Mann Ki Baat:ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଶକ୍ତିଗୁଡ଼ିକୁ କଡ଼ା ଜବାବ ଦିଆଯାଇ ପାରୁଛି:PM Modi

Share this:

ନୂଆଦିଲ୍ଲୀ:ସେବା ଓ ସହଯୋଗ ପାଇଁ ଦୃଢ଼ ମନୋବଳ ଯୋଗୁଁ ମହାମାରୀକୁ ପ୍ରତିହତ କରିବା ଦିଗରେ ଆମେ ଅଗ୍ରସର ହେଉଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) କହିଛନ୍ତି। ‘ମନ୍‍ କି ବାତ୍‍’ (Mann Ki Baat) କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବବିନିମୟ କରି ଶ୍ରୀ ମୋଦୀ କହିଛନ୍ତି, ଦ୍ୱିତୀୟ ଲହର କୋଭିଡ (Second Wave Covid) ମହାମାରୀର ମୁକାବିଲା କରିବା ପାଇଁ ଡାକ୍ତର, ନର୍ସ ଓ ସମ୍ମୁଖ ଯୋଦ୍ଧାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଭୃକ୍ଷେପ ନ କରି ଦିନରାତି ୨୪ଘଣ୍ଟା ରୋଗୀମାନଙ୍କର ସେବା କରୁଥିବା ଦେଶବାସୀ ଦେଖୁଛନ୍ତି।

ଦ୍ୱିତୀୟ ଲହର କୋଭିଡ ମହାମାରୀ ବିରୁଦ୍ଧରେ ସଂଗ୍ରାମ କରୁଥିବା କରୋନା ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେତେବେଳେ କୌଣସି ପ୍ରକାର ଆହ୍ୱାନର ମୁକାବିଲା କରିବାକୁ ପଡ଼ିଥାଏ, ସେତେବେଳେ ଦେଶବାସୀଙ୍କ ପ୍ରତିବଦ୍ଧତା ଆହୁରି ଦୃଢ଼ ହୋଇଥାଏ। ଶ୍ରୀ ମୋଦୀ କହିଛନ୍ତି, ଦ୍ୱିତୀୟ ଲହର ମହାମାରୀ ଆରମ୍ଭରୁ ହିଁ ହଠାତ୍‍ ଅକ୍ସିଜେନ ପ୍ରତି ଚାହିଦା ବୃଦ୍ଧି ପାଇଥିଲା। ଅଧିକାଂଶ ଶିଳ୍ପ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକ ଦେଶର ପୂର୍ବାଞ୍ଚଳରେ ରହିଥିବାରୁ କ୍ରାୟୋଜେନିକ ଟ୍ୟାଙ୍କର ଚାଳକ, ଅକ୍ସିଜେନ ଏକ୍ସପ୍ରେସ୍‍ ଟ୍ରେନ୍‍ ଓ ବିମାନ ବାହିନୀର ପାଇଲଟମାନେ ଯୁଦ୍ଧକାଳୀନ ଭିତ୍ତିରେ ଦେଶର ବିଭିନ୍ନ ସ୍ଥାନରେ ମେଡ଼ିକାଲ ଅକ୍ସିଜେନ ଯୋଗାଇ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ରେଳବାଇ ପକ୍ଷରୁ ଅକ୍ସିଜେନ ଏକ୍ସପ୍ରେସ୍‍ ଟ୍ରେନ୍‍ ଜରିଆରେ ବିପୁଳ ପରିମାଣର ମେଡ଼ିକାଲ ଅକ୍ସିଜେନ ବିଭିନ୍ନ ଅଞ୍ଚଳରେ ପହଞ୍ଚାଯାଇଛି। ଗୋଟିଏ ଅକ୍ସିଜେନ ଏକ୍ସପ୍ରେସ୍‍ ଟ୍ରେନ୍‍କୁ ମହିଳାମାନେ ଚଳାଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୌବାହିନୀ, ବିମାନ ବାହିନୀ ଓ ପଦାତିକ ବାହିନୀ ସମେତ ଡିଆର୍‍ଡିଓ ଭଳି ସଂଗଠନଗୁଡ଼ିକର ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, କୋରୋନା ମହାମାରୀ ଆରମ୍ଭ ହେବାବେଳେ ଦେଶରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିବା ବେଳେ ବର୍ତ୍ତମାନ ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାଗାରରେ କୋଭିଡ ନମୁନା ପରୀକ୍ଷା କରାଯାଉଛି। ଆରମ୍ଭରୁ ମାତ୍ର କେତେ ଶହ ପରୀକ୍ଷା କରାଯାଉଥିଲାବେଳେ ବର୍ତ୍ତମାନ ଦୈନିକ ୨୦ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷା କରାଯାଇ ପାରୁଛି। ଏ ପର୍ଯ୍ୟନ୍ତ ୩୩ କୋଟି ନମୁନା ପରୀକ୍ଷା କରାଯାଇ ସାରିଲାଣି।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଅମ୍ଫନ୍, , ଅନେକ ରାଜ୍ୟରେ ବନ୍ୟା ହେଲା, ଅନେକ ଛୋଟ-ବଡ଼ ଭୂମିକମ୍ପ ହେଲା, ଭୂସ୍ଖଳନ ହେଲା। ଏବେ ଏବେ ବିଗତ ଦଶ ଦିନ ମଧ୍ୟରେ ହିଁ ଦେଶ ପୁଣି ଥରେ ଦୁଇଟି ବଡ଼ ବାତ୍ୟାର ସମ୍ମୁଖୀନ ହେଲା। ପଶ୍ଚିମ ଉପକୂଳରେ ବାତ୍ୟା “ତାଉତେ’’ (Taukte) ଏବଂ ପୂର୍ବ ଉପକୂଳରେ ବାତ୍ୟା “ୟାସ୍’’ (Yaas)। ଏହି ଦୁଇ ବାତ୍ୟା ଅନେକ ରାଜ୍ୟକୁ ପ୍ରଭାବିତ କରିଛି। ଦେଶ ଏବଂ ଦେଶର ଜନତା ପୂର୍ଣ୍ଣ ଶକ୍ତି ସହ ଏହା ସହିତ ସଂଗ୍ରାମ କଲେ ଏବଂ ନ୍ୟୁନତମ ଜୀବନହାନୀ ସୁନିଶ୍ଚିତ ହେଲା। ଏବେ ଆମେ ଅନୁଭବ କରୁଛୁ ଯେ, ପୂର୍ବ ବର୍ଷମାନଙ୍କ ଅପେକ୍ଷା ଆମେ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରୁଛୁ। ସଙ୍କଟର ଏହି କଠିନ ଏବଂ ଅସାଧାରଣ ପରିସ୍ଥିତିରେ ବାତ୍ୟାରେ ପ୍ରଭାବିତ ହୋଇଥିବା ସମସ୍ତ ରାଜ୍ୟର ଲୋକେ ଯେଉଁଭଳି ସାହସର ପରିଚୟ ଦେଇଛନ୍ତି, ଏହି ସଙ୍କଟଜନକ ସମୟରେ ଅତ୍ୟନ୍ତ ଧୈର୍ଯ୍ୟ ସହ, ଶୃଙ୍ଖଳିତ ଭାବେ ମୁକାବିଲା କରିଛନ୍ତି। କେନ୍ଦ୍ର, ରାଜ୍ୟ ସରକାରମାନେ ଏବଂ ସ୍ଥାନୀୟ ପ୍ରଶାସନ – ସମସ୍ତେ ଏକାଠି ମିଶି ଏହି ବିପତ୍ତିର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି। ମୁଁ ସେହି ସମସ୍ତ ଲୋକଙ୍କ ପ୍ରତି ନିଜର ସମବେଦନା ପ୍ରକାଶ କରିବାକୁ ଚାହୁଁଛି, ଯେଉଁମାନେ ନିଜର ଆତ୍ମୀୟମାନଙ୍କୁ ହରାଇଛନ୍ତି। ଯେଉଁମାନେ ଏହି ବିପର୍ଯ୍ୟୟରେ କ୍ଷତିର ସମ୍ମୁଖୀନ ହୋଇଛନ୍ତି, ଆମେ ସମସ୍ତେ ଏହି ଦୁଃସମୟରେ ଦୃଢ଼ତାର ସହ ସେମାନଙ୍କ ସହିତ ଛିଡ଼ା ହୋଇଛୁ।

ପ୍ରତ୍ୟେକ ନାଗରିକ ଦେଶକୁ ଆଗକୁ ବଢ଼ାଇବାରେ କିଛିକିଛି ପାଦ ଆଗକୁ ବଢ଼ାଇବାର ପ୍ରୟାସ କରିଛନ୍ତି। ହଁ, ଯେଉଁଠି ସଫଳତା ଥାଏ ସେଇଠି ପରୀକ୍ଷା ମଧ୍ୟ ହୋଇଥାଏ। ଏହି ୭ ବର୍ଷ ଭିତରେ ଆମେ ଏକାଠି ମିଶି ଅନେକ କଠିନ ପରୀକ୍ଷା ମଧ୍ୟ ଦେଇଛୁ ଏବଂ ପ୍ରତ୍ୟେକ ଥର ଆମେ ସମସ୍ତେ ଶକ୍ତିଶାଳୀ ହୋଇ ଉତୀର୍ଣ୍ଣ ହୋଇଛୁ। କରୋନା ମହାମାରୀ ରୂପରେ ଏତେ ବଡ଼ ପରୀକ୍ଷା ତ କ୍ରମାଗତ ଚାଲିଛି। ଏହା ତ ଏଭଳି ଏକ ସଙ୍କଟ, ଯାହା ସମଗ୍ର ପୃଥିବୀକୁ ବିବ୍ରତ କରିଦେଇଛି, ଅନେକ ଲୋକ ଆପଣା ଲୋକଙ୍କୁ ହରାଇଛନ୍ତି। ବଡ଼ବଡ଼ ଦେଶ ମଧ୍ୟ ଏହି ବିପର୍ଯ୍ୟୟରୁ ରକ୍ଷା ପାଇନାହାନ୍ତି। ଏହି ବୈଶ୍ୱିକ ମହାମାରୀ ମଧ୍ୟରେ ଭାରତ, “ସେବା ଓ ସହଯୋଗ’ର ସଙ୍କଳ୍ପ ସହ ଆଗକୁ ବଢ଼ୁଛି।

ସେହିପରି, ଆଜି ବିଜେପି ନେତୃତ୍ୱାଧିନ ଏନ୍‍ଡିଏ ସରକାରଙ୍କ ୭ବର୍ଷ ଶାସନ କାଳ ସଂପୂର୍ଣ୍ଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ସବ୍‍ କା ସାଥ୍‍, ସବ୍‍ କା ବିକାଶ ଓ ସବ୍‍କା ବିଶ୍ୱାସ ପାଇଁ ତାଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ଭାରତ ସରକାର ନିଜ ବୁଦ୍ଧି, ବିଚାର ଓ ଦେଶବାସୀଙ୍କ କଲ୍ୟାଣକୁ ଗୁରୁତ୍ୱଦେଇ ଦେଶକୁ ପ୍ରଗତି ପଥରେ ଆଗେଇ ନେଉଛନ୍ତି। ପୂର୍ବ ଅପେକ୍ଷା ବର୍ତ୍ତମାନର ସରକାରଙ୍କ ଉପରେ ଲୋକମାନଙ୍କର ଆସ୍ଥା ବହୁମାତ୍ରାରେ ବୃଦ୍ଧି ପାଇଛି ଏବଂ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଶକ୍ତିଗୁଡ଼ିକୁ କଡ଼ା ଜବାବ ଦିଆଯାଇ ପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ଦେଶର କେବଳ ସାଢ଼େ ୩ କୋଟି ଗ୍ରାମାଞ୍ଚଳ ପରିବାରଗୁଡିକରେ ପାଇପ୍‍ ଜଳ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ମାତ୍ର ୨୧ ମାସ ଭିତରେ ସାଢ଼େ ୪କୋଟି ଘରକୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ସେ କହିଛନ୍ତି ସରକାର ଓ ଦେଶବାସୀ ମିଳିମିଶି କାର୍ଯ୍ୟ କରିବାରୁ ଏହା ସମ୍ଭବ ହୋଇପାରିଛି।

Also Read | ପୁଣି ବଢିଲା Corona,ରାଜ୍ୟରୁ ଆଜି ୯ ହଜାର ୫୪୧ଚିହ୍ନଟ

Share this: