School Reopens: ଆସନ୍ତା ୭ରୁ ଖୋଲିବ ସ୍କୁଲ ସହିତ ସମସ୍ତ ଶିକ୍ଷାନୁଷ୍ଠାନ

Share this:

ଭୁବନେଶ୍ଵର: ଓଡ଼ିଶାରେ ଆସନ୍ତା ୭ ତାରିଖ ସୋମବାରରୁ ସମସ୍ତ ସ୍କୁଲ ଓ କଲେଜ (School and College) ଖୋଲିବ। ଏନେଇ ଏକ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସୋମବାରରୁ ରାଜ୍ୟରେ ଅଷ୍ଟମରୁ ସମସ୍ତ କ୍ଲାସ ପାଇଁ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଇପାରିବେ। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି।

ଚଳିତ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ। କିନ୍ତୁ କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବ୍ରୁଆରି ୧୪ ତାରିଖ ଠାରୁ ଅଫ୍‌ଲାଇନ୍‌ କ୍ଲାସ ହେବ। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏହା କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ପାଠ ପଢ଼ିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ।

ଆଜି ଏନେଇ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ସୋମବାରରୁ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ଖୋଲିବ। କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ। ଏଥି ସହିତ ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କ୍ଲାସ କରିପାରିବେ।

ପୂର୍ବରୁ ଥିବା ଗାଇଡଲାଇନ ଅନୁସାରେ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ। ସଂପୃକ୍ତ ବିଭାଗ ଗୁଡ଼ିକ ଏସ୍‌ଓପି ଓ ଗାଇଡଲାଇନ ଜାରି କରିବେ। କେଜିଠାରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋଶନ ପରୀକ୍ଷା ହେବ। ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ। ଏଥି ସହିତ ସମସ୍ତ ବିଭାଗ ପକ୍ଷରୁ କରୋନା କଟକଣାରେ କିପରି କ୍ଲାସ ହେବ ସେ ନେଇ ଗାଇଡଲାଇନ ଜାରି କରାଯିବ। ପାଠପଢା ତ୍ୱରାନ୍ୱିତ ପାଇଁ ବିଭିନ୍ନ ବ୍ରିଜ କୋର୍ସ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ହେଲେ ଖରାଛୁଟି ଅବଧି କମାଇପାରିବେ ଶିକ୍ଷାବିଭାଗ। ଖରାଛୁଟି ସମୟରେ ମଧ୍ୟ କ୍ଲାସ କରାଯିବାର ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ ସ୍କୁଲ ଖୋଲିବା ନେଇ ଆଜି ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା କି ନାହିଁ ରାଜ୍ୟ ସ୍ଥିର କରିବ। ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ସ୍କୁଲରେ କ୍ରୀଡା ଉତ୍ସବ, ସାଂସ୍କୃତିକ କାର୍ୟ୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ। ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

Read Also | Ration Card: ମାର୍ଚ୍ଚରୁ ବନ୍ଦ ହୋଇପାରେ ମାଗଣା ରେସନ ଯୋଜନା!

Share this: