ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ କରି ସେମାନଙ୍କୁ କୃଷିଜାତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ଦେବାକୁ ସରକାରଙ୍କ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି (PM Modi) ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପିଏମ୍‌ କିଷାନ (PM-Kisan) ସମ୍ମାନ ନିଧି ଯୋଜନାରେ ପରବର୍ତ୍ତୀ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଯୋଜନା ଆରମ୍ଭ ହେବାଠାରୁ ଏ ଯାବତ୍‌ ହିତାଧିକାରୀ ଚାଷୀଙ୍କ ଜମାଖାତାରେ ଏକଲକ୍ଷ ୧୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହୋଇଛି।

ପଶ୍ଚିମବଂଗର ୭୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାର ଲାଭ ପାଉ ନ ଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଂଗର ୨୩ ଲକ୍ଷରୁ ଅଧିକ ଚାଷୀ ଅନଲାଇନ ବ୍ୟବସ୍ଥାରେ ଆବେଦନ କରି ଏହି ଯୋଜନାର ସୁଫଳ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି; କିନ୍ତୁ ସେଠାକାର ରାଜ୍ୟ ସରକାର ସଂପୃକ୍ତ ଚାଷୀମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ଏଯାଏଁ ବନ୍ଦକରି ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ସବୁଦଳ ପଶ୍ଚିମବଂଗର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ୱର ଉତ୍ତୋଳନ କରୁନାହାନ୍ତି, ସେ ସବୁ ଦଳର ନେତାମାନେ ଦିଲ୍ଲୀ ଆସି ଚାଷୀମାନଙ୍କ ସ୍ୱାର୍ଥରକ୍ଷା କଥା କହୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ ଦଳ ଏବେ ଏପିଏମ୍‌ସି ମଣ୍ଡିକୁ ଭୁଲି ଯାଇଛନ୍ତି। ତେବେ ଏହିସବୁ ଦଳ ଏବେ ବାରମ୍ବାର ଭୁଲି ଯାଉଛନ୍ତି ଯେ କେରଳରେ ଏପିଏମ୍‌ସି ମଣ୍ଡି ନାହିଁ; ଅଥଚ ସେଠାକାର ଲୋକେ ଆନ୍ଦୋଳନ କରୁନାହାନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚାଷୀମାନଙ୍କର ଚାଷରେ ହେଉଥିବା ଅର୍ଥ ବିନିଯୋଗକୁ କମାଇବା ଲକ୍ଷ୍ୟରେ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଚାଷୀଙ୍କର ଉତ୍ପାଦନ ଖର୍ଚ୍ଚ କମିବ। ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଚାଷୀକୈନ୍ଦ୍ରିକ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିମଧ୍ୟରେ ମୃର୍ତ୍ତିକା ସ୍ୱାସ୍ଥ୍ୟକାର୍ଡ, ୟୁରିଆରେ ନିମକୋଟିଂ, ସୌରଶକ୍ତି ଚାଳିତ ପାଣି ପମ୍ପ, ଉତ୍ତମ ଫସଲ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା ଆଦି ଅନ୍ୟତମ। ଏବେ କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନା(PMBFY) ର ଲାଭ ଉଠାଉଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ଚାଷୀ ଯେପରି ସେମାନଙ୍କ ଉତ୍ପାଦିତ ଫସଲ ଉପରେ ଉଚିତ ମୂଲ୍ୟ ପାଆନ୍ତି ତାହା ନିଶ୍ଚିତ କରିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି। ବହୁଦିନ ଧରି ପଡିରହିଥିବା ସ୍ୱାମୀନାଥନ୍‌ କମିଟି ରିପୋର୍ଟକୁ ତାଙ୍କ ସରକାର କାର୍ଯ୍ୟକାରୀ କରି ତଦନୁସାରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି (MSP) ଘୋଷଣା କରିଛନ୍ତି। ଏଥିରେ ଫସଲ ଉପରେ ଚାଷୀଙ୍କୁ ଉତ୍ପାଦିତ ମୂଲ୍ୟଠାରୁ ଦେଢଗୁଣ ଅଧିକ ଅର୍ଥ ଦିଆଯାଉଛି। ସେହିଭଳି ଏମ୍‌ଏସ୍‌ପି ବ୍ୟବସ୍ଥା ଥିବା ଫସଲର ସଂଖ୍ୟା ବଢାଇ ଦିଆଯାଇଛି। ତେଣୁ ବିଭିନ୍ନ ପ୍ରକାର ଫସଲ କରୁଥିବା ଚାଷୀ ଏହାର ଲାଭ ପାଉଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଚାଷୀଙ୍କ ପାଇଁ ତାଙ୍କ ସରକାର ନୂଆ ବଜାର ସୃଷ୍ଟି କରିଛନ୍ତି; ଯେଉଁଠି ସେମାନେ ନିଜର ଉତ୍ପାଦିତ ଦ୍ରବ୍ୟ ନିର୍ବିଘ୍ନରେ ବିକିପାରିବେ। ସରକାରୀ ପ୍ରୟାସ ଦ୍ୱାରା ଦେଶରେ ଏକ ହଜାରରୁ ଅଧିକ କୃଷିମଣ୍ଡି ଏବେ ଅନ୍‌ଲାଇନ (Online) ବ୍ୟବସ୍ଥାରେ ପରିଚାଳିତ ହେଉଛି। ଏହିସବୁ ମଣ୍ଡିରେ ଏକ ଲକ୍ଷ କୋଟିରୁ ଅଧିକ କାରବାର ହେଉଛି। ସେ କହିଛନ୍ତି ଯେ ସରକାର ଛୋଟ ଛୋଟ ଚାଷୀମାନଙ୍କୁ ନେଇ ଗୋଷ୍ଠୀ ଗଠନ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହଦ୍ୱାରା ସେମାନେ ନିଜ ଅଞ୍ଚଳରେ ନିଜ ସ୍ୱାର୍ଥରକ୍ଷା ପାଇଁ ଏକ ମିଳିତ ଶକ୍ତିଭାବେ କାମ କରିବେ। ଏବେ ଦେଶରେ ୧୦ ହଜାରରୁ ଅଧିକ କୃଷି ଉତ୍ପାଦକ ସଂଗଠନ ବା ଏଫ୍‌ପିଓ ପ୍ରତିଷ୍ଠା କାର୍ଯ୍ୟ ଚାଲିଛି। ଏହିସବୁ ସଂଗଠନକୁ ସରକାର ଅର୍ଥ ଯୋଗାଇ ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ତାଙ୍କ ସରକାରଙ୍କ ଉଦ୍ୟମରେ ଚାଷୀମାନେ ପକ୍କାଘର, ଶୌଚାଳୟ, ପାଇପ ଦ୍ୱାରା ସ୍ୱଚ୍ଛ ପାନୀୟଜଳ ଆଦି ସୁବିଧା ପାଉଛନ୍ତି। ମାଗଣା ବିଜୁଳି ସଂଯୋଗ, ମାଗଣା ଗ୍ୟାସ ସଂଯୋଗ, ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ବୀମା ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇଛି। ଏସବୁ ପଦକ୍ଷେପ ଫଳରେ ଚାଷୀମାନଙ୍କ ଜୀବନରେ ଉନ୍ନତି ଘଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ଉତ୍ତମ ବିକଳ୍ପ ଯୋଗାଇ ଦିଆଯାଇଛି। ନୂଆ କୃଷି ଆଇନ କାର୍ଯ୍ୟକାରୀ ହେବା ଫଳରେ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀ ନିଜ ଇଛା ଅନୁସାରେ ବିକ୍ରି କରିବାର ସୁବିଧା ସୁଯୋଗ ଓ ଅଧିକାର ପାଇଛନ୍ତି। ସେମାନେ ଯେଉଁଠି ଅଧିକ ମୂଲ୍ୟ ଓ ଲାଭ ପାଇବେ ସେଠାରେ ନିଜ ଉତ୍ପାଦିତ ସାମଗ୍ରୀ ନିଦ୍ୱନ୍ଦ୍ୱର୍ରେ ବିକିପାରିବେ। ଏମ୍‌ଏସ୍‌ପି ଦରରେ କିମ୍ବା ନିଜ ମନପସନ୍ଦର ବଜାରରେ ଅଥବା ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାର ସୁଯୋଗ ସେମାନଙ୍କୁ ଦିଆଯାଇଛି। ସେମାନେ ଚାହିଁଲେ ନିଜ ସାମଗ୍ରୀକୁ ରପ୍ତାନୀ କରିପାରିବେ, ବଡ ବ୍ୟବସାୟୀଙ୍କୁ ବିକି ପାରିବେ, ଅନ୍ୟ ରାଜ୍ୟରେ ମଧ୍ୟ ବିକିବା ସହିତ ନିଜ ଇଛା ଅନୁସାରେ ଯାହା ଚାହିଁବେ ତାହା କରିପାରିବେ।  ସର୍ବୋପରି ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଏଫ୍‌ପିଓ ମାଧ୍ୟମରେ ବିକ୍ରିକରି ଭ୍ୟାଲୁଚେନରେ ଅଂଶୀଦାର ହେବାସହ ବିସ୍କୁଟ, ଚିପ୍ସ, ଜାମ ଏବଂ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ହୋଇପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିବେଶ ଓ ନବସୃଜନ ଦେଶର ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣିଛି। ଫଳରେ ଆୟ ବଢିଛି ଏବଂ ବ୍ରାଣ୍ଡ ଇଣ୍ଡିଆ ଏ ସବୁ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛି। ତେଣୁ ବର୍ତ୍ତମାନ ସମୟ ଆସିଛି ଏହି ବ୍ରାଣ୍ଡ ଇଣ୍ଡିଆ ବା ଭାରତ ମାର୍କା ସାମଗ୍ରୀକୁ ବିଶ୍ୱ କୃଷି ବଜାରରେ ନିଜକୁ ପ୍ରତିଷ୍ଠିତ କରିବାକୁ ହେବ। ସମାନ ବୁନିଆଦି ଓ ମାନ ରକ୍ଷା କରିପାରିଲେ ଏସବୁ ଭାରତୀୟ ସାମଗ୍ରୀର ଚାହିଦା ବିଶ୍ୱ ବଜାରରେ ବଢିବ। ଦେଶର ଯେଉଁ ସବୁ ଚାଷୀ ଓ ସେମାନଙ୍କର ସଂଗଠନ କୃଷି ସଂସ୍କାର କାର୍ଯ୍ୟକ୍ରମକୁ ସ୍ୱାଗତ ଓ ସମର୍ଥନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସରକାର ଦେଶର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ବଚନବଦ୍ଧ। କୌଣସି ପରିସ୍ଥିତିରେ ସେମାନଙ୍କୁ ସରକାର ଅବହେଳା ପ୍ରଦର୍ଶନ କରିବେ ନାହିଁ। ନିକଟରେ ଆସାମ, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଲୋକାଲବଡି ନିର୍ବାଚନରେ ଗ୍ରାମାଞ୍ଚଳର ଭୋଟରମାନେ ବହୁସଂଖ୍ୟାରେ ଭାଗ ନେଇଥିଲେ। ଯେଉଁସବୁ ଦଳ ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ସେମାନଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।

Also Read | PM Kisan: ପ୍ରଧାନମନ୍ତ୍ରୀ ମୋଦୀ ୯ କୋଟି କୃଷକଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ପଠାଇଛନ୍ତି ଆଜି

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *