Odisha Bypoll: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ

Share this:

ଭୁବନେଶ୍ଵର: ବହୁଚର୍ଚ୍ଚିତ ରାଜ୍ୟରେ ଅନୁଷ୍ଠିତ ବାଲେଶ୍ୱର ସଦର  (Balasore Sadar) ଓ ତିର୍ତ୍ତୋଲ (Tirtol) ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ (BJD) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂ କୁମାର ଦାସ ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି।

ବାଲେଶ୍ୱରରୁ ବିଜେଡ଼ି ପ୍ରାର୍ଥୀ ସ୍ୱରୂ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି (BJP) ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩ହଜାର ୫୧୬ ଖଣ୍ଡ ଭୋଟ୍‍ ବ୍ୟବଧାନରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଦାସ ୮୪ହଜାର ୨୬୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୭୦ହଜାର ୭୪୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ରେକର୍ଡ୍‍ ସଂଖ୍ୟକ ୪୦ହଜାର ୬୯୭ ଭୋଟ୍‍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୮୬ହଜାର ୭୯୭ଟି ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୪୬ହଜାର ୧୦୦ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୨୮ହଜାର ୩୫୭ ଖଣ୍ଡ ଭୋଟ ପାଇଛନ୍ତି।

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟ୍ୱିଟ୍‍ କରି ବିଜୟୀ ଦୁଇ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଟ୍ଵିଟ କରି କହିଛନ୍ତି ଯେ, ବାଲେଶ୍ୱର ସଦର ଏବଂ  ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରିବା ସହ ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛି। ଆଗାମୀ ଦିନରେ ଆମେ ରାଜ୍ୟର ପ୍ରତ୍ୟେକ ବୁଥରେ ସଂଗଠନକୁ ସୁଦୃଢ କରିବା ସହ ଜନ କଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ବିଶ୍ୱାସ ହାସଲ କରିବା ପାଇଁ ଚେଷ୍ଟା କରିବୁ।

Also Read| Arnab Goswami: ବମ୍ବେ ହାଇକୋର୍ଟଙ୍କ ଜାମିନ ଆବେଦନ ଖାରଜ ନିର୍ଦ୍ଦେଶକୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

Share this: