Odisha:ଶୀତ ଋତୁରେ କରୋନା ଭୟଙ୍କର ହେବ, ଘରେ ରହି ପୂଜା କରନ୍ତୁ ଏବଂ ଭିଡ଼ ଜମାନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

Share this:

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik ) ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶାରଦୀୟ ପୂଜା ସମୟରେ କରୋନା (Covid-19) ଭୟତାକୁ ଦେଖି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଓଡିଶା ଗତ ସାତ ମାସ ହେବ କରୋନା ବିରୋଧରେ ଲଢେଇ ଜାରି ରଖିଛି ଓ ଏଥିପାଇଁ ସମସ୍ତଙ୍କୁ ଅନେକ କଷ୍ଟ ଓ ତ୍ୟାଗ ସ୍ଵୀକାର କରିବାକୁ ପଡୁଛି। ସେ କହିଛନ୍ତି ଯେ କରୋନା ସଂକ୍ରମଣ ଯୋଗୁ ପିଲା ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି ଓ ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି। ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ଏବଂ ଏହା ଆଗକୁ ଆହୁରି କମିବ ବୋଲି ଦୃଢତାରସହ କହିଛନ୍ତି। ମୁଖ୍ୟମନ୍ତ୍ରୀ  ଗଞ୍ଜାମ ଓ ଗଜପତି ଉଦାହରଣ ଦେଇ କହିଛନ୍ତି ଯେ ଜନସାଧାରଙ୍କ ସହଯୋଗ, ଗୋଷ୍ଠୀ ଅନ୍ତର୍ଭୁକ୍ତି ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି।

ସେ କହିଛନ୍ତି ୟୁରୋପୀୟ ମହାଦେଶରେ ଇଂଲଣ୍ଡ, ଫ୍ରାନ୍ସ ଓ ସ୍ପେନ୍  ଆଦି ଦେଶର ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା। ବହୁତ ଲୋକ ଜୀବନ ହରାଇଲେ। ସେଠାରେ କରୋନା ଟିକେ କମିଥିଲା କିନ୍ତୁ ଏବେ ସେଠାରେ ସଂକ୍ରମଣ ପୁଣି ଥରେ ଆରମ୍ଭ ହୋଇ ବହୁତ ବଢ଼ି ଯାଇଛି। ବର୍ତ୍ତମାନ ଅଧିକ ଭୟଙ୍କର। ଆମ ଭାରତ ବର୍ତ୍ତମାନ ଆମେରିକା ପରେ ବିଶ୍ଵରେ ଦୁଇ ନମ୍ବର ସ୍ଥାନରେ ରହିଛି।

ସେ କହିଛନ୍ତି ଯେ, କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା। କିନ୍ତୁ ଓନମ୍ ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି। ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ। ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି। ମୋର ଅନୁରୋଧ, ପୂଜା ସମୟର ସର୍ବସାଧାରଣସ୍ଥାନରେ ଭିଡ କରନ୍ତୁ ନାହିଁ। ଘରେ ରହି ମା’ଙ୍କ ପୂଜା କରନ୍ତୁ। ପରିବାର ସହ ଘରେ ରହି ପର୍ବ ପାଳନ କରନ୍ତୁ। ଆମେ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ। ତେଣୁ ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ଆସନ୍ତୁ। ମା’ଙ୍କ ପାଖରେ ଶପଥ ନେଇ କାମ କରିବା।  ହାତଧୂଆ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବା ସହ ଆପଣ ଓ ଆପଣଙ୍କ ପରିବାରକୁ ପୁଣି ଥରେ ପୂଜା ପାଇଁ ଅଭିନଦନ।

Also Read | India Covid19: ଟିକା ପ୍ରସ୍ତୁତ ହେବା କ୍ଷଣି ଲୋକଙ୍କୁ ଏହା ତୁରନ୍ତ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

Share this: