Raimohan Parida: ରାଇମୋହନ ପରିଡାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

Share this:

ଭୁବନେଶ୍ଵର: Odia actor Raimohan Parida Found Dead At Residence. ଆଉ ନାହାନ୍ତି ରାଇମୋହନ ପରିଡ଼ା। ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଏବଂ ଧାରାବାହିକର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ଆଜି ତାଙ୍କର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ରାଇମୋହନ ପରିଡ଼ାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ଏହି ଖବର ଜଣାପଡିବା ପରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
 

ରାଇମୋହନ ପରିଡାଙ୍କ ଦୁଃଖଦ ଆତ୍ମହତ୍ୟା ଖବର ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସ୍ତବ୍ଧ କରିଦେଇଛି। ମଞ୍ଚେଶ୍ୱର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରିଛି । ପୋଷ୍ଟମର୍ଟମ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍‌ପିଟାଲ ପଠାଯାଇଥିବା ବେଳେ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଝିଅଙ୍କ ମୋବାଇଲ୍‌ ‌‌ଫୋନ୍‌କୁ ମେସେଜ ଆସିଥିଲା। ରାଇମୋହନଙ୍କ ମୋବାଇଲ ନମ୍ବରରୁ ପତ୍ନୀ ଏବଂ ଦୁଇ ଝିଅଙ୍କ ପାଖକୁ ଆସିଥିବା ମେସେଜରେ Bye ଉଲ୍ଲେଖ ରହିଛି। କିନ୍ତୁ ମେସେଜରେ ସେ କାହିଁକି ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ମୃତ୍ୟୁ ଘଟଣାର ତଦନ୍ତ ଶେଷ ହେଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ରାଇମୋହନ ପରିଡ଼ା ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ। ପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି। କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଅର୍ଜୁନ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ରହିଛି। ରାଇମୋହନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ। ସେ ଦୀର୍ଘ ବର୍ଷ ଧରି ଫିଲ୍ମ ଜଗତରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ।

ରାଇମୋହନଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରାଇମୋହନଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ‘ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’।

Share this:

Leave a Reply

Your email address will not be published. Required fields are marked *