Cyclone Yaas: ଧାମରା ଠାରୁ ୟାସ୍ ଅଛି ମାତ୍ର ୩୦ କିମି ଦୂରରେ, ହେଉଛି ଭୟଙ୍କର

Share this:

ଧାମରା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‍’ (Yaas) ଗତ ରାତିରୁ ତୀବ୍ର ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଧାମରା (Dhamara) ଠାରୁ ୩୦ କିଲୋମିଟର ଦୂରରେ ଥିବାବେଳେ ପାରାଦ୍ୱୀପ (Paradeep) ଠାରୁ ପୂର୍ବ-ଉତ୍ତର- ପୂର୍ବ ଦିଗରେ ୭୦ କିଲୋମିଟର ଦୂରରେ ରହିଛି।

ସେହିପରି ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୮୦କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ହେବ ଏହା ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି ଦିନ ୧୦ଟାରୁ ୧୧ଟା ସୁଦ୍ଧା ପାରାଦ୍ୱୀପ ଏବଂ ସାଗରଦ୍ୱୀପ ନିକଟରେ ବାସୁଦେବପୁର ଉତ୍ତର ଦିଗ ଏବଂ ଦକ୍ଷିଣ ବାଲେଶ୍ୱର ଦେଇ ସ୍ଥଳ ଭାଗ ଛୁଇଁବ ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏହି ଭୟଙ୍କର ବାତ୍ୟାର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବ। ସ୍ଥଳ ବିଶେଷରେ ଏହା ୧୫୫ କିଲୋମିଟରକୁ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ୟାସ୍‍ ସ୍ଥଳଭାଗ ଛୁଇଁବା ସମୟରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସମୁଦ୍ର କୂଳରେ ପ୍ରାୟ ୨ ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର ଏବଂ ସ୍ଥଳ ବିଶେଷରେ ୧୦୦ କିଲୋମିଟର ହେବା ନେଇ ସତର୍କ ସୂଚନା ଦିଆଯାଇଛି। ବାତ୍ୟା ପ୍ରଭାବରେ ପାରାଦ୍ୱୀପଠାରେ ସର୍ବାଧିକ ୪୧ ସେଣ୍ଟିମିଟର, ଭୁବନେଶ୍ୱରରେ ୩୦, ବାଲେଶ୍ୱରରେ ୩୩, ଗୋପାଳପୁରରେ ୧୫, ପୁରୀରେ ୪ ଏବଂ ଚାନ୍ଦବାଲିରେ ୨୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ୟାସ୍‍ ସ୍ଥଳ ଭାଗ ଛୁଇଁବାର ନିକଟତର ହେବାକୁ ଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି। ବାତ୍ୟାର ଘୁ ଘୁ ଶବ୍ଦ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।

ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗତ ରାତି ସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୫୨ଟି ଏନ୍‍ଡିଆର୍‍ଏଫ୍‍, ୬୦ରୁ ଅଧିକ ଓଡ୍ରାଫ୍‍ ଓ ୨୦୬ ଅଗ୍ନିସମ ବାହିନୀ ମୁତୟନ କରାଯିବା ସହ ବନବିଭାଗ ପକ୍ଷରୁ ୮୬ଟି ଗଛକଟାଳି ଟିମ୍‍କୁ ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ନଗର ଉନ୍ନୟନ ଏବଂ ଶକ୍ତି ବିଭାଗ ପକ୍ଷରୁ ପାନୀୟ ଜଳ, ବିଦ୍ୟୁତ୍‍ ସେବା ଆଦି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କରୋନା ସଂକ୍ରମଣ ସହିତ ବାତ୍ୟା ୟାସ୍‍ର ପ୍ରଭାବକୁ ଦୃଷ୍ଟିରେ ରଖି ୩୦୮ଟି ଚିକିତ୍ସକ ଦଳ ୬୩୫ଟି ଚିକିତ୍ସା ସହାୟକ କେନ୍ଦ୍ର ଓ ୨୧୫ଟି ଜେନେରେଟର ସହ ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି।

Also Read | Board Exam:ସରକାରଙ୍କ ବଡ ନିଷ୍ପତ୍ତି, ଜୁଲାଇ ୧ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

Share this: