ଓଡ଼ିଶା ସମେତ ୯ଟି ରାଜ୍ୟରେ ୨୨ଟି ବାଉଁଶ କ୍ଲଷ୍ଟରର ଶୁଭାରମ୍ଭ;ଜାତୀୟ ବାଉଁଶ ମିଶନ ଗଠିତ

Share this:

ମୋଦୀଙ୍କ ସ୍ୱପ୍ନ ବାସ୍ତବ ରୂପ ଗ୍ରହଣ କରିବ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଓଡିଶା (Odisha)ସମେତ ଦେଶର ୯ ଟି ରାଜ୍ୟ ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର (Maharashtra), ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ରେ ୨୨ଟି ବାଉଁଶ କ୍ଲଷ୍ଟର (Bamboo Cluster) ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ତୋମର ଜାତୀୟ ବାଉଁଶ ମିଶନ (National Bamboo Mission) ର ଲୋଗୋ ମଧ୍ୟ  ଉନ୍ମୋଚନ କରିଛନ୍ତି। ଭର୍ଚୁଆଲ ମୋଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସେ କହିଲେଯେ ଦେଶ ଏବେ ବାଉଁଶରୁ ନିର୍ମିତ ବିଭିନ୍ନ ସୌଖିନ ସାମଗ୍ରୀକୁ ବିଦେଶକୁ ପ୍ରଚୁର ପରିମାଣରେ ରପ୍ତାନୀ ବୃଦ୍ଧି କରିବା ଦିଗରେ ନିଜକୁ ପ୍ରସ୍ତୁତ କରୁଛି।

ଏହି ଭିଡ଼ିଓ କନଫରେନ୍ସରେ ଉଦବୋଧନ ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର କହିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଦାବେଳେ ସ୍ଥାନୀୟ ଶିଳ୍ପମାନଙ୍କର ସୁରକ୍ଷା ଏବଂ ସେଗୁଡ଼ିକୁ ପ୍ରଗତିଶୀଳ କରିବା ଉପରେ ଗୁରୁତ୍ୱ ଆରୋପ କରିଆସିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କର ଜୀବନ ଜୀବିକା ବୃଦ୍ଧି ପାଇବ ଏବଂ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ ମତ ପୋଷଣ କରନ୍ତି। ବାଉଁଶ କ୍ଷେତ୍ରରେ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ହାସଲ ହୋଇଛି ଏବଂ ଏଥିରେ ବାଉଁଶ ମିଶନରେ ସାମିଲ ସମସ୍ତ ହିତଧାରକଙ୍କର ନିଷ୍ଠାପର ସହଯୋଗ ରହିଛି। ବାଉଁଶର ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଭାରତୀୟ ଜଙ୍ଗଲ ଆଇନ ୧୯୨୭ରେ ୨୦୧୭ ମସିହାରେ ସଂଶୋଧନ କରିଥିଲେ ଏବଂ ବାଉଁଶକୁ ବୃକ୍ଷ ବର୍ଗରୁ ବାଦ୍ ଦେଇଥିଲେ। ଫଳ ସ୍ୱରୂପ ଏବେ ଯେକୌଣସି ବ୍ୟକ୍ତିବିଶେଷ ବାଉଁଶ ଚାଷ କରିପାରିବେ ଏବଂ ଏହାର ଅବାଧ ବ୍ୟବସାୟ ମଧ୍ୟ ସଂପାଦନ କରିପାରିବେ। ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମଧ୍ୟ ଏହାର ବିପଣନ କରିପାରିବେ। ସେହିଭଳି ଦେଶର ଆବଦାନୀ ନୀତିରେ ମଧ୍ୟ ପରିବର୍ତ୍ତନ ଘଟାଯାଇଛି ଏବଂ ତାହା ଦ୍ୱାରା ଦେଶର ବାଉଁଶ ଶିଳ୍ପ କ୍ଷେତ୍ରର ଯଥେଷ୍ଟ ପ୍ରଗତି ସମ୍ଭବପର ହୋଇପାରିବ ବୋଲି ସେ ଆଶା ପୋଷଣ କରିଥିଲେ। ଶ୍ରୀ ତୋମର କହିଲେ ଯେ ବାଉଁଶର ବ୍ୟବହାର ଭାରତରେ ଏକ ପ୍ରାଚୀନ ପରମ୍ପରା ହୋଇ ରହିଆସିଛି ଏବଂ ଆଧୁନିକ ପ୍ରଯୁକ୍ତି ଏବେ ଏହାକୁ ଆବଶ୍ୟକ ସହଯୋଗ ଯୋଗାଉଛି। ବାଉଁଶ ଶିଳ୍ପ କ୍ଷେତ୍ରରେ ଦେଶର ଯୁବକଯୁବତୀମାନଙ୍କୁ ଆବଶ୍ୟକ ତାଲିମ ଯୋଗାଇ ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ।

ଏହି ମର୍ମରେ ମନ୍ତ୍ରୀ ଶ୍ରୀ ତୋମର ରାଜ୍ୟମାନଙ୍କୁ ଆହ୍ୱାନ ଜଣାଇ କହିଲେ ଯେ ସେମାନେ ବାଉଁଶ ମିଶନର ଲକ୍ଷ୍ୟକୁ ଆହୁରି ଆଗକୁ ଆଗେଇ ନେଇଯିବା ସକାଶେ ପ୍ରୟାସ ଜାରି ରଖିବା ଉଚିତ। ଏହାଦ୍ୱାରା ମିଶନର ଉଦ୍ଦେଶ୍ୟ ସଫଳ ହୋଇପାରିବ। ଏହା ଆତ୍ମନିର୍ଭର କୃଷି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିପାରିବ। ବାଉଁଶ ମିଶନ ମାଧ୍ୟମରେ ସରକାର ସ୍ଥାନୀୟ ଶିଳ୍ପୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ସ୍ଥାନୀୟ ଭାବେ ଉତ୍ପାଦନ କରାଯାଉଥିବା ବାଉଁଶ କିଷମ ମାଧ୍ୟମରେ ସେମାନେ ‘ଭୋକାଲ ଫର୍ ଲୋକାଲ’ (Vocal For Local) ଲକ୍ଷ୍ୟ ହାସଲ କରିପାରିବେ। ଏହାଦ୍ୱାରା ସ୍ଥାନୀୟ ବାଉଁଶ କୃଷକମାନଙ୍କର ଉପାର୍ଜନ ବୃଦ୍ଧି ପାଇବ ଏବଂ ଏଥିସହ ସେମାନେ ବିଦେଶରୁ ଅନେକ କଞ୍ଚାମାଲ ଆମଦାନୀ ଉପରେ ମଧ୍ୟ ନିର୍ଭରଶୀଳ ହେବେନାହିଁ। ଭାରତରେ ଥିବା ବାଉଁଶ ସଂପଦ ଏବଂ ବର୍ଦ୍ଧିଷ୍ଣୁ ଶିଳ୍ପର ଉପଯୋଗ କରି ଭାରତ ବିଶ୍ୱ ବଜାରରେ ନିଜର ପ୍ରଯୁକ୍ତିଯୁକ୍ତ ତଥା ହସ୍ତଶିଳ୍ପ ଉତ୍ପାଦର ପ୍ରଭାବ ବିସ୍ତାର କରିବା ସକାଶେ ସେ ଆହ୍ୱାନ ଜଣାଇଥିଲେ।

ବାଉଁଶ ଚାଷ ଦେଶର ପ୍ରାୟ ୨୩ ଟି ରାଜ୍ୟରେ ପରିଲକ୍ଷିତ ହୋଇଥାଏ ଏବଂ ସେଥି ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ୮ ଟି ରାଜ୍ୟ ରହିଛି। ଶିଳ୍ପ ସଂସ୍ଥା ପାଇଁ ଯେଉଁ ୧୦ ଟି ଗୁରୁତ୍ୱପୂର୍ଣ୍ଣ ପ୍ରଜାତିର ବୃକ୍ଷ ଆବଶ୍ୟକ ପଡ଼େ ସେଥି ମଧ୍ୟରୁ ବାଉଁଶ ଅନ୍ୟତମ। ବାଉଁଶ ଚାଷ ନିମନ୍ତେ ଗୁଣାତ୍ମକ ରୋପଣ ସାଧନ ଏବଂ ଚାରା କୃଷକମାନଙ୍କ ପାଇଁ ଉପଲବ୍ଧ। ଆସାମ ବାଉଁଶ ଚାଷ ପାଇଁ ଏଫପିଓମାନଙ୍କୁ ନିୟୋଜିତ କରିସାରିଛି। ନୂଆ ନୂଆ ଏଫପିଓମାନଙ୍କୁ ସଦ୍ୟ ସ୍ୱୀକୃତିପ୍ରାପ୍ତ ଡିଏସିଏଫଡବ୍ଲୁ ଯୋଜନା ମାଧ୍ୟମରେ ସାମିଲ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ଏଭଳି ୧୦ ହଜାର ଏଫପିଓ ଗଠନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଅଧିକନ୍ତୁ ପ୍ରାଥମିକ ପ୍ରକ୍ରିୟାକରଣ ପାଇଁ ସିଏଫସିମାନ ବାଉଁଶ ଚାଷ ହେଉଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଉଛି। ଏହାଦ୍ୱାରା ବାଉଁଶ ପରିବହନ ସକାଶେ ମୂଲ୍ୟ ହ୍ରାସ ଘଟିବ। ସ୍ଥାନୀୟ ଉଦ୍ୟୋଗୀମାନେ ସୃଷ୍ଟି ହୋଇପାରିବେ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଏହାଦ୍ୱାରା କୌଣସି ପ୍ରକାର ବର୍ଜ୍ୟ ସୃଷ୍ଟି ନହେବା ଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ।

Also Read:

ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଛି

ଭାରତର ‘ସବୁଠୁ ବଡ’ ମାମଲା ଲଢିଥିବା କେଶବାନନ୍ଦ ଭାରତୀଙ୍କ ପରଲୋକ

Share this: