Odisha Panchayat Election 2022: ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ, ମତଦାନ ଜାରି

Share this:

ଭୁବନେଶ୍ଵର:Panchayat Election 2022 ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ୍‍ ଗ୍ରହଣ ସକାଳ ୭ରୁ ଜାରି ରହିଛି। ଏଥିପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଛି।

ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ରାଜ୍ୟର ୪୮ ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‍, ୯୭୫ଟି ପଞ୍ଚାୟତ ଏବଂ ୧୩ ହଜାର ୫୧୪ଟି ୱାର୍ଡରେ ମତଦାନ ହେବ। ଏଥିରେ ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ସେହିପରି ଫେବୃୟାରୀ ୨୬, ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଇତିମଧ୍ୟରେ ଭୋଟ ଗଣତି ପାଇଁ ବିଭିନ୍ନ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ଚାଲିଛି। ବ୍ଲକ ମୁଖ୍ୟାଳୟଗୁଡ଼ିକରେ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ୍ ରୁମରେ ରଖାଯାଇଛି। ସିସିଟିଭି ଦ୍ଵାରା ତଦାରଖ କରାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି। ଭୋଟ ଗଣତି ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ରାଜ୍ୟରେ ୪୫ଟି ବୁଥ୍‍ ରେ ଆଜି ସାନି ମତଦାନ ହୋଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ଗ୍ରହଣ ବେଳେ ହିଂସା ଏବଂ ଅନ୍ୟାନ୍ୟ କାରଣରୁ ଏହି କେନ୍ଦ୍ରଗୁଡ଼ିକରେ ମତଦାନକୁ ବାତିଲ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟର ଭଦ୍ରକ, ଢେଙ୍କାନାଳ, ଯାଜପୁର ଏବଂ ପୁରୀ ଜିଲ୍ଲାର ୨୫ଟି ବୁଥ୍‍ ଓ ଦ୍ୱିତୀୟ ପର୍ଯ୍ୟାୟର ବଲାଙ୍ଗିର, ଭଦ୍ରକ, ବୌଦ୍ଧ, ଜଗତ୍‍ସିଂହପୁର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୨୦ଟି ବୁଥ୍‍ ରେ ସାନି ମତଦାନ ହୋଇଛି। ଏହିସବୁ ଭୋଟଗ୍ରହଣ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିବା ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Read Also | Indian Railways New Rules: ଏଥର ଟ୍ରେନରେ ଯାତ୍ରା ବେଳେ Mobile ରେ ଜୋରରେ କଥା ହେବା ମନା, ପାରିବେନି ଗୀତ ଶୁଣି 

Share this:

Leave a Reply

Your email address will not be published. Required fields are marked *