସରକାର ଧାନ କିଣା ପାଇଁ ପଇସା ଦେବା ସତ୍ତ୍ୱେ ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗଙ୍ଗାଧର ମେହେର କେନାଲ ପ୍ରକଳ୍ପରେ ଏ ଯାଏଁ ମୁନ୍ଦେ ପାଣି ଜମିକୁ ମାଡିନାହିଁ।

Related Post | Padmapur Byelection: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି, ବିଜେଡ଼ି ଏବଂ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

ସେ କହିଛନ୍ତି “ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ଏହି ପବିତ୍ର ଭୂମିକୁ ଆସିବା ମୋ ପାଇଁ ସୌଭାଗ୍ୟ। ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କର୍ମଭୂମି ଥିଲା ପଦ୍ମପୁର। ଆଜି ସେହି ବୀର ଓ ସ୍ୱାଭିମାନୀ ମାଟିକୁ ମୋର ପ୍ରଣାମ ଜଣାଉଛି।“

·

ଧର୍ମେନ୍ଦ୍ର ପ୍ରଧାନ ପୁଣି କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆବାସ ଯୋଜନାରେ ଘର ପାଇଁ ଟଙ୍କା ଦେଉଥିଲେ ମଧ୍ୟ ଘର ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ନଗଣ୍ୟ କରାଯାଇଛି। ମୋଦି ସରକାର ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ଟଙ୍କା, ପ୍ରତି ଘରକୁ ପାଇପରେ ପାଣି, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସର ବ୍ୟବସ୍ଥା କରିଛନ୍ତି।

ପଦ୍ମପୁରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ମନ୍ତବ୍ୟ ଏବଂ ନୂଆପଡ଼ା-ବରଗଡ଼ ରେଳଲାଇନରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଅଭିଭାଷଣ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି। ମୋଦି ସରକାରଙ୍କ ଅନେକ ସହଯୋଗ ସତ୍ତ୍ୱେ ମଧ୍ୟ କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ ରାଜ୍ୟ ସରକାର ବୁଝୁନାହାନ୍ତି।

ସୁନାର ଅଞ୍ଚଳ  ବରଗଡ ଓ ମାଣ୍ଡୋସିଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନ, ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ନହେବା ଦୁର୍ଭାଗ୍ୟଜନକ। ଲମ୍ବା ସମୟର ଶାସନରେ ରହିବା ପରେ ମଧ୍ୟ ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।

ବର୍ତ୍ତମାନ ସ୍ଥିତି ଏପରି ହୋଇଛି, ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ନିର୍ବାଚନମଣ୍ଡଳୀର ଦାୟିତ୍ୱ କଥା ପଚାରିଲେ ତଥ୍ୟ ସଂଗ୍ରହ କରାଯାଉଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଖୋଦ୍ ଗୃହମନ୍ତ୍ରୀ ଅଛନ୍ତି। ବିଧାନସଭାରେ ପଚରାଯାଇଥିବା ନାରୀ ନିର୍ଯ୍ୟାତନା ପ୍ରଶ୍ନରେ ରାଜ୍ୟରେ ଧର୍ଷଣ ମାମଲା ୨୦୧୯ରେ ୨୯୫୦ ଏବଂ ୨୦୨୧ରେ ୩୩୨୭ ଥିବା ତାଙ୍କ ନିଜ ଦଳର ମନ୍ତ୍ରୀ ଉତ୍ତର ରଖିଛନ୍ତି। ଏ କ’ଣ ନାରୀ ସଶକ୍ତିକରଣର ଉଦାହରଣ ? ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ବିଧାନସଭାରେ ଶାସକ ଦଳର ବରିଷ୍ଠ ନେତା ଅର୍ଥମନ୍ତ୍ରୀଙ୍କୁ ଗତ ୫ ବର୍ଷରେ କେନ୍ଦ୍ରୀୟ ସହାୟତା ବିନିଯୋଗ ଉପରେ ପଚାରିଥିବା ପ୍ରଶ୍ନ ରାଜ୍ୟ ସରକାରଙ୍କ ଗୁମର ଫିଟାଇଛି। ମରୁଡି ପ୍ରପିଡୀତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କେନ୍ଦ୍ର ୨୦୧୭-୧୮ ରେ ୩୬୦କୋଟି ଦେଇଛି ଓ ରାଜ୍ୟ ଖର୍ଚ୍ଚ କରିଛି ୧୭୪କୋଟି। କେନ୍ଦ୍ର ଦେଉଥିବା ପଇସା ରାଜ୍ୟ ସରକାର ଖର୍ଚ୍ଚ ନକରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି, ବୋଲି ଆଜି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେହିପରି ବିଧାନସଭାରେ ଅର୍ଥମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାପଡିଛି ୨୦୨୧-୨୨ ବର୍ଷ ସୁଦ୍ଧା ରାଜ୍ୟରେ ମୋଟ ଋଣ ଭାର ୯୭ ହଜାର ୨୦୫ କୋଟି ୩ ଲକ୍ଷ ଟଙ୍କା ଅଛି। ମୁଣ୍ଡ ପିଛା ଋଣ ଭାରର ପରିମାଣ ହେଉଛି ୨୨ହଜାର ୪୨ ଟଙ୍କା। ରାଜ୍ୟ ସରକାର ମିଛ ପ୍ରହେଳିକା ରଚନା କରିବାର କୌଣସି ସୁଯୋଗ ନାହିଁ। ସରକାର ନିଜେ ଏ ସବୁ ତଥ୍ୟ ବିଧାନସଭା ଗୃହରେ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଆଜି ନିର୍ବାଚନୀ ସଭାରେ (Padmapur Byelection) କହିଛନ୍ତି।

You Might Also Like It

Share this:

Leave a Reply

Your email address will not be published. Required fields are marked *