NAG : ନାଗ କ୍ଷେପଣାସ୍ତ୍ରର ଚୂଡ଼ାନ୍ତ ବ୍ୟାବହାରିକ ପରୀକ୍ଷା
ପୋଖରାନ: ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (Anti-Tank Guided Missile -ATGM) ନାଗର ଚୂଡାନ୍ତ ପର୍ଯ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି ୨୨ ଅକ୍ଟୋବର ସକାଳ ୬ ଟା ୪୫ ମିନିଟ ସମୟରେ ପୋଖରାନ (Pokhran) ଘାଟିରେ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ ନିର୍ଦ୍ଧାରିତ ଦୂରତ୍ୱରେ ଥିବା ଏକ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପ୍ରେରଣ କରାଯାଇଥିଲା। ନାଗ କ୍ଷେପଣାସ୍ତ୍ରର ବାହକ ନମିଷାରୁ ଏହାକୁ ପ୍ରୟୋଗ କରାଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ଟ୍ୟାଙ୍କରେ ଯେଉଁ ସୁରକ୍ଷା ଆର୍ମର ଥିଲା ତାହା କ୍ଷେପଣାସ୍ତ୍ରର ପ୍ରହାରକୁ ପ୍ରତିରୋଧ କରିବାରେ ସଫଳ ହୋଇନଥିଲା।
ଏହି ଏଟିଜିଏମ୍ ନାଗ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି। ସୁଦୃଢ ବ୍ୟବସ୍ଥା ମଧ୍ୟରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କକୁ ଦିବାରାତ୍ର ଯେ କୌଣସି ସମୟରେ ଆକ୍ରମଣ କରି ଏହା ଧ୍ୱଂସ କରିବାକୁ ସ୍ୱତନ୍ତ୍ରଭାବେ ନିର୍ମିତ। ଏହି କ୍ଷେପଣାସ୍ତ୍ରର ‘ଫାୟାର ଆଣ୍ଡ ଫରଗେଟ୍’ ଏବଂ ଟପ୍ ଆଟାକ୍ ଦକ୍ଷତା ରହିଛ। ଏଥିରେ ପାସିଭ ହମିଂ ଗାଇଡାନ୍ସ ବ୍ୟବସ୍ଥା ମଧ୍ୟ ଉପଲବ୍ଧ, ଯାହା କମ୍ପୋଜିଟ ଏବଂ ରିଆକ୍ଟଭି ଆର୍ମର ଦ୍ୱାରା ସଜ୍ଜିତ ଯେକୌଣସି ପ୍ରମୁଖ ଲଢୁଆ ଟ୍ୟାଙ୍କକୁ ନଷ୍ଟ କରିବାରେ ସମର୍ଥ।
ନାଗ କ୍ଷେପଣାସ୍ତ୍ରର ବାହକ ନମିଷା ଏକ ବିଏମ୍ପି-2 ଭିତ୍ତିକ ବ୍ୟବସ୍ଥା ଏବଂ ଏହା ଦ୍ୱେତ ଗତିରେ କାର୍ଯ୍ୟ କରିବାକୁ ସକ୍ଷମ। ଏହି ଚୂଡାନ୍ତ ବ୍ୟାବହାରିକ ପରୀକ୍ଷା ସହିତ ନାଗ କ୍ଷେପଣାସ୍ତ୍ରର ଉତ୍ପାଦନ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ଲିମିଟେଡ ଏହି କ୍ଷେପଣାସ୍ତ୍ର ଉତ୍ପାଦନ କରିବ। ଏହାର ବାହକ ନମିଷାର ଉତ୍ପାଦନ ମେଡ୍କସ୍ଥିତ ଗୋଳାବାରୁଦ କାରଖାନା ଉପରେ ନ୍ୟସ୍ତ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ (Rajnath Sing) ନାଗ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପାଇଁ ଡିଆରଡିଓ ଓ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଡିଡିଆର ଆଣ୍ଡ ଡି’ର ସଚିବ ତଥା ଡିଆରଡିଓ (DRDO) ର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଡିଆରଡିଓ, ଭାରତୀୟ ସେନା ଏବଂ ଏହି କ୍ଷେପଣାସ୍ତ୍ର ଉତ୍ପାଦନ ସ୍ତରକୁ ଆଣିଥିବା ଉଦ୍ୟୋଗ ସମୂହର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
Also Read | Brahmos Supersonic Cruise Missile: ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର INS ଚେନ୍ନାଇରୁ ସଫଳ ବ୍ୟାବହାରିକ ପରୀକ୍ଷଣ

