Pradeep Maharathy: ପରଲୋକରେ ପ୍ରଦୀପ ମହାରଥୀ

Share this:

ଭୁବନେଶ୍ଵର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ (Pradeep Maharathy) ଙ୍କ ପରଲୋକ ହୋଇଛି। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତ୍ରି ୨.୩୬ ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ଶ୍ରୀ ପ୍ରଦୀପ ମହାରଥୀଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ଜଣାଯାଇଛି। ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆଜି ସକାଳେ ପ୍ରଦୀପ ମହାରଥୀଙ୍କ ମରଶରୀରକୁ ରାଜ୍ୟ ବିଜେଡି (BJD) କାର୍ଯ୍ୟାଳୟକୁ ନିଆଯିବା ପରେ  ତାଙ୍କର ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଛି। ସେଠାରୁ ନିଜ ନିର୍ବାଚନ ମଣ୍ଡଳୀ ପିପିଲିର ଜନସାଧାରଣଙ୍କ  ଶେଷଦର୍ଶନ ପାଇଁ ଶ୍ରୀ ମହାରଥୀଙ୍କୁ ପିପିଲିସ୍ଥିତ ତାଙ୍କର ଫାର୍ମହାଉସକୁ ନିଆଯିବ। ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ପରଲୋକରେ ଶୋକର ଛାୟା ଖେଳାଇ ଦେଇଛି। ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶେଷଦର୍ଶନ କରୁଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ଵାସ୍ଥ୍ୟାବସ୍ଥା ଗତକାଲି ହଠାତ ଗୁରୁତର ହୋଇପଡ଼ିଥିଲା। ପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ଶେଷରେ ହାରିଯାଇଥିଲେ ମହାରଥୀ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଗତ ମାସରେ ପ୍ରଦୀପ ମହାରଥୀ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ମାସ ୪ ତାରିଖରେ ପିପିଲିର  ଖୋରାପଡା ଗାଁରେ ଜନ୍ମଗ୍ରହଣ କରିଥିଲେ। ୧୯୭୭ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳରୁ ଟିକେଟ୍ ପାଇ ସେ ନିର୍ବାଚନ ବଜୟୀ ହୋଇଥିଲେ। ସେ ୭ ଥର ବିଧାୟକ ହୋଇଛନ୍ତି। ଶ୍ରୀ ମହାରଥୀ ବିଭିନ୍ନ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ।

Share this: