ଗରିବ, ଅତିଗରିବ ଓ ପ୍ରବାସୀ ଫେରନ୍ତାଙ୍କ ପାଇଁ ୪ ଆର୍ଥିକ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Share this:

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ଥ ହୋଇଥିବା ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ନିମନ୍ତେ ଚାରୋଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଇତ୍ୟାଦି ଏହି ଦିଗରେ କାର୍ଯ୍ୟ କରିବେ। ଏହା ଦ୍ୱାରା ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତା, କୃଷି ଏବଂ ଅଣ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ ଯାହାକି ରାଜ୍ୟର ଆର୍ଥିକସ୍ଥିତିକୁ ସୁଦୃଢ଼ କରିପାରିବ।

ପ୍ୟାକେଜ-୧ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ହଜାର ପର୍ଯ୍ୟନ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାରର ସଦସ୍ୟ କୃଷି ଏବଂ ଅଣ କୃଷି ଉଦ୍ୟୋଗର ବିକାଶ ନିମନ୍ତେ ଏହି ଋଣ ନେଇ ପାରିବେ।

ପ୍ୟାକେଜ-୨ କୃଷି ଏବଂ ଅଣ କୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ଲକ୍ଷେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ୬ମାସରୁ ଅଧିକ ଉଦ୍ୟୋଗ ଗୋଷ୍ଠୀ ଏବଂ ଏକ ବର୍ଷରୁ ଊର୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

ପ୍ୟାକେଜ-୩ ଅତିଗରିବ କିମ୍ବା ଅସହାୟ ପରିବାର ଦିବ୍ୟାଙ୍ଗ, ଆଦିମ ଜନଜାତି, ବିଧବା, ତୃତୀୟଲିଙ୍ଗୀ, ନିରାଶ୍ରୟ, ମହିଳା ମୁଖ୍ୟ ଥିବା ପରିବାର ଇଦ୍ୟାଦିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।

ପ୍ୟାକେଜ-୪ କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଭୟ ପୁରୁଣା ଉଦ୍ୟୋଗର ବିକାଶ ତଥା ନୂତନ ଉଦ୍ୟୋଗର ଆରମ୍ଭ ନିମନ୍ତେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।

୬୦ ଲକ୍ଷରୁ ଉର୍ଦ୍ଧ୍ବ କୋଭିଡ-୧୯ ଦ୍ବାରା କ୍ଷତିଗ୍ରସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ସେମାନଙ୍କ ପରିବାରର ଉଦ୍ୟୋଗ ଗୁଡିକୁ ଏହି ପ୍ୟାକେଜ ମାଧ୍ୟମରେ ପୁନଃକାର୍ଯ୍ୟକ୍ଷମ କରାଯାଇପାରିବ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ( DRDA )ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ଭିତ୍ତିକ ସଂସ୍ଥା ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ଉଦ୍ୟୋଗ ତଥା ଉତ୍ପାଦକ ଗୋଷ୍ଠୀ ଏହି ପ୍ୟାକେଜକୁ କାର୍ଯ୍ୟକାରୀ କରିବା ନିମନ୍ତେ ସହାୟତା ପ୍ରଦାନ କରିବେ। ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣାର ୬ମାସ ପର୍ଯ୍ୟନ୍ତ ବୈଧ ରହିବ। ଏହି ବାବଦରେ ଆଞ୍ଚଳିକ ମଞ୍ଚ, ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଖରେ ମହଜୁଦ ଥିବା ବଳକା ଅର୍ଥ ରାଶି ଆନୁମାନିକ ୨ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ ରଖାଯାଇଛି।

Also Read:

DL ସହିତ ଗାଡି କାଗଜପତ୍ରର ବୈଧତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା, ହେବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ଓଡ଼ିଶାରେ ୬ଟି ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: