Odisha Panchayat Election: ଏଥର ମତଗଣନା ହେବ ବ୍ଲକ୍‍ ରେ, ଆଜି ଶେଷ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର

Share this:

ଭୁବନେଶ୍ୱର: Odisha First Phase Panchayat Election ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାରକାର୍ଯ୍ୟ ଶେଷ ହେଉଛି। ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୩୦ଟି ରାଜ୍ୟରୁ ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍‍ର ୧ହଜାର ୬ଶହ ୬୯ ଟି ଗ୍ରାମ ପଞ୍ଚାୟତରେ ମତଦାନ ହେବ। ଏଥିରେ ମୋଟ୍‍ ୬୭ ଲକ୍ଷ ୫୧ହଜାର ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

ଏଥିପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରା ଧାର୍ଯ୍ୟ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ସ୍ଥାନ ଗୁଡ଼ିକରେ ଆଜି ସଂଧ୍ୟା ୭ଟା ପରେ ଆଉ ପ୍ରଚାର କରାଯିବ ନାହିଁ। ଇତିମଧ୍ୟରେ ଆଜିଠାରୁ ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀ ବୁଥ୍‍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ମାଓପ୍ରବଣ ଜିଲ୍ଲା ରାୟଗଡାରେ ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନ ଗୁଡ଼ିକରେ ଡିଭିଏଫ୍‍, ସିଆର୍‍ପିଏଫ୍‍, ଏସ୍‍ଓଜି ଙ୍କ ସମେତ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସେହିପରି ଆଜିଠାରୁ ଏହି ଅଞ୍ଚଳରେ ପାଟ୍ରୋଲିଂ ଓ ପୁଲିସ ଅପରେସନକୁ କଡାକଡି କରାଯାଇଥିବା ମୁନିଗୁଡା ଏସ୍‍ଡିପିଓ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରେ ଆସନ୍ତା ବୁଧବାର ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ। ଏହି ଦୁଇଟି ବ୍ଲକ ନକ୍ସଲପ୍ରବଣ ହୋଇଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସମସ୍ତ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଛି।

ସୂଚନା ଅନୁସାରେ ବୈଧ ଭୋଟ୍‍ ସମ୍ପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିସନ ଜଣାଇ ଦେଇଛନ୍ତି। ବାଲାଟ୍‍ର ଏକାଧିକ ମୋହର ବାଜିଥିଲେ ତାହାକୁ ଅବୈଧ ବିବେଚନା କରାଯିବ। କେବଳ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଚିହ୍ନ ଉପରେ ବାଜିଥିବା ମୋହରକୁ ବୈଧ ବିବେଚନା କରାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି।

ସବୁଠାରୁ ଗୁରିତ୍ଵପୂର୍ଣ୍ଣ କଥା ହେଉଛି ପଞ୍ଚାୟତ ନିର୍ବାଚନ ମତଗଣନା ପ୍ରଥମ ଥର ପାଇଁ ବ୍ଲକ୍‍ ମୁଖ୍ୟାଳୟରେ ହେବ। ଜିଲ୍ଲାପାଳ ବ୍ୟକ୍ତଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ତଦାରଖକରିବେ। ମତଗଣନା ୩ ଦିନ ମଧ୍ୟରେ ଶେଷ ହେବ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମତଗ୍ରହଣ ପରେ ଭୋଟ ବାକ୍ସଗୁଡ଼ିକୁ ମତ ଗଣନା କେନ୍ଦ୍ର ନିକଟସ୍ଥ ଷ୍ଟ୍ରଙ୍ଗରୁମରେ ରଖାଯିବ। ମତଗଣନା କେନ୍ଦ୍ରକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଏବଂ ଜଳଯୋଗାଣ କରାଯିବ। ଷ୍ଟ୍ରଙ୍ଗରୁମ୍‍ର ୨୪ ଘଣ୍ଟିଆ ସିସିଟିଭି କାର୍ଯ୍ୟ କରିବ। ପ୍ରତ୍ୟେକ ମତଗଣନା ଟେବୁଲ ପାଇଁ ଜଣେ ସୁପରଭାଇଜର, ୨ ଜଣ ଆସିଷ୍ଟାଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ହେବେ। ମତଗଣନା ସମ୍ପର୍କିତ ସମସ୍ତ କାର୍ଯ୍ୟର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Share this:

Leave a Reply

Your email address will not be published. Required fields are marked *