CAG Report: ସିଏଜି ରିପୋର୍ଟ୍ ବିଧାନସଭାରେ ଉପସ୍ଥାପନ, ହୋଇଛି ଅନିୟମିତତା ଓ ଅବହେଳା

Share this:

ଭୁବନେଶ୍ଵର: ସାଧାରଣ ଓ ସାମାଜିକ କ୍ଷେତ୍ରଉପରେ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (Comptroller and Auditor General -CAG) ଙ୍କ ରିପୋର୍ଟ ଗତକାଲି ବିଧାନସଭା (Odisha Assembly) ରେ ଉପସ୍ଥାପନ କରାଯାଇଛି। ୨୦୧୯ ସୁଦ୍ଧା ଶେଷ ହୋଇଥିବା ବର୍ଷରେ ଅନିୟମିତତା ଓ ଅବହେଳା ଯୋଗୁ ସରକାରଙ୍କୁ ଅଧିକ ଖର୍ଚ୍ଚଭାର ବହନ କରିବାକୁ ପଡିଥିବା ସିଏଜିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପ୍ରକାଶିତ ରିପୋର୍ଟ୍ ଅନୁସାରେ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଯୋଗାଣରେ ଅବହେଳା ଯୋଗୁ ସରକାର ରୋଗୀଙ୍କୁ ଔଷଧ ଯୋଗାଇବାରେ ବିଫଳ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୬ ରୁ ୨୦୧୯ ମଧ୍ୟରେ ରାଜ୍ୟ ଔଷଧ ନିଗମ ଦ୍ୱାରା ଔଷଧ, ଚିକିତ୍ସା ସାମଗ୍ରୀ, ଉପକରଣ, ଯନ୍ତ୍ରପାତି ଓ ଆସବାବ ପତ୍ର ଉପରେ କ୍ରୟ ଚୂଡାନ୍ତ କରିବାରେ ବିଳମ୍ବ ଯୋଗୁ ସରକାରଙ୍କୁ ବହୁ ଟଙ୍କାର ରାଜସ୍ୱ ହରାଇବାକୁ ପଡିଛି। ରାଜ୍ୟ ଔଷଧ ନିଗମ ଏହି ସମୟରେ ବିଭିନ୍ନ ସରକାରୀ ସଂସ୍ଥାକୁ ଅନୁମୋଦିତ ପରିମାଣର ମାତ୍ର ଅଣଚାଷ ପ୍ରତିଶତ ଔଷଧ ଓ ଚିକିତ୍ସା ସାମଗ୍ରୀ ଯୋଗାଇବାରେ ସଫଳ ହୋଇଥିଲା। କମ୍‍ ଔଷଧ ଯୋଗାଇବାରୁ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ସ୍ଥାନୀୟ ବଜାରରୁ ଅଧିକ ଦରରେ ଔଷଧ କିଣି ଲୋକଙ୍କୁ ଯୋଗାଇଥିଲେ। ଏଥିଯୋଗୁ ୨୦୧୮-୧୯ରେ ୨ କୋଟି ୨୪ ଲକ୍ଷ ଟଙ୍କାର ଔଷଧ କିଣାଯିବାରୁ ୧୮ ଲକ୍ଷ ୧୨ ହଜାର ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା।

କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (DDU-GKY) ରେ ଗ୍ରାମୀଣ ଯୁବକ-ଯୁବତୀଙ୍କୁ ଦକ୍ଷତା ତାଲିମ୍‍ ପ୍ରଦାନ ସହିତ ସେମାନଙ୍କୁ ନିୟମିତ ମାସିକ ମଜୁରୀ ପ୍ରଦାନ ବ୍ୟବସ୍ଥା ରହିଛି। ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ପଞ୍ଚାୟତିରାଜ ବିଭାଗର। ତେବେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ORMAS) ଦ୍ୱାରା ପ୍ରକଳ୍ପର ଆବଶ୍ୟକ ଗୁଣବତ୍ତାକୁ ମୂଲ୍ୟାୟନ କରାନଯାଇ ଯୋଗ୍ୟତା ନଥିବା ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇବା ଫଳରେ ମଧ୍ୟ ସେ ବାବଦରେ ଅଧିକ ଖର୍ଚ୍ଚ ହୋଇଛି। ସେହିଭଳି ବିଡ଼ିଏ (BDA) ପାଇଁ ସରକାରଙ୍କ ୨ କୋଟି ୬୨ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ ହୋଇଛି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଭବନ ପାଇଁ ଯୋଜନା ପ୍ରସ୍ତୁତି ନ କରି କୋଠାଘର ନିର୍ମାଣ କରାଯାଇଛି। ମାତ୍ର ଏହା ବ୍ୟବହାର କରାନଯାଇ ପଡିରହିଛି। ଫଳରେ ଏଥିଯୋଗୁ ୫ କୋଟି ୯୬ ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ଅଯଥା ପଡିରହିଥିବା ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।

[amazon_auto_links id=”10233″]

Share this: