Cyclone Yaas:ବୁଧବାର ମଧ୍ୟାହ୍ନ ସୁଦ୍ଧା ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ କରିବ ୟାସ୍ ଲ୍ୟାଣ୍ଡଫଲ, ଘଣ୍ଟା ପ୍ରତି ୧୨ କିମିରେ ମାଡି ଆସୁଛି

Share this:

ଭୂବନେଶ୍ଵର: ଘଣ୍ଟା ପ୍ରତି ୧୨ କିମି ବେଗରେ ମାଡି ଆସୁଛି ବାତ୍ୟା ‘ୟାସ୍‍’ (Yaas)। ଏହା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଭଦ୍ରକ (Bhadrak)ଓ ବାଲେଶ୍ୱର (Baleswar) ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମିଳିଛି।

ଘଣ୍ଟା ପ୍ରତି ୧୮୫ କିମି ପର୍ଯ୍ୟନ୍ତ ବହିବ ପବନ

ସୂଚନା ଅନୁଯାୟୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଅନୁଭୂତ ହେବ। ଉତ୍ତର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୧୫୫ରୁ ୧୬୫ ସ୍ଥାନେ ସ୍ଥାନେ ୧୮୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଆସନ୍ତାକାଲି ସକାଳୁ ଏହାର ପ୍ରଭାବ ଅନୁଭୂତ ହେବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହି ବାତ୍ୟାର ପରିଧି ବହୁତ ବିଶାଳ ଫଳରେ ପ୍ରଭାବ ପୁରୀଠାରୁ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଯାଏ ଅନୁଭୂତ ହେବ।

ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମରେ ଭୀଷଣ ବର୍ଷା

ସୂଚନା ଅନୁଯାୟୀ ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟାର ପ୍ରକୋପରେ ସମୁଦ୍ରରେ ବଡ଼ବଡ଼ ଜୁଆର ଆସିବ। ଧାମରା ଏବଂ ପାରାଦ୍ୱୀପ ବନ୍ଦରରେ ୪ ନମ୍ବର, ପୁରୀ ଏବଂ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗସିଂହପୁର, କଟକ, ପୁରୀ ଏବଂ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମରେ ମଧ୍ୟ ଭୀଷଣ ବର୍ଷା ହେବ। ୨୭ତାରିଖ ଦିନ ମଧ୍ୟ ବାତ୍ୟା ପରବର୍ତ୍ତୀ ବର୍ଷା ହୋଇପାରେ। ଏଥିସହିତ ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ଅପରାହ୍ଣ ଠାରୁ ଉପକୂଳ ଅଞ୍ଚଳରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇବ। କଚ୍ଚା ଘର, ଅସ୍ଥାୟୀ ସଡ଼କ ଯୋଗାଯୋଗ, ଗଛ, ଟେଲିଫୋନ୍‍ ଟାୱାର, ବିଦ୍ୟୁତ୍‍ ଖୁଣ୍ଟ ଏହି ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇପାରେ।

ଘରୋଇ କ୍ଷେତ୍ରରେ ଜେନେରେଟର ନ ଲଗାଇବାକୁ ନିର୍ଦ୍ଦେଶ

ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା କହିଛନ୍ତି, ଆଜି ଅପରାହ୍ଣ ସୁଦ୍ଧା ତଳିଆ ତଥା ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ଆଶ୍ରୟ ସ୍ଥଳୀରେ ମାସ୍କ୍‍ ପିନ୍ଧିବା ବାଧ୍ୟତା ମୂଳକ। ଆଶ୍ରୟସ୍ଥଳୀବାସୀଙ୍କୁ ରନ୍ଧା ଖାଦ୍ୟ, ପାନୀୟ ଜଳ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଗର୍ଭବତୀ ମହିଳା ଏବଂ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ହାଇଆର୍ଲଟ୍‍ ଜାରି କରାଯାଇଛି। ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‍ ସରବରାହ କାର୍ଯ୍ୟ ଚାଲୁ ରଖିବା ପାଇଁ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ଗୁରୁବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଘରୋଇ କ୍ଷେତ୍ରରେ ଜେନେରେଟର ନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଙ୍ଘନ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବି ର୍ଯ୍ୟୟ ପରିଚାଳନା ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ବିଭିନ୍ନ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା ବଡ଼ ବଡ଼ ହୋଡିଂ ଏବଂ ଅନ୍ୟାନ୍ୟ ପ୍ରଚାର ଫଳକକୁ ଖୋଲି ଦେବା ପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟା ସମୟରେ ପବନରେ ପଡ଼ିଥିବା ଆମ୍ବ, ନଡ଼ିଆ ଆଦିକୁ ସଂଗ୍ରହ କରିବାକୁ ବାରଣ କରାଯାଇଛି। ଯଥେଷ୍ଟ ପାଣି ଘରେ ଗଚ୍ଛିତ କରି ରଖିବାକୁ କୁହାଯାଇଛି। ଶ୍ରୀ ଜେନା କହିଛନ୍ତି, ୩୨ଟି ଏନ୍‍.ଡି.ଆର୍‍.ଏଫ୍‍., ୫୦ରୁ ଊର୍ଦ୍ଧ୍ୱ ଓଡ୍ରାଫ୍‍ ଟିମ୍‍ ଏବଂ ୧୭୫ଟି ଅଗ୍ନିସମ ବାହିନୀ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ହୋଇ ରହିଛନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ୩୫ଟି ଗଛ କଟାଳି ଟିମ୍‍କୁ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯାଇଛି।

ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ

ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କର୍ମଚାରୀଙ୍କର ଛୁଟିକୁ ବାତିଲ କରିଛନ୍ତି। ଛୁଟିରେ ଥିବା କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି କର୍ମଚାରୀ ମୁଖ୍ୟାଳୟ ନ ଛାଡ଼ିବାକୁ କୁହାଯାଇଛି।

ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବାତ୍ୟା ଦାୟିତ୍ୱ

ବେଶୀ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ପାଇଁ ୫ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ପଦକ୍ଷେପ ନେଇ ଦାୟିତ୍ୱ ଅର୍ପଣ କରାଯାଇଛି। ସେହିପରି ଗୃହ ବିଭାଗ ପକ୍ଷରୁ ୫ଜଣ ବରିଷ୍ଠ ଆଇପିଏସ୍‍ ଅଧିକାରୀ, ପୂର୍ତ୍ତ ବିଭାଗ ପକ୍ଷରୁ ୫ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ୫ ଜଣ ବରିଷ୍ଠ ରାଜସ୍ୱ ଅଧିକାରୀଙ୍କୁ ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ ସହଯୋଗ କରିବା ପାଇଁ ନିୟୋଜିତ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟବାସୀ ଦୁଇଟି ବଡ଼ ବିପଦର ମୁକାବିଲା କରୁଛନ୍ତି। ଗୋଟିଏ କୋଭିଡ୍‍ ଏବଂ ଅନ୍ୟଟି ବାତ୍ୟା ‘ୟାସ୍‍’ ଗତକାଲି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି, ଏହି ଦୁଇଟି ଯାକକୁ ମୁକାବିଲା କରିବାରୁ ଜନସାଧାରଣ ପ୍ରଶାସନକୁ ସହଯୋଗ କରନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଦୁଇଟି ମାସ୍କ୍‍ ପିନ୍ଧିବା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ।

Also Read | Covid-19: କରୋନା ସମୟରେ ପ୍ରତ୍ୟେକ କିନ୍ନରଙ୍କୁ କେନ୍ଦ୍ର ସରକାରଙ୍କ୧୫୦୦ ଟଙ୍କାର ଆର୍ଥିକ ସହାୟତା

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *