Cyclone Yaas:ମାଡିଆସୁଛି ବାତ୍ୟା ୟାସ୍, ଅଛି ୨୨୦ କିମି ଦୂରରେ

Share this:

ବାଲେଶ୍ୱର: କ୍ଷିପ୍ର ଗତିରେ ମାଡିଆସୁଛି ବାତ୍ୟା ‘ୟାସ୍’ (Yaas)।  ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ୟାସ୍‍ ଅତି ଭୀଷଣ ସାମୁଦ୍ରିକଝଡ଼ର ରୂ ନେଇ ସ୍ଥଳଭାଗ ଆଡ଼କୁ ଗତି କରୁଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଏହା ପାରାଦ୍ୱୀପଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବକୁ ୨୨୦ କିଲୋମିଟର ଦୂରରେ ଏବଂ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବକୁ ୩୨୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଏହା ଧାମରା ଓ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ଧାମରା ଓ ଚାନ୍ଦବାଲି ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଆସନ୍ତାକାଲି ସକାଳଠାରୁ ବାତ୍ୟାର ପ୍ରଭାବ ଉପକୂଳ ଅଞ୍ଚଳରେ ଅନୁଭୂତ ହେବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ। ସ୍ଥଳବିଶେଷରେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଜଗତ୍‍ସିଂହପୁର ଓ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ବାତ୍ୟା ପ୍ରଭାବରେ ଗତକାଲିଠାରୁ ଉପକୂଳ ଅଞ୍ଚଳରେ ବର୍ଷା ଜାରି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ରାତିରୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି। ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ, ଉପୁଡ଼ିଯିବା ସହ କଚ୍ଚାଘର, ଆଜ୍‍ବେଷ୍ଟସ୍‍ ଛପର ଓ ପୁରୁଣା କୋଠା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ସେହିପରି ଟେଲିଫୋନ୍‍ ଓ ବିଜୁଳି ଖୁଣ୍ଟ ଆଦି ପ୍ରଭାବିତ ହେବାର ଅନୁମାନ କରାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ଓ ଧାମରାରେ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ସାମୁଦ୍ରିକ ଝଡ଼ ୟାସ୍‍ର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିକ ଜୋର୍‍ଦାର କରାଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର ଜେନା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେହିପରି ବାତ୍ୟା ସମୟରେ କୋଭିଡ୍‍ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଏଥିସହ ଜନସାଧାରଣଙ୍କୁ ସଚେତନ ରହିବାପାଇଁ ଡାକବାଜି ଯନ୍ତ୍ରଯୋଗେ ସୂଚନା ଦିଆଯାଉଛି।

ଜଗତ୍‍ସିଂହପୁର ଜିଲ୍ଲାରେ ଆଜି ପୂର୍ବାହ୍ନ ସୁଦ୍ଧା ୫ ହଜାର ୧୦୪ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବାବେଳେ ଏହି ପ୍ରକ୍ରିୟା ଏବେ ବିଜାରି ରହିଛି। ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୫ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି।

ସେହିପରି ଭଦ୍ରକ ଜିଲ୍ଲାର ଧାମରା, ଚାନ୍ଦବାଲି ବ୍ଳକ୍‍, ବାସୁଦେବପୁର ବ୍ଲକ୍‍ର ଓଡ୍ରାଫ୍‍, ଏନ୍‍ଡିଆର୍‍ଏଫ୍‍, ଅଗ୍ନିଶମ ଦଳକୁ ମୁତୟନ କରାଯାଇଛି। ବାଲେଶ୍ୱର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ୫୦ ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ରାଜପଥରେ ବାତ୍ୟା ସମୟରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଲକ୍ଷଣନାଥଠାରୁ ପାଣିକୋଇଲି ମଧ୍ୟରେ ଏହି କଟକଣା ଜାରି କରାଯାଇଛି। ଆଜି ସକାଳେ ସହରରେ ଲାଗିଥିବା ବଡ଼ ବଡ଼ ହୋଡିଂଗୁଡ଼ିକୁ ଖୋଲି ଦିଆଯାଇଛି। ସେହିପରି ଶକ୍ତିମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‍ ସେବା ଅବ୍ୟାହତ ରଖିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Also Read | Corona:ରାଜ୍ୟରୁ ଆଜି ୧୦ ହଜାର ୯୩୯ ସଂକ୍ରମିତ ଚିହ୍ନଟ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *