ଚଳିତବର୍ଷ ଖରିଫ ଫସଲ ବୁଣାବୁଣି ଗତବର୍ଷ ତୁଳନାରେ ଅଧିକ

Share this:

ଦେଶରେ କୋଭିଡ଼-୧୯ର ସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ ଚାଷ କାର୍ଯ୍ୟ ଆଗେଇଚାଲିଛି। ଖରିଫ ଫସଲ ବୁଣାବୁଣି କ୍ଷେତ୍ରରେ କରୋନା ମହାମାରୀର କୌଣସି ପ୍ରଭାବ ପଡିନାହିଁ। ଗତବର୍ଷ ଏହି ସମୟରେ ୫୭୦.୮୬ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିଲା। ଅତଏବ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଦେଶର ଖରିଫ ବୁଣାବୁଣି ୨୧.୨୦ ଶତାଂଶ ଅଧିକ ହୋଇଛି।

ଚଳିତ ଜୁଲାଇ ୧୬ ତାରିଖ ସୁଦ୍ଧା ଦେଶରେ ୩୩୮.୩ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଭାରତରେ ସ୍ୱାଭାବିକ ଭାବେ ୩୦୮.୪ ମିଲିମିଟର ବର୍ଷା ହୋଇଥାଏ। ଅନ୍ୟପକ୍ଷରେ କହିବାକୁ ଗଲେ ଏହି ସମୟ ମଧ୍ୟରେ ଦେଶରେ ୧୦ ଶତାଂଶ ଅଧିକ ବୃଷ୍ଟିପାତ ଜୁନ୍‌ ୧ ରୁ ଜୁଲାଇ ୧୬  ମଧ୍ୟରେ ହୋଇଛି। ଜୁଲାଇ ୧୬  ତାରିଖର କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ ଦେଶର ୧୨୩ ଟି ଜଳଭଣ୍ଡାରରେ ଗତବର୍ଷ ତୁଳନାରେ ୧୫୦ଶତାଂଶ ଅଧିକ ଜଳ ମହଜୁଦ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଏହି ଭଣ୍ଡାରଣ ହାର ୧୩୩ ଶତାଂଶ।  ଜୁଲାଇ ୧୭ ତାରିଖ ସୁଦ୍ଧା ଦେଶର ୬୯୧.୮୬ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲର ବୁଣାବୁଣି କାର୍ଯ୍ୟ ଶେଷ ହୋଇଛି।

ଖରିଫ ଫସଲ ବୁଣାବୁଣି ତଥ୍ୟ :

ଧାନ : ଚଳିତବର୍ଷ ଏ ପର୍ଯ୍ୟନ୍ତ ୧୬୮.୪୭ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଥିବାବେଳେ ଗତବର୍ଷ ଏହି ପରିମାଣ ଥିଲା ୧୪୨.୦୬ ଲକ୍ଷ ହେକ୍ଟର। ଅତଏବ ଏ କ୍ଷେତ୍ରରେ ୧୫.୫୯ ପ୍ରତିଶତ ଅଧିକ ଜମିରେ ଧାନଚାଷ ହୋଇଛି।  

ଡାଲି : ଡାଲି ଜାତୀୟ ଫସଲ କ୍ଷେତ୍ରରେ ଏଯାଏଁ ୮୧.୬୬ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିବାବେଳେ ଗତବର୍ଷ ଏହା ଥିଲା ୬୧.୭୦ଲକ୍ଷ ହେକ୍ଟର। ଏ କ୍ଷେତ୍ରରେ ୩୨.୩୫ ଶତାଂଶ ଅଧିକ ଜମିରେ ଏହି ଫସଲ ଚାଷ ହୋଇଛି।

ତୈଳବୀଜ : ତୈଳବୀଜ କ୍ଷେତ୍ରରେ ଏବର୍ଷ ଗତବର୍ଷ ତୁଳନାରେ ୪୦.୭୫ ଶତାଂଶ ଅଧିକ ଜମିରେ ଫସଲ ଲାଗିଛି। ଗତବର୍ଷ ଏହା ୧୧୦.୦୯ ଲକ୍ଷ ହେକ୍ଟର ଥିବାବେଳେ ଏବର୍ଷ ତାହା ୧୫୪.୯୫ ଲକ୍ଷ ହେକ୍ଟରରେ ପହଞ୍ଚିଛି ।

ଆଖୁ : ଆଖୁଚାଷ କ୍ଷେତ୍ରରେ ମଧ୍ୟ ଏଥର ଗତବର୍ଷ ଅପେକ୍ଷା ୦.୯୨ ପ୍ରତିଶତ ଅଧିକ ଜମିରେ ଫସଲ ଲଗାଯାଇଛି। ଗତବର୍ଷ ଏହା ୫୦.୮୨ ଲକ୍ଷ ହେକ୍ଟରରେ ହୋଇଥିବାବେଳେ ଏଥର ୫୧.୨୯ ଲକ୍ଷ ହେକ୍ଟରରେ ଚାଷ କରାଯାଇଛି।

 କପା : କପାଚାଷ କ୍ଷେତ୍ରରେ ମଧ୍ୟ ଏବର୍ଷ ୧୭.୨୮ ଶତାଂଶ ଅଧିକ ଜମିରେ    ଫସଲ ହୋଇଛି। ଗତବର୍ଷ ଏହା ୯୬.୩୫ ଲକ୍ଷ ହେକ୍ଟର ଥିବାବେଳେ ଏଥର ତାହା ୧୧୩.୦୧ଲକ୍ଷ ହେକ୍ଟରରେ ପହଞ୍ଚିଛି।

ଝୋଟ : ଗତବର୍ଷ ଦେଶରେ ଏହି ସମୟରେ ୬.୮୪ ଲକ୍ଷ ହେକ୍ଟର ଜମିରେ ଝୋଟ ଚାଷ କରାଯାଥିଲା। ଏବର୍ଷ ସେଥିରେ ୦.୭୦ ଶତାଂଶ ବୃଦ୍ଧି ଘଟି ଏହା ୬.୮୮ ଲକ୍ଷ ହେକ୍ଟରରେ ପହଞ୍ଚିଛି।

FROM THE WEB

Share this: