Bonus: ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ମଜୁରି ସମକକ୍ଷ ବୋନସ, ୧୧.୫୮ ଲକ୍ଷ ରେଳ କର୍ମଚାରୀ ଉପକୃତ

Share this:

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୧.୫୮ ଲକ୍ଷ ଅଣଗେଜେଟେଡ ରେଳବାଇ କର୍ମଚାରୀ ୭୮ ଦିନର ମଜୁରି ସମକକ୍ଷ ଉତ୍ପାଦନଭିତ୍ତିକ ବୋନସ ପାଇବେ। ଏହି ବୋନସର ମୋଟ ପରିମାଣ ୨୦୮୧.୬୮ କୋଟି ଟଙ୍କା।

ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳବାଇ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଆରପିଏଫ୍‌ ଓ ଆରପିଏସ୍‌ଏଫ୍‌ କର୍ମଚାରୀଙ୍କ ବ୍ୟତୀତ ଆଉ ସବୁ ଅଣଗେଜେଟେଡ ରେଳ କର୍ମଚାରୀ ଏହି ଉତ୍ପାଦନ ଭିତ୍ତିକ ବୋନସ ପାଇବେ। ସଂପୃକ୍ତ କର୍ମଚାରୀଙ୍କୁ ୭୮ ଦିନର ବେତନ ସମକକ୍ଷ ବୋନସ ପ୍ରଦାନ କରାଯିବ ଏବଂ ଏ ବାବଦ ମୋଟ ଖର୍ଚ୍ଚ ୨୦୮୧.୬୮ କୋଟି ଟଙ୍କା ହେବ ବୋଲି ହିସାବ କରାଯାଇଛି। ଉତ୍ପାଦନଭିତ୍ତିକ ବୋନସ ପ୍ରଦାନ କରିବା ପାଇଁ ସଂପୃକ୍ତ କର୍ମଚାରୀଙ୍କ ବେତନ ହିସାବର ଯେଉଁ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇଛି ତାହା ମାସିକ ୭ ହଜାର ଟଙ୍କା। ୭୮ଦିନ ପାଇଁ ଜଣେ କର୍ମଚାରୀ ସର୍ବାଧିକ ୧୭ ହଜାର ୯୫୧ ଟଙ୍କା ବୋନସ ପାଇବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୧୧ ଲକ୍ଷ ୫୮ ହଜାର ଅଣଗେଜେଟେଡ ରେଳ କର୍ମଚାରୀ ଉପକୃତ ହେବେ।

ଉତ୍ପାଦନଭିତ୍ତିକ ବୋନସ ପାଇଁ ଆରପିଏଫ୍‌ ଓ ଆରପିଏସ୍‌ଏଫ୍‌ କର୍ମଚାରୀଙ୍କ ବ୍ୟତୀତ ଆଉ ସମସ୍ତ ଅଣଗେଜେଟେଡ ରେଳ କର୍ମଚାରୀ ଯୋଗ୍ୟ ବିବେଚିତ। ଅଣଗେଜେଟେଡ ବର୍ଗର ଦେଶର ସବୁ ରେଳ କର୍ମଚାରୀଙ୍କୁ ଏହି ବୋନସ ମିଳିବ। ପ୍ରତିବର୍ଷ ଦଶହରା ପୂର୍ବରୁ ସଂପୃକ୍ତ ରେଳ କର୍ମଚାରୀଙ୍କ ପାଇଁ ଉତ୍ପାଦନଭିତ୍ତିକ ବୋନସ ଘୋଷଣା କରାଯାଇଥାଏ। ଚଳିତବର୍ଷ ପୂଜା ଛୁଟି ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ଏହି ବୋନସ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବ ଏବଂ ରେଳବାଇର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

Related Post | Diwali Bonus: ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଦୀପାବଳି ଭେଟି

ସୂଚନାଯୋଗ୍ୟ ଯେ ଏହି ବୋନସ ସବୁବେଳେ ବିଗତ ଆର୍ଥିକ ବର୍ଷର କାର୍ଯ୍ୟ ପ୍ରଦର୍ଶନକୁ ବିଚାରକୁ ନେଇ ଘୋଷଣା କରାଯାଇଥାଏ। ତେଣୁ ଚଳିତବର୍ଷ ଏହି ବୋନସ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ। ଏହି ଆର୍ଥିକ ବର୍ଷଟି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି। ମହାମାରୀ ସତ୍ତ୍ୱେ ରେଳ କର୍ମଚାରୀମାନେ କଠୋର ପରିଶ୍ରମ କରି ଶ୍ରମିକ ସ୍ପେଶାଲ ଟ୍ରେନ ଓ ବିଭିନ୍ନ ପ୍ରକାର ମାଲଗାଡି ଚଳାଇବାରେ ଉଲ୍ଲେଖୀୟ ଭୂମିକା ଗ୍ରହଣ କରିଛନ୍ତି। ବିଶେଷକରି ଖାଦ୍ୟଶସ୍ୟ, ସାର, କୋଇଲା ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ନିମନ୍ତେ ଲକ୍‌ଡାଉନ ସମୟରେ ନିୟମିତ ମାଲଗାଡ଼ି ଚଳାଚଳ କରୁଥିଲା। ରେଳବାଇର ଏହି କାର୍ଯ୍ୟ ଫଳରେ ଲକ୍‌ଡାଉନ ସମୟରେ ଦେଶର ୨୦୦ ଗୁରୁତ୍ୱପୂର୍ଣ୍ଣ ରକ୍ଷଣାବେକ୍ଷଣ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିଥିଲା। ଏହା ରେଳ ନିରାପତ୍ତା ଓ ରେଳ ପରିବହନର ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି।

ମାଲ ପରିବହନ କ୍ଷେତ୍ରରେ ମଧ୍ୟ କୋଭିଡ୍‌ ମହାମାରୀ ସମୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ମାଲବାହୀ ଗାଡିଗୁଡିକର ବେଗ ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି। ସେହିଭଳି ମାଲ ବୋଝେଇ ପରିମାଣ ଅକ୍‌ଟୋବର ଅବଧି ମଧ୍ୟରେ ଗତବର୍ଷ ତୁଳନାରେ ୧୪ ଶତାଂଶ ବଢିଛି। ୨୦୧୯ -୨୦ ଆର୍ଥିକ ବର୍ଷ ପାଇଁ ଉତ୍ପାଦନଭିତ୍ତିକ ବୋନସ ପ୍ରଦାନ ରେଳବାଇ କର୍ମଚାରୀଙ୍କ ମନୋବଳ ଦୃଢ କରିବ। ଏହା ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ଆହୁରି ବଢାଇବ। ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ରେଳ ପରିବାରରେ ସମାବେଶିତା ଓ ନିଜସ୍ୱ ଭାବକୁ ତ୍ୱରାନ୍ୱିତ କରିବ। ଏହାର ପ୍ରଭାବ ମଧ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଆହୁରି ମଧ୍ୟ ଏହା ପୂଜା ପାର୍ବଣ ସମୟରେ ଖାଉଟିଙ୍କ ଅର୍ଥ ଖର୍ଚ୍ଚ କରିବାର ଦକ୍ଷତା ବୃଦ୍ଧିରେ ସହାୟକ ହେବ।

Also Read | Coal India: କୋଲ ଇଣ୍ଡିଆ କର୍ମଚାରୀ ୬୮୫୦୦ ଟଙ୍କା ବୋନସ ପାଇବେ, ଅକ୍ଟୋବର ୨୨ ସୁଦ୍ଧା ପ୍ରଦାନ

Share this:

Leave a Reply

Your email address will not be published. Required fields are marked *