Covid-19 India Updates: ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କୋଭିଡ୍‍ ସଂକ୍ରମିତଙ୍କ ସଂଖ୍ୟା ୨.୪୩ ଭାଗକୁ ହ୍ରାସ ପାଇଛ

corona

ନୂଆଦିଲ୍ଲୀ: ଦେଶରେ କୋଭିଡ୍‍ (Covid-19) ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ଶତକଡା ୨.୪୩ ଭାଗକୁ ହ୍ରାସ ପାଇଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାନ୍ୱୟରେ ହ୍ରାସ ପାଇବା ସହ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଗତକାଲି ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଉ ୪ହଜାର ହ୍ରାସ ପାଇଛି। ଫଳରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ଲକ୍ଷ ୫୦ହଜାର ରହିଛି।

ଦୈନିକ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ହଜାରରୁ କମ ରହିଛି। ଗତକାଲି ୧୯ହଜାର ଭୂତାଣୁରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଦେଶରେ କୋଭିଡ୍‍ ଆରୋଗ୍ୟହାର ବୃଦ୍ଧି ପାଇ ଶତକଡା ୯୬.୧୨ ଭାଗରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୯୯ଲକ୍ଷ ଲୋକ ଆରୋଗ୍ୟଲାଭ କରିସାରିଛନ୍ତି।

ଦେଶରେ ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟାର ୪୦ଗୁଣାରୁ ଅଧିକ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଚିକିତ୍ସା ମୌଳିକ ଢ଼ାଞ୍ଚାର ବିକାଶ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର କଡାକଡି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀ ମାନଙ୍କର ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି। ମନ୍ତ୍ରଣାଳୟ କହିଛି ଏହାଯୋଗୁଁ କରୋନା ମୃତ୍ୟୁହାର ଶତକଡା ୧.୪୫ ଭାଗରେ ରହିଛି।

ଦେଶରେ ଏପର୍ଯ୍ୟନ୍ତ ୧୭କୋଟି ୩୯ଲକ୍ଷ ନମୂନା ପରୀକ୍ଷା କରାଯାଇ ସାରିଲାଣି। ଉଭୟ କେନ୍ଦ୍ର ସରକାର ଓ ଆଇ.ସି.ଏମ୍‍.ଆର୍‍ (ICMR) ଦେଶରେ କୋଭିଡ୍‍ ନମୂନା ପରୀକ୍ଷାଗାର ସଂଖ୍ୟା ବୃଦ୍ଧିକରିବା ଉଦ୍ୟମ ଜାରି ରଖିଛନ୍ତି। ଦେଶରେ ଦୈନିକ ୧୫ଲକ୍ଷ ନମୂନା ପରୀକ୍ଷା କରାଯାଇପାରୁଛି ଓ ଲୋକମାନେ ସହଜରେ ସେମାନଙ୍କର ନମୂନା ପରୀକ୍ଷା କରିପାରୁଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଅଧିକ ନମୂନା ପରୀକ୍ଷା କରାଯିବା ଯୋଗୁଁ ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରାଯାଇପାରୁଛି ଓ ସେମାନଙ୍କର ଠିକ୍‍ ସମୟରେ ଚିକିତ୍ସା କରାଯାଉଛି। ଏହାଯୋଗୁଁ କୋଭିଡ୍‍ ମୃତ୍ୟୁହାର ହ୍ରାସ ପାଉଛି। ଅଧିକ ନମୂନା ପରୀକ୍ଷା ଯୋଗୁଁ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହେଉଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨ହଜାର ୨୯୪ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ହଜାର ୨୦୧ଟି ସରକାରୀ ପରୀକ୍ଷାଗାର ଓ ୧ହଜାର ୯୩ଟି ବେସରକାରୀ ପରୀକ୍ଷାଗାର ରହିଛି।

Share this:

Leave a Reply

Your email address will not be published. Required fields are marked *