Air Bubble: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍” ବିମାନ ଚଳାଚଳ ଆରମ୍ଭ
ନୂଆଦିଲ୍ଲୀ: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍” (Air Bubble) ବ୍ୟବସ୍ଥା ମାଧ୍ୟମରେ ଚଳିତମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ ଫେସବୁକ ପୋଷ୍ଟ୍ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନୋଟି ବାଂଲାଦେଶୀ ଏୟାରଲାଇନସ୍ ବିମାନ ବାଂଲାଦେଶ, ୟୁଏସ୍ ବାଂଲା ଏୟାରଲାଇନସ୍ ଓ ନୋଭୋ ଏୟାର୍ ପ୍ରଥମ ପର୍ଯାୟରେ ଭାରତକୁ ସାପ୍ତାହିକ ୨୮ଟି ଉଡାଣ କରିବ।
ସେହିପରି ୫ଟି ଭାରତୀୟ ବିମାନ ସେବାସଂସ୍ଥା ଏୟାର୍ ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ, ସ୍ପାଇସ୍ଜେଟ୍ ଓ ଗୋଏୟାର୍ ପକ୍ଷରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ସପ୍ତାହରେ ୨୮ଟି ବିମାନ ଉଡାଣ କରିବ। ବାଂଲାଦେଶ ଏୟାରଲାଇନସ୍ର ବିମାନଗୁଡିକ ଢାକାରୁ ଦିଲ୍ଲୀ, କୋଲକାତା ଓ ଚେନ୍ନାଇ ମଧ୍ୟରେ ଯାତ୍ରା କରିବାକୁ ଥିବାବେଳେ ଭାରତୀୟ ବିମାନଗୁଡିକ ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇରୁ ଢାକାକୁ ଯାତ୍ରା କରିବ।
ପ୍ରାୟ ଆଠମାସ ପରେ ଦୁଇ ଦେଶ ମଧ୍ୟରେ ପୁଣିଥରେ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ କାରଣରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ୍ କରାଯାଇଥିଲା। ଏୟାର୍ ବବଲ୍ ବ୍ୟବସ୍ଥା ମାଧ୍ୟମରେ ଅକ୍ଟୋବର ୨୮ ତାରିଖରୁ ଏହି ବିମାନସେବା ପୁଣିଥରେ ଆରମ୍ଭ ହେଉଥିବାରୁ ବାଂଲାଦେଶରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରିଆ ସ୍ୱାମୀ ଟୁଇଟ୍ ଯୋଗେ ସନ୍ତୋଷ ବ୍ୟକ୍ତ କରିଛନ୍ତି।
Also Read| Coal India: କୋଲ ଇଣ୍ଡିଆ କର୍ମଚାରୀ ୬୮୫୦୦ ଟଙ୍କା ବୋନସ ପାଇବେ, ଅକ୍ଟୋବର ୨୨ ସୁଦ୍ଧା ପ୍ରଦାନ