Odisha Panchayat Election: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ

Share this:

ଭୁବନେଶ୍ଵର: Odisha Panchayat Election 2022 ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନ୍‍ଙ୍କ ସୂଚନା ଅନୁସାରେ ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ମିଳିଛି। ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଭୋଟ୍‍ଗ୍ରହଣ ଲାଗି ସମୟ ସ୍ଥିର କରାଯାଇଥିଲେ ମଧ୍ୟ ଯେଉଁମାନେ ବୁଥ୍‍ ପରିସରରେ ଥିଲେ, ସେମାନଙ୍କୁ ଭୋଟ୍‍ ଦେବାକୁ ଅନୁମତି ଦିଆଯାଇଥିଲା।

ସୂଚନାଯୋଗ୍ୟ ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭୧ଟି ବ୍ଲକ୍‍ର ୧ ହଜାର ୬୬୯ ଜଣ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ, ୨୨ ହଜାର ୩୭୯ ୱାର୍ଡ଼ ସଭ୍ୟ ଏବଂ ୨୦୦ ଜିଲ୍ଲା ପରିଷଦ ସଭ୍ୟଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ଲାଗି ଭୋଟ୍‍ ନିଆଯାଇଛି। କୋଭିଡ୍‍ କଟକଣା ମଧ୍ୟରେ ଭୋଟର ସେମାନଙ୍କର ମତାଧିକାର ପ୍ରଦାନ କରିଛନ୍ତି।

ଆଜି କେତେକ ସମ୍ବେଦଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଯାଜପୁର ଜିଲ୍ଲାର ସୁଜନପୁର ପଞ୍ଚାୟତରେ ବୁଥ୍‍ ଭିତରେ ଭଙ୍ଗାରୁଜା ସହ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପୁଲିସ୍‍ ମୁତୟନ କରାଯାଇଛି।  ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁର ୯ ନମ୍ବର ବୁଥରେ ମତଦାନ ଚାଲିଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ମତଦାନ କେନ୍ଦ୍ର ଭିତରେ ପ୍ରବେଶ କରି ଭୋଟ୍‍ ବାକ୍ସ ଉଠାଇ ନେଇଥିବା ଖବର ମିଳିଛି। ଏଥିସହିତ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ସେହିପରି ବୌଦ ଜିଲ୍ଲା ଭାଲିଆପଦରଠାରେ ସ୍କୁଲ୍‍ ପ୍ରତିଷ୍ଠା ଦାବିରେ ଭୋଟ୍‍ ବର୍ଜନ ସହ ବୁଥ୍‍ ଆଗରେ ଭୋଟର୍‍ମାନେ ବସିଥିବାର ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଉଛି।

Share this: