Durga Puja: ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ମୃଣ୍ମୟୀ ଦେବୀଙ୍କ ବିଜୟା ଦଶମୀ ପାଳିତ

Share this:

ଭୁବନେଶ୍ଵର: କରୋନା ବିଶ୍ଵମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‍-୧୯ (Covid-19) ନିୟମାବଳୀ ସହ ଦେବୀ ଦୁର୍ଗାଙ୍କର ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ପାଳିତ ହେଉଛି। ପୂଜା ପରେ ଧରାପୃଷ୍ଠରୁ ବିଦାୟ ନେବେ ମହା ଦଶଭୁଜା। କରୋନା କଟକଣା ଯୋଗୁଁ ବିନା ଭକ୍ତରେ ମା’ଙ୍କରପୂଜାର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି।

ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ପ୍ରାଚୀନ ଶକ୍ତିପୀଠ ଜୟଦୁର୍ଗାଙ୍କର ଆଜି ସର୍ବସ୍ୱରୂପିଣୀ ବେଶ ଅନୁଷ୍ଠିତ ହେଉଛି।

ଶ୍ରୀମନ୍ଦିରରେ ମଧ୍ୟ ଆଜି ଦଶହରା ପର୍ବ ପାଳିତ ହେଉଛି। ପାରମ୍ପରିକ ରୀତିମତେ ଅବକାଶ ନୀତି ଶେଷ ହେବା ପରେ ଦିନ ପ୍ରାୟ ୧୦ଟା ବେଳକୁ ଶ୍ରୀଜୀଉମାନଙ୍କୁ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯାଇଛି। ଏହି ଅବସରରେ ରତ୍ନସଂହାସନ ନିକଟରେ ଶ୍ରୀଜୀଉମାନଙ୍କର ହଳ, ମୂଷଳ, ଶଙ୍ଖ, ଚକ୍ର, ଗଦା, ପଦ୍ମ ଓ ତଡଗୀ ଆଦି ଆୟୂଧ ସବୁକୁ ପୂଜା କରାଯାଇଥିଲା।

ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବ। ଏଥର କାର୍ତ୍ତିକ ମାସରେ ପଞ୍ଚକ ୫ ଦିନ ପରିବର୍ତ୍ତେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ଆସିବା ପରେ ନାଗାର୍ଜ୍ଜୁନ ବେଶ ଲାଗି ଆଜିଠାରୁ ପ୍ରସ୍ତୁତି କାର୍ଯ୍ୟର ଅନୁକୂଳ ହୋଇଛି। କରୋନା ଯୋଗୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଅଗଣିତ ଭକ୍ତ ଏହି ଆକର୍ଷଣୀୟ ସୁନାବେଶ ଦର୍ଶନ କରିବାରୁ ବଞ୍ଚିତ ହେବେ।

ସେହିପରି କୋରାପୁଟ ଜିଲ୍ଲା ଜୟପୁର, ବୋରିଗୁମ୍ମା, କୋଟପାଡ଼ ଆଦି ଅଞ୍ଚଳରେ ବିଭିନ୍ନ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଉଛି। ପାରମ୍ପରିକ ରୀତି ଅନୁସାରେ ଜିଲ୍ଲାର ବିଭିନ୍ନ ଗାଁ ଗୁଡ଼ିକରେ ଲାଠିଗୁଞ୍ଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ କୋଭିଡ୍‍ କଟକଣା ଯୋଗୁଁ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଛି। ଯନ୍ତ୍ର, ମନ୍ତ୍ର, ତନ୍ତ୍ରର ପ୍ରାଚୀନ ଶାକ୍ତକ୍ଷେତ୍ର ସୁବର୍ଣ୍ଣପୂର ଜିଲ୍ଲାରେ ବିଜୟା ଦଶମୀ ଅବସରରେ ଆଜି ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଛି। ଆଜିର ଦିନରେ ଲୋକେ ଘରେ ପାରମ୍ପରିକ ରୀତିମତେ ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରପାତି ପୂଜା କରିଛନ୍ତି।

Also Read | India: ଭାରତ ଅଧିକ ଶକ୍ତିଶାଳୀ ହେଉଛି, ଚୀନ୍ ପରେ ଏବେ ଆମେରିକା ମଧ୍ୟ ମାନିଲା

Share this: