Corona Vaccine: ରାଜ୍ୟରେ ପହଞ୍ଚିଲା ଆଉ ୨ ଲକ୍ଷ କୋଭିସିଲ୍ଡ ଟିକା, ଆସନ୍ତା କାଲିଠାରୁ ରାଜ୍ୟରେ ଟିକାକରଣ ହେବ ସ୍ୱାଭାବିକ

Share this:

ଭୂବନେଶ୍ଵର: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ରେମଡ଼େଶିଭିର ଇଞ୍ଜେକ୍ସନ (Remdesivir Injection) ର ପ୍ରସ୍ତୁତି ପରିମାଣ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡବ୍ୟ (Shri Mansukh Mandaviya) କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଏହି ଇଞ୍ଜେକ୍‍ସନର ଉତ୍ପାଦନକୁ ଦୁଇଗୁଣ ବୃଦ୍ଧି କରାଯାଇ ଦୈନିକ ୩ ଲକ୍ଷ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯିବ। ଦେଶରେ ଏହି ଇଞ୍ଜେକ୍‍ସନର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ରେମଡେଶିଭିର ଇଞ୍ଜେକ୍‍ସନ ବିଶେଷ ଫଳପ୍ରଦ ହୋଇପାରିଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ଦେଶର ୨୦ଟି ପ୍ରସ୍ତୁତକାରୀ ପ୍ଲାଣ୍ଟର ଏହି ଇଞ୍ଜେକ୍‍ସନ ପ୍ରସ୍ତୁତ କରାଯାଉଛି। ତେବେ ଆଉ ୨୦ଟି ପ୍ରସ୍ତୁତକାରୀ ପ୍ଲାଣ୍ଟକୁ ଏଥିପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏବେ ଦୈନିକ ଦେଢ଼ଲକ୍ଷ ରେମଡେଶିଭିର ଇଞ୍ଜେକ୍‍ସନ ପ୍ରସ୍ତୁତ ହେଉଛି।

ସେହିପରି ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ଡୋଜ୍‍ କୋଭିସିଲ୍‍ଡ ଟିକା ମହଜୁଦ ରହିଛି। ତେବେ ଆଜି ଆଉ ୨ ଲକ୍ଷ କୋଭିସିଲ୍‍ଡ ଟିକା କେନ୍ଦ୍ରରୁ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗତ କିଛିଦିନ ହେବ ଟିକାର ଅଭାବ ଯୋଗୁଁ କେତେକ ଟିକାକରଣ କେନ୍ଦ୍ରକୁ ବନ୍ଦ ରଖାଯାଇଥିଲା। ଏବେ ସବୁ ଜିଲ୍ଲାକୁ ଟିକା ବିତରଣ କରାଯାଇପାରିବ। ଆସନ୍ତାକାଲିଠାରୁ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି। ତେବେ ଆଜି ସପ୍ତାହାନ୍ତ ସଟ୍‍ଡାଉନ୍‍ ଥିବାରୁ ୧୦ଟି ଜିଲ୍ଲାର ଟିକାକରଣ କେନ୍ଦ୍ର ବନ୍ଦ ରହିଛି।

ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବେଡ୍‍ ସଂଖ୍ୟାକୁ ୪ରୁ ୫ ଗୁଣ ବଢ଼ାଯିବା ସହ ଆଇ.ସି.ୟୁ ବେଡ୍‍କୁ ଦୁଇଗୁଣ ବଢ଼ାଇବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି। ସେହିଭଳି ଅକ୍ସିଜେନ ସୁବିଧା ଥିବା ବେଡ୍‍ ସଂଖ୍ୟା ୬ ପ୍ରତିଶତ ବଢ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ହସ୍‍ପିଟାଲ ଗୁଡ଼ିକରେ ଶଯ୍ୟା ସଂଖ୍ୟା, ଆଇସିୟୁ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ବୃଦ୍ଧି କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ତାଲିମ୍‍ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଏ ନେଇ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟର କୋଭିଡ୍‍ ହସ୍‍ପିଟାଲ ଗୁଡ଼ିକରେ ମୋଟ ଶଯ୍ୟାସଂଖ୍ୟାର ୩୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଥିବାବେଳେ ମୋଟ ଆଇସିୟୁ ଶଯ୍ୟା ସଂଖ୍ୟାର ୬୦ ପ୍ରତିଶତ ବ୍ୟବହାର ହେଉଛି। ତେବେ ଆଗକୁ ରୋଗୀ ସଂଖ୍ୟା ବୃଦ୍ଧିକୁ ଆକଳନ କରାଯାଇ ପଦକ୍ଷେପ ନିଆଯାଉଛି। ସେହିପରି ବୁର୍ଲା ଡାକ୍ତରଖାନାରେ ଏଚ୍‍ଡିୟୁ ଏବଂ ଆଇସିୟୁକୁ ମିଶାଇ ୧୨୫ଟି ବେଡ୍‍, କଟକରେ ୫୦ଟି ଆଇସିୟୁ ବେଡ୍‍ ଏବଂ ବଲାଙ୍ଗୀରରେ ୪୦ଟି ଶଯ୍ୟା ବୃଦ୍ଧି କରାଯିବ ବୋଲି ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ମାତ୍ର ୧୬ ପ୍ରତିଶତ ରୋଗୀ ଭେଣ୍ଟିଲେଟର ଆବଶ୍ୟକ କରୁଛନ୍ତି।

[amazon_auto_links id=”10233″]

Also Read | Corona Odisha: ଓଡ଼ିଶାରେ କରୋନା ତୀବ୍ର ଗତିରେ ବଢୁଛି, ଆଜି ୩୬୬୪ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this: