Banking Hours: କରୋନା ସଂକ୍ରମଣକୁ ନେଇ ବ୍ୟାଙ୍କ ସମୟରେ ପରିବର୍ତ୍ତନ
ଭୁବନେଶ୍ଵର: କରୋନା ସଂକ୍ରମଣ (Corona Pandemic) କୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ସମଗ୍ର ଦେଶରେ ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିବାକୁ ଇଣ୍ଡିଆନ୍ ବ୍ୟାଙ୍କରସ୍ ଆସୋସିଏସନ୍ (IBA) ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏଥିରେ ବ୍ୟାଙ୍କ ସମୟ ଦିନ ୧୦ଟାରୁ ଅପରାହ୍ଣ ୨ଟା ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି।
ସୂଚନା ଅନୁସାରେ ଆଇବିଏ ପକ୍ଷରୁ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ବ୍ୟାଙ୍କଗୁଡ଼ିକୁ ରାଜ୍ୟରେ କରୋନା ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ନିର୍ଦ୍ଦେଶାବଳୀପାଳନ କରିବାକୁ ହେବ। ବ୍ୟାଙ୍କଗୁଡ଼ିକ ଜମାରାଶୀ ଗ୍ରହଣ, ଟଙ୍କା ଉଠାଣ, ରେମିଟାନ୍ସ୍ ଓ ସରକାରୀ କାରବାର ଭଳି ଚାରୋଟି ବାଧ୍ୟତାମୂଳକ ସେବା ଯୋଗାଇଦେବେ। ବ୍ୟାଙ୍କର କର୍ମଚାରୀମାନେ ଅଦଳବଦଳ ଭିତ୍ତିରେ ବ୍ୟାଙ୍କକୁ ଆସିବେ ଏବଂ ଯେଉଁମାନଙ୍କର ଶାରୀରିକ ଉପସ୍ଥିତି ଅନାବଶ୍ୟକ ସେମାନେ ଘରେ ରହି କାମ କରିପାରିବେ। ବର୍ତ୍ତମାନ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ୟୁନିୟନ ଗୁଡ଼ିକ ମଧ୍ୟ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟ ସମୟ ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି।