ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍ରେ ପରିଣତ କରିବ
ନୂତନ ଶିକ୍ଷାନୀତି ୨୦୨୦ (National Education Policy 2020) ଉପରେ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି। ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ନୂଆ ଶିକ୍ଷାନୀତିକୁ ସରକାରୀ ବ୍ୟବସ୍ଥା ମଧ୍ୟରେ ସୀମିତ କରିବା ଠିକ୍ ହେବନାହିଁ। ସେ କହିଛନ୍ତି ‘ବୈଦେଶିକ ଅଥବା ପ୍ରତିରକ୍ଷା ନୀତି ଭଳି ଶିକ୍ଷାନୀତି ସରକାର ନିର୍ବିଶେଷରେ ସମଗ୍ର ଦେଶର ନଥି ଓ ନୀତି।’ ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱାଗତ ଭାଷଣରେ ଏହା କହିବା ସହ ଆଲୋଚନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଛନ୍ତି ଯେ ଶିକ୍ଷା ସହିତ ସଂସ୍କୃତି, ଭାଷା ଓ ପରମ୍ପରାକୁ ସମନ୍ୱିତ କରିବା ନିତାନ୍ତ ଜରୁରୀ।
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କ ମତ ସହ ଏକମତ ହୋଇଥିଲେ। ସେ କହିଥିଲେ ଯେ ଯେଉଁ ଢଙ୍ଗରେ ନୂଆ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ତାହା ପ୍ରଶଂସାଯୋଗ୍ୟ। ସମାଜର ବିଭିନ୍ନ ବର୍ଗରୁ ଲକ୍ଷ ଲକ୍ଷ ମତାମତ ଓ ପ୍ରସ୍ତାବ ସଂଗ୍ରହ କରାଯାଇ ଏହାକୁ ଏକ ସୁସମନ୍ୱିତ ଓ ସଫଳ ନଥିରେ ପରିଣତ କରାଯାଇଛି। ଭାରତକୁ ଏକ ନଲେଜ ହବ୍ରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ନୀତି ନିର୍ଦ୍ଧାରଣର ନେତୃତ୍ୱ ନେଉଛନ୍ତି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।
Also Read : ସ୍ନାତକ ମାର୍କ ଅନୁସାରେ MBA, PGDM ରେ ଏ ବର୍ଷ ଆଡମିଶନ ପାଇଁ AICTE ର ଅନୁମତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ। ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ କରୁଛନ୍ତି। ଲୋକେ ଏହାକୁ ନିଜର ବୋଲି ଭାବୁଥିବାରୁ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇଛି। ବିପୁଳ ଜନସମର୍ଥନ ଓ ଗ୍ରହଣୀୟତା ଉପରେ ହିଁ ଯେକୌଣସି ନୀତିର ସଫଳତା ନିର୍ଭର କରେ। ଏଥିରେ ବ୍ୟାପକଭାବେ ବିଭିନ୍ନ ପକ୍ଷ ସଂପୃକ୍ତ ହୋଇ ଅବଦାନ ରଖିଥିବାରୁ ଏହାର ମାଲିକାନା ବସ୍ତୁତଃ ସେହିମାନଙ୍କ ହାତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ନୀତି କେବଳ ଶିକ୍ଷା ସଂକ୍ରାନ୍ତ ନୁହେଁ, ଏହା ମଧ୍ୟ ଭାରତକୁ ଏକବିଂଶ ଶତାବ୍ଦୀର ନୂଆ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ କରିବ। ଏହା ଭାରତକୁ ଆତ୍ମନିର୍ଭର ଭାରତ ନୀତିରେ ଆତ୍ମନିର୍ଭରଶୀଳ କରିବ। ତେଣୁ ଏହାକୁ ସଫଳ କରିବା ପାଇଁ ପ୍ରଥମରୁ ଏହି ନୀତି ସଂକ୍ରାନ୍ତ ସମସ୍ତ ସନ୍ଦେହ ଓ ପ୍ରଶ୍ନବାଚୀ ସ୍ପଷ୍ଟ ହୋଇଯିବାର ଆବଶ୍ୟକତା ରହିଛି।
ନୂଆ ଶିକ୍ଷାନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଗବେଷଣା ଉପରେ ଜୋର୍ ଦେଇଛି । କେବଳ ପୋଥିବିଦ୍ୟାରେ ସୀମିତ ନରହି ଗବେଷଣା, ଧନ୍ଦାମୂଳକ ଓ ବାସ୍ତବ ଶିକ୍ଷାର ଯଥାର୍ଥତାକୁ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି। ଆଗରୁ ଯେଉଁ ଶିକ୍ଷାନୀତି ପ୍ରଚଳିତ ଥିଲା ତାହା ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଏବଂ ବାଧ୍ୟତାମୂଳକ ଥିଲା। ନୂଆ ଶିକ୍ଷାନୀତିରେ ସେହି ପାରମ୍ପରିକତାକୁ ପରିହାର କରାଯାଇଛି ଏବଂ ଏହା ଏକ ଅସାଧାରଣ ଉଦ୍ୟମ।
ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ଦେଶକୁ, ବିଶେଷକରି ଯୁବ ସମାଜକୁ ଏକବିଂଶ ଶତାବ୍ଦୀର ଆଶା ଆକାଙ୍କ୍ଷା ପୂରଣ ଦିଗରେ ଆଗେଇ ନେବ। ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଓ ପ୍ରେରଣାଦାୟୀ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମଧ୍ୟ ଏହି ଶିକ୍ଷାନୀତି ପ୍ରସ୍ତୁତିରେ ଡ. କସ୍ତୁରୀରଙ୍ଗନ ଏବଂ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହିମାନଙ୍କ ଅବଦାନ ଫଳରେ ନୂଆ ଶିକ୍ଷାନୀତି ଆକାର ନେଇପାରିଛି ଏବଂ ବ୍ୟାପକ ବିଚାରବିମର୍ଶ ପରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡିକୁ ଗ୍ରହଣ କରାଯାଇ ଏହି ଦସ୍ତାବିଜ ପ୍ରସ୍ତୁତ ହୋଇଛି ।
ନୂଆ ଶିକ୍ଷାନୀତି ସଂପର୍କରେ ରାଜ୍ୟପାଳମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଦସ୍ତାବିଜରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ନୂଆ ଶିକ୍ଷାନୀତିରେ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ନୂତନ ବ୍ୟବସ୍ଥାରେ ସେମାନଙ୍କର ମୁଖ୍ୟ ଭୂମିକା ରହିବ। ସବୁଠୁ ଉଦୀୟମାନ ଓ ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ଶିକ୍ଷକ ବୃତ୍ତି ପାଇଁ ବଛାଯିବ। ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଆସନ୍ତାବର୍ଷ ଶେଷସୁଦ୍ଧା ପ୍ରସ୍ତୁତ କରାଯିବ। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ଅଧିକାଂଶ ମହଲରୁ ମତପ୍ରକାଶ ପାଇଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଶିକ୍ଷାନୀତିର ସଫଳତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯଥାର୍ଥ ଅବଦାନ ଉପରେ ନିର୍ଭର କରେ।
Also Read :
Pingback: ଦେଶର ଭାଗ୍ୟ ଯୁବକମାନଙ୍କ ହାତରେ ଅଛି:ଉପରାଷ୍ଟ୍ରପତି : MAHIMALIVE
Pingback: କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ
Pingback: RAISE 2020: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରମୁଖ କେନ୍ଦ୍ର ହେବ: ପ୍ରଧାନମନ୍ତ୍ରୀ : MAHIMALIVE