Cyclone Yaas Odisha:‘ୟାସ’୨୬ରେ କରିବ ଲ୍ୟାଣ୍ଡଫଲ, ୧୮୫ କିମି ରହିବ ପବନର ବେଗ

Share this:

ଭୂବନେଶ୍ଵର: ପାଣିପାଗ ବିଭାଗର (IMD) ପୂର୍ବାନୁମାନ ଅନୁଯାୟୀ, ମେ ୨୬ ତାରିଖ ସକାଳ ସୁଦ୍ଧା ୟାସ (Yaas) ଓଡିଶା-ପଶ୍ଚିମବଙ୍ଗ ଉପକୂଳ (Odisha-West Bengal Coastal Area) ରେ ପହଞ୍ଚିପାରେ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ ରାଜ୍ୟ ସରକାର ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ଅନୁରୋଧ କରିଛନ୍ତି। ଏଥି ସହିତ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଗଛ ହଟାଇବା ପାଇଁ ଜଙ୍ଗଲ ବିଭାଗକୁ ସତର୍କ କରାଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ବିପର୍ଯ୍ୟୟ ଶେଷ ହେବା ମାତ୍ରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ (Low Pressure) କ୍ଷେତ୍ର। ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍‍ କରି କୁହାଯାଇଛି ଯେ,ଏହି ବାତ୍ୟା କ୍ରମେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର- ଉତ୍ତରପଶ୍ଚିମ ଦିଗକୁ ଗତିକରି ଉପକୂଳମୁହାଁ ହେବ। ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ। ଏହି ବାତ୍ୟା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଓ ବାଲାଂଦେଶ ତଟ ମଧ୍ୟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍‍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ନିର୍ଦ୍ଦିଷ୍ଟ ଭାବେ କେଉଁଠି ସ୍ଥଳଭାଗ ଛୁଇଁବ ତାହା ଆକଳନ ହୋଇପାରିନାହିଁ।

ସେ ଆହୁରି କହିଛନ୍ତି, ଏହା ଏକ ଅତିଭୀଷଣ ବାତ୍ୟା ହୋଇଥିବାରୁ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବ। ସ୍ଥଳବିଶେଷରେ ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ହୋଇପାରେ। ଏହି ବାତ୍ୟାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ହେବ। ୨୫ ତାରିଖ ସକାଳେ ପବନର ବେଗ ୫୦-୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ୨୬ ତାରିଖ ବେଳକୁ ଏହା ଆହୁରି ବଢ଼ିବ।

ସେହିପରି ଲଘୁଚାପ ପ୍ରଭାବରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଥଣ୍ଡା ରହିବା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପୁରୀଜିଲ୍ଲାରେ ବର୍ଷା ଓ ପବନ ହେବାର ଆଶଂକା ଥିବାରୁ ସମୁଦ୍ର ଭିତରକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ, ଗୋପ, ଅସ୍ତରଙ୍ଗ ଓ କାକଟପୁର ବ୍ଲକର ସୁନାମୀ ପ୍ରବଣ ଅଞ୍ଚଳ ଉପରେ ଅଧିକ ଗୁରୁତ୍ୱଦେଇଛି ଜିଲ୍ଲା ପ୍ରଶାସନ। ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାର ସବୁ ତହସିଲଦାର ଓ ବିଡିଓଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖିବାବୁ କୁହାଯାଇଛି। ଆବଶ୍ୟକ ପଡିଲେ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଜଗତ୍‍ସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ୟାସ୍‍ର ମୁକାବିଲା କରିବା ପାଇଁ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିସ୍ଥିତିର ଆକଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ୪୨ଟି ବାତ୍ୟା ଆଶ୍ରୟସ୍ଥଳ ଓ ୧୭୮ଟି ବିକଳ୍ପ କେନ୍ଦ୍ରଗୁଡ଼ିକର ଅନୁଧ୍ୟାନ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ପାଣି, ବିଜୁଳି, ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ସହ କୋଭିଡ୍‍ ମାର୍ଗଦର୍ଶିକା ଅନୁସାରେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ଅନୁଧ୍ୟାନ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ, ଔଷଧ ଆଦି ମହଜୁଦ ରଖାଯିବାକୁ ବ୍ୟବସ୍ଥା କରାଯାଉଛି। ଜିଲ୍ଲାରେ ବିଦ୍ୟୁତ ସେବା, ଜଳଯୋଗାଣ ଓ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Also Read | Corona:ଆଜି ରାଜ୍ୟରୁ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ

[amazon_auto_links id=”9932″]
Share this:

Leave a Reply

Your email address will not be published. Required fields are marked *