India Covid19: ଟିକା ପ୍ରସ୍ତୁତ ହେବା କ୍ଷଣି ଲୋକଙ୍କୁ ଏହା ତୁରନ୍ତ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ (Covid-19) ପରିସ୍ଥିତି ଓ ଦେଶରେ କୋଭିଡ୍‍ ପ୍ରତିଷେଧକ ପହଞ୍ଚାଇବା, ବଣ୍ଟନ କରିବା ଓ ଲୋକମାନଙ୍କୁ ଦେବାପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଦେଶରେ କୋଭିଡରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ସଂଖ୍ୟାରେ ଧୀରେ ଧୀରେ ଅବନତି ଘଟୁଛି। ତିନୋଟି ପ୍ରତିଷେଧକ (Vaccine) ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ତାହା ମଧ୍ୟରୁ ଦୁଇଟି ପ୍ରତିଷେଧକର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି।

ଭାରତୀୟ ବୈଜ୍ଞାନିକ ଓ ଗବେଷକମାନଙ୍କ ଦଳ ଆଫ୍‍ଗାନିସ୍ତାନ, ଭୁଟାନ, ବାଙ୍ଗଲାଦେଶ, ମାଳଦୀପ, ମରିସସ୍‍, ନେପାଳ ଓ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ମିଶି ଗବେଷଣା ଚଳାଇଛନ୍ତି। ବାଙ୍ଗଲାଦେଶ, ମ୍ୟାଁମାର୍‍, କତାର୍‍ ଓ ଭୁଟାନ ସେମାନଙ୍କ ଦେଶରେ ପ୍ରତିଷେଧକର କ୍ଲିନିକାଲ୍‍ ଟ୍ରାଏଲ୍‍ (Clinical Trail) ପାଇଁ ଭାରତକୁ ଅନୁରୋଧ ଜଣାଇଛନ୍ତି।

ଅଗ୍ରାଧିକାର ଭିତ୍ତିରେ ପ୍ରତିଷେଧକ ଦିଆଯିବା ଲାଗି ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟଗୁଡ଼ିକ ସହ ବିଚାର ବିମର୍ଷ କରି କାର୍ଯ୍ୟ ଚଳାଇଛନ୍ତି। ଦେଶର ଭୌଗଳିକ ବିବିଧତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଯେପରି ଖୁବ୍‍ ଶୀଘ୍ର ପ୍ରତିଷେଧକ ଦିଆଯାଇ ପାରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି।

ପ୍ରତିଷେଧକ ପ୍ରସ୍ତୁତ ହୋଇଯିବା ପରେ ତାହାକୁ ପହଞ୍ଚାଇବା ଓ ଲୋକମାନଙ୍କୁ ଦେବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି।

ଯଦିଓ ଦୈନିକ ସଂକ୍ରମିତ ହାର ହ୍ରାସ ପାଉଛି ତଥାପି କୋବିଡ୍‍ ନିୟମର କଡ଼ାକଡ଼ି ଭାବେ ପାଳନ ପାଇଁ ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଶାରୀରିକ ଦୂରତା ବଜାୟ ରଖିବା, ମାସ୍କ୍‍ ପରିଧାନ କରିବା, ବାରମ୍ବାର ହାତକୁ ସାବୁନରେ ଧୋଇବା ଓ ସାନିଟାଇଜ୍‍ କରିବା ଏବଂ ସଫାସୁତୁରା ନିୟମଗୁଡ଼ିକର ସଠିକ୍‍ ରୂପେ ପାଳନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ୍‍ ମନ୍ତ୍ରୀ ହର୍ଷବର୍ଦ୍ଧନ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ନିତିଆୟୋଗ ସଦସ୍ୟ, ପ୍ରଧାନ ବିଜ୍ଞାନ ଉପଦେଷ୍ଟା, ବରିଷ୍ଠ ବୈଜ୍ଞାନିକ ବୃନ୍ଦ, ପି.ଏମ୍‍.ଓ.ର ଅଫିସର ବୃନ୍ଦ ଓ ଅନ୍ୟ ସରକାରୀ ବିଭାଗର ଅଫିସରମାନେ ଅଂଶଗ୍ରହଣ କରିଥିଲେ।

Also Read| Covid19 କୁ ନେଇ ଆଗାମୀ ପାର୍ବଣ ଓ ଶୀତଋତୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାବଳୀ

Share this: