Covid19 India: ଭାରତରେ ୧୦ ଲକ୍ଷ କରୋନାରୁ ସୁସ୍ଥ ହେଲେ ମାତ୍ର ୧୧ ଦିନରେ

Share this:

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ୨୮ତାରିଖରେ ଦେଶରେ କରୋନା (Covid-19)ରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୦ ଲକ୍ଷ ୧୬ ହଜାର ୫୨୦ ଅତିକ୍ରମ କରିଛି। ପ୍ରତିଦିନ ଅଧିକରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଥିବା ବେଳେ ଦିନପିଛା ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ୮୯୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ନିକଟରେ ଦୈନିକ ୯୦ ହଜାରରୁ ଅଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି। ସକ୍ରିୟ ରୋଗୀଙ୍କ ତୁଳନାରେ ୫ ଗୁଣ ଅଧିକ ଆରୋଗ୍ୟ ଲାଭ କରିଛନ୍ତି। ଜାତୀୟ ଆରୋଗ୍ୟ ହାର ୮୨.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୁସ୍ଥତା ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି।

ନୂତନ ଆରୋଗ୍ୟ ଲାଭ କରିଥିବା ଶତକଡା ୭୩ ଭାଗ ରୋଗୀ ୧୦ ଟି ରାଜ୍ୟର ବୋଲି ଜଣାପଡିଛି। ସେଗୁଡିକ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, କେରଳ, ଓଡିଶା (Odisha), ପଶ୍ଚିମବଙ୍ଗ ଓ ପଞ୍ଜାବ। କେବଳ ମହାରାଷ୍ଟ୍ରରୁ ୧୩ ହଜାର ନୂତନ ରୋଗୀ ଆରୋଗ୍ୟଲାଭ କରିଛନ୍ତି। ଜୁନ ମାସରେ ଆରୋଗ୍ୟ ସଂଖ୍ୟା ୧ ଲକ୍ଷ ଥିବା ବେଳେ ଏହା କ୍ରମଶଃ ଦ୍ରୁତଗତିରେ ବୃଦ୍ଧି ପାଇ ଗତ ୧୧ ଦିନ ମଧ୍ୟରେ ୧୦ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା କେତେକ ଦକ୍ଷ ଓ ଦୂରଦର୍ଶୀ ପଦକ୍ଷେପ ତଥା ରାଜ୍ୟ ସରକାରଙ୍କ ଦ୍ଵାରା ଏଗୁଡ଼ିକର ସଫଳ ରୂପାୟନ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି। ଉନ୍ନତ ମେଡିକାଲ ଭିତ୍ତିଭୂମି କୋଭିଡ ନିୟମାବଳୀଗୁଡିକୁ ତ୍ୱରାନ୍ୱିତ କରିବା, ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗ ଭାବାପନ୍ନ ସେବା ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଆରୋଗ୍ୟଙ୍କ ମଧ୍ୟରୁ ଶତକଡା ୭୮ ଭାଗ ରୋଗୀ ୧୦ ଟି ରାଜ୍ୟରୁ ହୋଇଥିବା ବେଳେ ସବୁଠାରୁ ଆଗରେ ମହାରାଷ୍ଟ୍ର ରହିଛି। ତା ପଛକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ରହିଛନ୍ତି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ ହଜାର ୧୭୦ ନୂତନ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଶତକଡା ୭୯ ଭାଗ ୧୦ଟି ରାଜ୍ୟର ବୋଲି ଜଣାପଡିଛି। ମହାରାଷ୍ଟ୍ରରୁ ସର୍ବାଧିକ ୧୮ ହଜାର ଥିବା ବେଳେ କର୍ଣ୍ଣାଟକରୁ ୯ ହଜାରରୁ ଅଧିକ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସର୍ବଶେଷ ମୃତ୍ୟୁ ପରିସଙ୍ଖ୍ୟାନ ଅନୁସାରେ ମୋଟ ନୂତନ ମୃତକଙ୍କ ଶତକଡା ୮୪ ଭାଗ ୧୦ଟି ରାଜ୍ୟରୁ ଆସିଛନ୍ତି। ଗତକାଲି ଶତକଡା ୩୬ ଭାଗ ଅର୍ଥାତ ୩୮୦ ଜଣଙ୍କର ମୃତ୍ୟୁ ମହାରାଷ୍ଟ୍ରରୁ ହୋଇଥିବା ବେଳେ ତାମିଲନାଡୁରୁ ୮୦ ଓ କର୍ଣ୍ଣାଟକରୁ ୭୯ ଜଣଙ୍କର ମୃତ୍ୟୁ ଘଟିଛି।

ସାମାଜିକ ଦୁରତ୍ଵ, ବାରମ୍ବାର ହାତ ଧୋଇବା, ଶ୍ଵାସକ୍ରିୟା ପରିଚାଳନା ଓ ସାଧାରଣ ସ୍ଥାନରେ ମାସ୍କର ବ୍ୟବହାର ଉପରେ ଗୁରୁତ୍ଵାରୋପ କରାଯାଇଛି।

Also Read: Kolkata: ଯଦି ମୁଁ କରୋନା ସଂକ୍ରମିତ ହୁଏ,ମମତା ବାନାର୍ଜୀଙ୍କୁ ‘ଗଲେ ଲଙ୍ଗାଏଙ୍ଗେ’ କହିଲେ ଏମିତି ବିଜେପି ନେତା,ପୋଲିସରେ ଅଭିଯୋଗ

Share this: