Odisha Assembly: ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

Share this:

ଭୂବନେଶ୍ଵର: ଷୋଡ଼ଶ ବିଧାନସଭା (Assembly) ମୌସୁମୀ ଅଧିବେଶନକୁ ଗତକାଲି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ଦିବସର ଦିନକ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଗତକାଲି ଶେଷ ଦିନରେ ଗୃହରେ ୫ଟି ବିଲ୍‍ ପାରିତ ହୋଇଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ୭ ଦିନ ପାଇଁ ବସିଥିଲା। ଏହି ସମୟ ମଧ୍ୟରେ ମୋଟ୍‍ ୭ଟି ବିଲ୍‍ ଗୃହରେ ପାରିତ ହୋଇଛି। ତିନୋଟି ମୁଲତବୀ ଆଲୋଚନା, ୧୪ଟି ବାର୍ଷିକ ରିପୋର୍ଟ, ୭ଟି ସିଏଜି (CAG) ରିପୋର୍ଟ ଏବଂ ୧୧ଟି ଅଧ୍ୟାଦେଶ ସମେତ ୧୦ଟି କମିଟି ରିପୋର୍ଟକୁ ଏହି ସମୟ ମଧ୍ୟରେ ଗୃହରେ ଉପସ୍ଥାପନ କରାଯାଇଥିଲା। କୋଭିଡ୍‍ (Covid19) କଟକଣା ଭିତରେ ଅନୁଷ୍ଠିତ ଏହି ଅଧିବେଶନରେ କୌଣସି ପ୍ରଶ୍ନକାଳ ରଖାଯାଇ ନଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏହି ଅଧିବେଶନଟି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଛନ୍ତି, ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଛି। ଶାସକ, ବିରୋଧୀ ଦଳର ସଭ୍ୟ, ବିଧାନସଭା ସଚିବାଳୟ କର୍ମଚାରୀ, ଗଣମାଧ୍ୟମ ତଥା ସୁରକ୍ଷା କର୍ମଚାରୀଙ୍କ ସହଯୋଗରେ ଅଧିବେଶନଟି ଫଳପ୍ରଦ ହୋଇଛି। ଏଥର ବିଧାନସଭା ଅଧିବେଶନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୃହକୁ ମୁଖ୍ୟମନ୍ତ୍ରୀ ଆସିଲେ ନାହିଁ । ସେ ଭିଡିଓ କନଫରେନ୍ସ ମାଧ୍ୟମରେ ବିଧାନସଭା ଅଧିବେଶନରେ ଭାଗ ନେଇଥିଲେ।।

Also Read |Odisha:ପୋଷଣୀୟ କୃଷି ଲାଗି ୪ ବର୍ଷରେ ଓଡ଼ିଶାକୁ ମିଳିଛି ୭.୭୫ କୋଟି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: