ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ:ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କିଛି ମହିଳା ଓ ପୁରୁଷ ଏପରି କରିଦେଖାଇଲେ

Share this:

ଭୁବନେଶ୍ୱର:କରୋନା ମହାମାରୀ ସଂକ୍ରମଣ ଓ ଏଥିପାଇଁ ଜାରି ହୋଇଥିବା ଲକଡାଉନ ଅନେକ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ମାତ୍ର ଏଥିରେ ବିଚଳିତ ନହୋଇ ଆହ୍ୱାନକୁ ଅବସରରେ ପରିଣତ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏପରି ବିପତି କାଳରେ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ସେ ସଂକଳ୍ପ ନେଇଛନ୍ତି। ତାଙ୍କର ଏହି ଆହ୍ୱାନର ପ୍ରତିଫଳନ ଦେଶର ବିଭିନ୍ନ ପ୍ରାନ୍ତରେ ଧୀରେ ଧୀରେ ଦେଖିବାକୁ ମିଳିଲାଣି। ଯାହାର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କିଛି ମହିଳା ଓ ପୁରୁଷ। ସେମାନେ ଖାଦ୍ୟ ବିତରଣ (ଫୁଡ ଡେଲିଭରୀ) ବ୍ୟବସାୟ ଆରମ୍ଭ କରି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ। ପାଇଛନ୍ତି ନୂଆ ଜୀବିକାର୍ଜନର ପନ୍ଥା।

ସ୍ଥାନୀୟ ଅଂଚଳରେ ଗୁରୁକୃପା ନାମକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରୁଥିଲେ କିଛି ପୁରୁଷ ଓ ମହିଳା। ସେମାନେ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ନେବା ଆଣିବା ସହିତ ଅନ୍ୟାନ୍ୟ ସେବା ଯୋଗାଇ ଦେଇ ମାସିକ କିଛି ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଲକଡାଉନରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ଫଳରେ ଏମାନଙ୍କର ଜୀବିକା ଓ ଜୀବନ ପ୍ରଭାବିତ ହୋଇଥିଲା। ହେଲେ ଏପରି ଘଡ଼ିସନ୍ଧି ମୁହୂର୍ତରେ ସେମାନେ ଭାଙ୍ଗି ନପଡ଼ି ରୋଜଗାର ନୂଆ ମାର୍ଗ  ପାଇଁ ଯୋଜନା କଲେ। ଅବସରକୁ ଆହ୍ୱାନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସାକାର କରିବା ସହିତ ନୂତନ ଜୀବିକା ନିର୍ବାହ ପାଇଁ ଅଂଟା ଭିଡ଼ିଲେ।

ସମସ୍ତେ ମିଶି ଏବେ ଏମ.ଏସ. ଫୁଡ୍ସ ନାମରେ ସଂସ୍ଥାଟିଏ ଗଢ଼ିଛନ୍ତି। ଏ ସଂସ୍ଥା କରୋନା ଆକ୍ରାନ୍ତ ଏବଂ ଗୃହ ସଙ୍ଗରୋଧରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି। ବରାଦ ମୁତାବକ ଅନ୍ୟ ଲୋକମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି। ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ଓ ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ସଂସ୍ଥାରେ ଜଡ଼ିତ ଲୋକମାନେ ମତ ଦେଇଛନ୍ତି। ସୁସ୍ୱାଦୁ ଓ ଉଚ୍ଚଗୁଣବତା ସମ୍ପନ୍ନ ଖାଦ୍ୟ ଯୋଗାଇ ଦେଉଥିବାରୁ ଏମଏସ ଫୁଡ୍ସର ଖାଦ୍ୟ ଡେଲିଭରୀ ସେବା ଏବେ ସ୍ଥାନୀୟ ଅଂଚଳରେ ବିଶେଷ ଆଦୃତି ଲାଭ କରିଛି। ପୂର୍ବ ବରାଦ ମୁତାବକ ଘରକୁ ଘର ବୁଲି ଏମାନେ ଖାଦ୍ୟ ପ୍ୟାକେଟ ପହଁଚାଉଛନ୍ତି। ଫଳରେ ଲକଡାଉନରେ ଥିବା ଲୋକମାନେ ମନମୁତାବକ ଖାଦ୍ୟ ପାଇପାରୁଛନ୍ତି।

ଅପରପକ୍ଷରେ ଏହାଦ୍ୱାରା ଏମ.ଏସ. ଫୁଡ୍ସର କର୍ମଚାରୀମାନେ ଲକଡାଉନ ସମୟରେ ଜୀବିକାର୍ଜନରେ ସଫଳ ହୋଇଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ସାମୁହିକ ପ୍ରୟାସ ବଳରେ ଏମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ବାସ୍ତବରେ କରୋନା ମହାମାରୀ ଏବଂ ଲକଡାଉନର ସଂଘର୍ଷ ଏମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ନୂଆ ରାହା ଦେଖାଇଛି। ବାସ୍ତବରେ ଏମ.ଏସ ଫୁଡ୍ସ କର୍ମଚାରୀ ଆଜି ହୋଇପାରିଛନ୍ତି ଆତ୍ମନିର୍ଭର ଭାରତର ପରିଚୟ।

Also Read:

ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ

ଚଳିତ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଛି ୮୧୨କୋଟି ଟଙ୍କା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଥର ସରକାରୀ ଚାକିରି ପାଇଁ ଗୋଟିଏ ପରୀକ୍ଷା

Share this: