Manoj Das: ସାହିତ୍ୟ ଜଗତରେ ଏକ ଯୁଗର ଅବସାନ, ଆରପାରିରେ ପଦ୍ମଭୂଷଣ ମନୋଜ ଦାସ

Share this:

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ (Manoj Das) ଆଉ ନାହାନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ପୁଡ଼ୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମରେ ୮୭ ବର୍ଷ ବୟସରେ ଏହି ମହାନ ସାହିତ୍ୟିକ, ସଂପାଦକ ଓ ସ୍ତମ୍ଭକାରଙ୍କ ଦେହାନ୍ତ ହୋଇଯାଇଛି। ସେ ଗତ କିଛି ଦିନଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି। ୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମନୋଜ ଦାସ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଅସଂଖ୍ୟ କାଳଜୟୀ ଗଳ୍ପ, ପ୍ରବନ୍ଧ, ଗବେଷଣାତ୍ମକ ପ୍ରବନ୍ଧ ଓ କବିତା ଲେଖି ଓଡିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି ମନୋଜ।

ମନୋଜ ଦାସଙ୍କ ସାହିତ୍ୟକୃତି ଦେଶ ବିଦେଶରେ ପରିଚିତ। ୨୦୦୦ ମସିହାରେ ସେ ସମ୍ମାନଜନକ ସରସ୍ୱତୀ ସମ୍ମାନ ପାଇଥିଲେ। ସାହିତ୍ୟକୃତି ଅମୃତ ଫଳ (Amruta Phala) ପାଇଁ ତାଙ୍କୁ ମିଳିଥିଲା ସରସ୍ୱତୀ ସମ୍ମାନ । ୨୦୦୧ରେ ସେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମଭୂଷଣ ଉପାଧି ପାଇଥିଲେ। ତାଙ୍କର ବିଶିଷ୍ଟ ସାହିତ୍ୟକୃତି ମଧ୍ୟରେ ପ୍ରମୁଖ ହେଲା ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଉପକଥା ଶତକ, ଆବୁପୁରୁଷ, ଶେଷ ବସନ୍ତର ଚିଠି, ଆରଣ୍ୟକ, ଲକ୍ଷ୍ମୀର ଅଭିସାର (laxmi’s adventure)।

ସାହିତ୍ୟ ସାଧନା ସହ ସେ ପୁଡୁଚେରୀରେ ଶ୍ରୀ ଅରବିନ୍ଦ ଆଶ୍ରମ ସହ ଜଡିତ ହୋଇ ରହିଥିଲେ। ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟରେ ମନୋଜ ଦାସ ଇଂରାଜୀ ସାହିତ୍ୟ ଓ ଶ୍ରୀ ଅରବିନ୍ଦ ଦର୍ଶନରେ ଶିକ୍ଷାଦାନ କରିଥିଲେ।

କିମ୍ବଦନ୍ତୀ ଲେଖକ ମନୋଜ ଦାସଙ୍କ ବିୟୋଗରେ ରାଜ୍ୟପାଳ ଟ୍ଵିଟ କରି ଲେଖିଛନ୍ତି ଯେ ନିଜର କାଳଜୟୀ ସାହିତ୍ୟ ଯୋଗୁଁ ଶ୍ରୀ ମନୋଜ ଦାସ ଆଗାମୀ ଅନେକ ପୀଢିକୁ ଅନୁପ୍ରାଣିତ କରିଚାଲିବେ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ବିବିଧ କୃତି ସହ ମନୋଜ ଦାସ ସାହିତ୍ୟ ଜଗତରେ ନିଜର ଛାପ ଛାଡିଯାଇଛନ୍ତି। ସାହିତ୍ୟ ଜଗତରେ ମନୋଜ ଦାସଙ୍କ ସ୍ଥାନ ଅପୂରଣୀୟ ବୋଲି ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି। ମନୋଜ ଦାସଙ୍କ ଉଭୟ ଓଡିଆ ଏବଂ ଇଂରାଜା ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା କଥାକାର ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଓଡ଼ିଆ ଭାଷା, ଭାରତୀୟ ଓ ବିଦେଶୀ ଭାଷାରେ ତାଙ୍କର କାଳଜୟୀ ସୃଷ୍ଟି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ। ଶ୍ରୀ ଦାସଙ୍କ ବିୟୋଗରେ ଓଡ଼ିଶା ତଥା ଭାରତ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି।

Also Read | Corona Odisha:କୋଭିଡ ଭୂତାଣୁ ଦ୍ୱାରା ସବୁ ବର୍ଗର ଲୋକ ହେଉଛନ୍ତି ଆକ୍ରାନ୍ତ,ଡବଲ୍ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଲେ ରାଜ୍ୟ ସରକାର

Share this:

Leave a Reply

Your email address will not be published. Required fields are marked *