By-Election: ଉପନିର୍ବାଚନ ପାଇଁ ସଂକ୍ରମିତ ଅଞ୍ଚଳ ବାହାରେ ୨୦୦ ଲୋକ ଏକାଠି ହୋଇପାରିବେ

Share this:

ଭୁବନେଶ୍ଵର: ଉପନିର୍ବାଚନ(By-Election) ପାଇଁ ପୂର୍ବରୁ ଜାରି ହୋଇଥିବା ମାର୍ଗଦର୍ଶିକା କରୋନା (Covid-19) କଟକଣା ମାର୍ଗଦର୍ଶିକାକୁ କୋହଳ କରାଯାଇଛି। ସଂକ୍ରମିତ ଅଞ୍ଚଳ ବାହାରେ ଏକ ଶହ ବଦଳରେ ୨୦୦ ଲୋକ ଏକାଠି ହୋଇପାରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ସଂକ୍ରମିତ ଅଞ୍ଚଳ ବାହାରେ ଏଥର ୨୦୦ ଲୋକ ଏକାଠି ହୋଇପାରିବେ। ଯଦି କୌଣସି ହଲ୍‍ରେ  ବୈଠକ କରାଯାଏ, ତେବେ ସେଠାରେ ସମୁଦାୟ ଆସନର ୫୦ ପ୍ରତିଶତରେ ବସିବାକୁ ଅନୁମତି ପ୍ରଦାନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ପହିଲାରେ ଜାରି ହୋଇଥିବା ନିର୍ଦ୍ଦେଶନାମାର ସଂଶୋଧନ କରି ନିର୍ବାଚନ ପାଇଁ ଖୋଲା ଜାଗାରେ ୨୦୦ ଲୋକ ଏକାଠି ହେବାକୁ ଅନୁମତି ପ୍ରଦାନ କରାଯାଇଛି।

ମାର୍ଗଦର୍ଶିକାକୁ ଆଧାର କରି ସ୍ୱତନ୍ତ୍ର ରିଲିଫ୍‍ କମିଶନର ଏସ୍‍.ଆର୍‍.ସି.(SRC) ଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‍ଲାଇନ୍‍ ଜାରି କରାଯାଇଛି। ତେବେ ପୂର୍ବଭଳି ସାମାଜିକ, ରାଜନୈତିକ, ଆମୋଦ ପ୍ରମୋଦ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକଳାପ ଉପରେ ଅକ୍ଟୋବର ୩୧ ଯାଏଁ ସଂଶୋଧିତ କଟକଣା ବଳବତ୍ତର ରହିବ। ଏହା ପୂର୍ବରୁ ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନର୍‍ ଏହି ଘୋଷଣା କରିଛନ୍ତି। ନିର୍ବାଚନ ପାଇଁ ସଭାରେ ଏକାଠି ହେବାକୁ ଥିବା ଲୋକମାନଙ୍କର ଥର୍ମାଲ୍‍ ସ୍କ୍ରିନିଂ କରାଯିବା ସହ ୨ ଗଜର ସାମାଜିକ ଦୂରତା ରକ୍ଷା, ହାତକୁ ଭଲ ଭାବେ ଧୋଇବା, ସାନିଟାଇଜର୍‍ ବ୍ୟବହାର କରିବା ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉପନିର୍ବାଚନ ସମୟରେ ଖୋଲା ସ୍ଥାନରେ ସଭାସମିତି ଆୟୋଜନ କରିବା ଲାଗି ସମ୍ପୃକ୍ତ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେବାପାଇଁ ମାର୍ଗଦର୍ଶିକାରେ କୁହାଯାଇଛି।

ସୂଚନାଯୋଗ୍ୟ, ରାଜନୈତିକ ସଭାରେ କୋଭିଡ୍‍ ନିୟମ ଠିକ୍‍ ଭାବେ ପାଳନ ହେଉଛି କି ନାହିଁ, ସେନେଇ ଜିଲ୍ଲାପାଳ ଦୃଷ୍ଟି ରଖିବାପାଇଁ ମଧ୍ୟ କୁହାଯାଇଛି।

Also Read | NEET: ନିଟ ପରୀକ୍ଷାରେ ଆକାଂକ୍ଷା ସିଂ ମଧ୍ୟ ପାଇଛନ୍ତି ଶତପ୍ରତିଶତ ନମ୍ବର; ୨ବର୍ଷ ପାଇଁ ଧରି ନଥିଲେ ମୋବାଇଲ୍

Share this: