RAISE 2020: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରମୁଖ କେନ୍ଦ୍ର ହେବ: ପ୍ରଧାନମନ୍ତ୍ରୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଉପରେ ଏକ ବୃହତ ଭର୍ଚୁଆଲ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା ଓ ସ୍ମାର୍ଟ ପରିବହନ ସମେତ ବିଭିନ୍ନ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ, ସମାବେଶନ ଓ ସଶକ୍ତିକରଣ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଲାଗି ବିଚାର ବିନିମୟ କରିବା ଏବଂ ଭବିଷ୍ୟତର କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବୈଶ୍ୱିକ ସମ୍ମିଳନୀ ‘ରେଜ ୨୦୨୦ (RAISE)’ ର ଆୟୋଜନ କରାଯାଇଛି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Artificial Intelligence) ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆୟୋଜକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରଯୁକ୍ତି (Technology) ଆମ କାର୍ଯ୍ୟସ୍ଥଳୀରେ ପରିବର୍ତ୍ତନ ଆଣିଛି ଏବଂ ଯୋଗାଯୋଗକୁ ସୁଧାରି ପାରିଛି। ସେ ଆଶା ବ୍ୟକ୍ତ କରିଥିଲେ ଯେ ସାମାଜିକ ଉତ୍ତରଦାୟିତ୍ୱର ମିଶ୍ରଣ ଫଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାନବୀୟ ସ୍ପର୍ଶ ପାଇ ଅଧିକ ସମୃଦ୍ଧ ହେବ। ସେ କହିଥିଲେ ଯେ ମଣିଷ ସହିତ ଏଆଇ (AI)ର ମିଳିତ ପ୍ରୟାସ ଆମ ପୃଥିବୀ ପାଇଁ ଅନେକ ଚମତ୍କାର କରିପାରିବ।

ସେ ଉଲ୍ଲେଖ କରିଥିଲେ ଯେ ଜ୍ଞାନ ଏବଂ ଅଧ୍ୟୟନ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱର ନେତୃତ୍ୱ ନେଇଆସିଛି। ଡିଜିଟାଲ (Digital) କ୍ଷେତ୍ରରେ ମଧ୍ୟ ଭାରତ ଏହି ସଫଳତା ଜାରି ରଖିବ ଏବଂ ବିଶ୍ୱକୁ ଆନନ୍ଦ ପ୍ରଦାନ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର ସବୁଠୁ ବଡ଼ ଏକକ ପରିଚୟ ବ୍ୟବସ୍ଥା- ଆଧାର (UIDAI) ସମେତ ବିଶ୍ୱର ସବୁଠୁ ଅଭିନବ ଡିଜିଟାଲ ପଇଠ ବ୍ୟବସ୍ଥା-ୟୁପିଆଇ (UPI) ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଦୁଇଟି ବ୍ୟବସ୍ଥା ଡିଜିଟାଲ ସେବା ଯୋଗାଇ ଦେବାରେ ବିଶେଷ ପ୍ରଭାବୀ ହୋଇପାରିଛି। ଏହା ମଧ୍ୟ ଗରିବ ଓ ବଞ୍ଚିତମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଭଳି ଆର୍ଥିକ ସେବା ପାଇବା ଲାଗି ସକ୍ଷମ କରିଛି। ମହାମାରୀ ସମୟରେ ଲୋକମାନଙ୍କ ନିକଟରେ ଯଥାଶୀଘ୍ର ଏବଂ ସବୁଠୁ ପ୍ରଭାବୀ ଢଙ୍ଗରେ ସହାୟତା ପହଞ୍ଚାଇବା ଦିଗରେ ଏହା ସହାୟକ ହୋଇଛି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଅଧିକ ସଂଖ୍ୟକ ଭାରତୀୟ ଏହା ଉପରେ କାମ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ। ସେ କହିଥିଲେ ଯେ ଦଳଗତ କାର୍ଯ୍ୟ, ବିଶ୍ୱାସ, ସହଭାଗିତା, ଉତ୍ତରଦାୟିତ୍ୱ ଏବଂ ସମାବେଶୀତା ଆଦି ମୌଳିକ ନୀତିକୁ ନେଇ ଏହି ଲକ୍ଷ୍ୟ ହାସଲ ଦିଗରେ ଉଦ୍ୟମ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ ଭାରତ ଜାତୀୟ ଶିକ୍ଷା ନୀତି୨୦୨୦ (NPE) କୁ ଗ୍ରହଣ କରିଛି। ଏଥିରେ ପ୍ରଯୁକ୍ତି ଆଧାରିତ ଅଧ୍ୟୟନ ଏବଂ ଦକ୍ଷତା ବିକାଶକୁ ଶିକ୍ଷାବ୍ୟବସ୍ଥାର ପ୍ରମୁଖ ଅଂଶବିଶେଷ ଭାବେ ସାମିଲ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ ଆଞ୍ଚଳିକ ଭାଷା ଓ ଉପଭାଷାରେ ଇ-ପାଠ୍ୟକ୍ରମ ବିକଶିତ କରାଯିବ। ସେ କହିଥିଲେ ଯେ ‘ରେସ୍ପନସିବଲ ଏଆଇ ଫର ୟୁଥ’ (Responsible AI for Social Empowerment -RAISE) କାର୍ଯ୍ୟକ୍ରମ ଏପ୍ରିଲ ୨୦୨୦ ରେ ଶୁଭାରମ୍ଭ କରାଯାଇଥିଲା, ୧୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ମୌଳିକ ପାଠ୍ୟକ୍ରମ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନେ ନିଜ ନିଜର ଏଆଇ ପ୍ରକଳ୍ପ ନିର୍ମାଣ କରୁଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ କୃଷି, ପରବର୍ତ୍ତୀ ପିଢ଼ିର ସହରୀ ଭିତ୍ତିଭୂମି, ଟ୍ରାଫିକ ଜାମ, ଜଳ ନିଷ୍କାସନ ବ୍ୟବସ୍ଥା, ବିଦ୍ୟୁତ ଗ୍ରୀଡ ବିଛାଇବା ଭଳି ସହରାଞ୍ଚଳ ସମସ୍ୟାର ସମାଧାନ ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ତଥା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଆଦି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ବଡ଼ ଭୂମିକା ନିର୍ବାହ କରିପାରିବ। ଭାଷା କ୍ଷେତ୍ରରେ ରହିଥିବା ବାଧାଗୁଡ଼ିକୁ ଦୂର କରିବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କିପରି ହେଉଛି ସେହି ବିଶ୍ୱାସକୁ ସ୍ଥାପନ କରିବାରେ ଆଲଗୋରିଦିମ (Algorithm) ର ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସୁନିଶ୍ଚିତ କରିବା ଆମର ମିଳିତ ଉତ୍ତରଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥଲେ।

ବିନାଶକାରୀ ଶକ୍ତିଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅସ୍ତ୍ରୀକରଣ ଠାରୁ ବିଶ୍ୱକୁ ସୁରକ୍ଷିତ ରଖିବା ନିମନ୍ତେ ସେ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ମାନବୀୟ ସୃଜନଶୀଳତା ଏବଂ ମାନବୀୟ ଭାବନା ସବୁବେଳେ ଯନ୍ତ୍ର ବିରୋଧରେ ଆମର ସର୍ବଶ୍ରେଷ୍ଠ ସାମର୍ଥ୍ୟ ଏବଂ ଅଭିନବ ଶକ୍ତି ହୋଇ ରହିବ। ଯନ୍ତ୍ରଠାରୁ ଦୂରରେ ରହିବା ନିମନ୍ତେ ଏହି ବୌଦ୍ଧିକ ସୀମାକୁ କିଭଳି ସୁରକ୍ଷିତ ରଖାଯାଇପାରିବ ଏବଂ ମାନବୀୟ ବୁଦ୍ଧିମତା ଯେପରି ସବୁବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଠାରୁ ଦୁଇ ପାଦ ଆଗରେ ରହିବ ସେ ବିଷୟରେ ସମସ୍ତଙ୍କୁ ଚିନ୍ତା କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ମଣିଷର ନିଜର ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ଏଆଇ କିଭଳି ଭାବେ ସହାୟକ ହୋଇପାରିବ ସେ ବିଷୟରେ ଆମେ ଚିନ୍ତା କରିବା ଉଚିତ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଆଇ ପ୍ରତ୍ୟେକ ବ୍ୟକ୍ତିର ଅଭିନବ ସମ୍ଭାବନାକୁ ଉଜାଗର କରିବ ଏବଂ ସମାଜ ପାଇଁ ଅଧିକ ପ୍ରଭାବୀ ଢଙ୍ଗରେ ଯୋଗଦାନ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗ୍ରହଣ କରିବା ନିମନ୍ତେ ବିଚାର ବିନିମୟ କରିବା ଓ ଭବିଷ୍ୟତ ପାଇଁ ଏକ ସାଧାରଣ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ନିମନ୍ତେ ସେ ‘ରେଜ ୨୦୨୦’ର ଅଂଶଗ୍ରହଣକାରୀମାନଙ୍କୁ ନିବେଦନ କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ଆଲୋଚନାରୁ ଉତ୍ତରଦାୟୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିମନ୍ତେ ଭବିଷ୍ୟତ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇପାରିବ ଯାହାକି ସାରା ବିଶ୍ୱବାସୀଙ୍କ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣିପାରିବ।

Also Read: Baji Rout: ଆଜି ହେଉଛି ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ୯୪ତମ ଜନ୍ମ ଜୟନ୍ତୀ

Share this: