Weather Report: ଆଜି ୧୬ ଜିଲ୍ଲାରେ ପ୍ରବଳ ବର୍ଷା, ହୀରାକୁଦ ବନ୍ଧର ଜଳସ୍ତର ବୃଦ୍ଧି;ଆସୁଛି ପୁଣି ଏକ ଲଘୁଚାପ

Share this:

ଭୁବନେଶ୍ଵର(ମହିମା ଲାଇଭ ବ୍ୟୁରୋ): ସାରା ରାଜ୍ୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ୩ ଦିନ ହେବ ଲଗାତର ବର୍ଷା ଜାରି ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ(Yellow Warnings) ଜାରି କରାଯାଇଛି। ଜିଲ୍ଳାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଢ଼େଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ।

ଅନ୍ୟପକ୍ଷରେ ଆସନ୍ତା ୯ ତାରିଖ ସୁଦ୍ଧା ଉତ୍ତର ଆଣ୍ଡମାନ ସାଗର ଏବଂତତ୍ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧୧ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୩୦ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩୭ ହଜାର ୮୯୩ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୧୮ହଜାର ୮୩୫ ଘନଫୁଟ ଜଳ ନିଷ୍କାସିତ ହେଉଛି। କିନ୍ତୁ ଜଳ ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ଲୁଇସ ଗେଟ୍‍ ଖୋଲାଯାଇ ନାହିଁ ବୋଲି ଜଳଭଣ୍ଡାରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Also Read: LAC Updates: ଚୀନ ସହିତ ଯୁଦ୍ଧ ପାଇଁ ଭାରତୀୟ ସେନା ପ୍ରସ୍ତୁତ;ଚିନୁକ୍, MI17 ଏବଂ ଆପାଚେ ହେଲିକପ୍ଟର ସୀମାରେ

Share this: