Kartika Brata: ପବିତ୍ର ମହାକାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରି ହେବ ମହାପ୍ରସାଦ

Share this:

ପୁରୀ (mahimalive): ଆସନ୍ତାକାଲି ଠାରୁ ଏକମାସ ବ୍ୟାପୀ ପବିତ୍ର ମହାକାର୍ତ୍ତିକ ବ୍ରତ (Kartika Brata) ଆରମ୍ଭ ହେବାକୁ ଯାଉଛି। ସମଗ୍ର ପୁରୀ ସହର (Puri City) ଚଳଚଞ୍ଚଳ ହୋଇଉଠିଛି।

ଆସନ୍ତାକାଲି ପ୍ରତ୍ୟୁଷରୁ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥପୂଷ୍କରିଣୀ ସମେତ ମହୋଦଧିରେ ସ୍ନାନସାରି ବ୍ରତପାଳନ ଲାଗି ଛଞ୍ଚା ଟେକିବାପରେ ସଂକଳ୍ପ ପୂର୍ବକ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ବିଗତ ଏକାଦଶୀଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ରାଧାଦାମୋଦର ବେଶ ଓ ବାଳଭୋଗ ନୀତି ସମ୍ପନ୍ନ ହେଉଅଛି। ଏହି ବେଶ ଶୁକ୍ଳ ଦଶମୀ ଯାଏ ଚାଲିବ। ମହାମାରୀ କରୋନା ସଂକ୍ରମଣ ଆଶଂକା ଥିବାରୁ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ ପାଇଁ ଚଳିତ ବର୍ଷ ପୁରୀ ନଆସି ଘରେ ପାଳନ କରିବାକୁ ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ପୁରୀରେ ଖୋଲା ଯାଉଥିବା ହବିଷ୍ୟାଳି ଶିବିର ଚଳିତ ବର୍ଷ କରୋନା ବ୍ୟାପିବାର ଆଶଂକା କରି କରାଯାଇନାହିଁ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି।

ଆସନ୍ତା କାର୍ତ୍ତିକ ମାସରେ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାପ୍ରସାଦ ବିକ୍ରିର ପ୍ରଶାସନପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ଏବଂ ଉତ୍ତରଦ୍ୱାର ନିକଟରେ ଏକ ଅସ୍ଥାୟୀ ସେଡ୍‍ କରାଯିବା ସହ ସୁଆର, ମହାସୁଆର ନିଯୋଗ ପକ୍ଷରୁ ସେଠାରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଟୋକନ ବିକ୍ରି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ବୋଝିଆମାନେ ଆନନ୍ଦବଜାରରୁ ମହାପ୍ରସାଦ ଆଣି ସେଠାରେ ଲୋକଙ୍କୁ ବିକ୍ରି କରିବେ। କରୋନା କଟକଣା ସହ ମନ୍ଦିର ବାହାରେ ଏଭଳି ମହାପ୍ରସାଦ ଧାଡ଼ିରେ ବିକ୍ରି କରାଯିବ ବୋଲି ଜଣାପଡ଼ିଛି।

Also Read | Puri News: ଏଥର ହବିଷ୍ୟାଳିଙ୍କୁ ପୁରୀ ମନା

Share this: