Odisha Covid-19: ଓଡ଼ିଶାରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

ଭୁବନେଶ୍ଵର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ (Second Wave) କରୋନା ଏପରି ଆଶଙ୍କା ପ୍ରକାଶ କରିଛନ୍ତି ରାଜ୍ୟସରକାର। ରାଜ୍ୟରେ ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ଡିସେମ୍ବର ୧୫ରୁ ଜାନୁଆରି ୧୫ ମଧ୍ୟରେ ଏହି ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଜି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ୟୁରୋପରେ ଦ୍ୱିତୀୟ ପର୍ଯ୍ୟାୟ କରୋନା (Covid-19) ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ସ୍ଥିତିରେ ସର୍ତକ ରହିବାକୁ ଜନସାଧାରଣଙ୍କୁ କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଓନମ୍‌ ପର୍ବ ପାଳନ ପରେ କେରଳରେ କରୋନା ସଂକ୍ରମଣ ବଢିଥିବା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ଦଶହରା ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ଲକଡାଉନକୁ ଏଡାଇ ସତର୍କତାମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିବା ବେଳେ ମାସ୍କ, ସାମାଜିକ ଦୂରତା ଓ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ କରୋନା ସୁସ୍ଥ ହାର ଅଧିକ ରହିଥିବା ବେଳେ ମୃତ୍ୟୁହାର ୧ ପ୍ରତିଶତରୁ କମ ରହିଛି।

Also Read | MP Borewell: ମଧ୍ୟପ୍ରଦେଶର ଗଭୀର ବୋରୱେଲରେ ତିନି ବର୍ଷର ଶିଶୁ ପଡିଯାଇଛି, ଉଦ୍ଧାର କାର୍ଯ୍ୟ ଜାରୀ

Share this: