ଆମେରିକାର ଅନ୍ତିମ ପର୍ଯ୍ୟାୟରେ କରୋନା ଟିକା ପରୀକ୍ଷା ପ୍ରସ୍ତୁତି

Share this:

କରୋନା ମହାମାରୀ ପ୍ରକୋପ ଦିନ କୁ ଦିନ ବଢି ଚାଲିଥିବା ବେଳେ ଆମେରିକାରୁ ଏକ ଭଲ ଖବର ଆସୁଛି। ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ମୋଡର୍ନା କରୋନା ଭୂତାଣୁ ଟିକା ଶେଷ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ଅନୁଯାୟୀ, ଏହି ପରୀକ୍ଷା ଜୁଲାଇ ୨୭ ରୁ ଆରମ୍ଭ ହୋଇପାରିବ। ଆମେରିକାର ୮୭  ଟି ସ୍ଥାନରେ ଏହା ଟିକା ପରୀକ୍ଷା କରିବ ବୋଲି ମୋଡର୍ନା କହିଛନ୍ତି। ଏହି ପରୀକ୍ଷା ପାଇଁ ୩୦  ହଜାର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ।  ଏହି ପରୀକ୍ଷଣରେ ଜଡିତ ଲୋକଙ୍କୁ ପ୍ରଥମ ଦିନରେ ୧୦୦  ମାଇକ୍ରୋଗ୍ରାମ୍ ସମ୍ଭାବ୍ୟ ଟିକା ଦିଆଯିବ ଏବଂ ୨୯  ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ହେବା ପରେ କମ୍ପାନୀ ଏକ ବଡ଼ ଘୋଷଣା କରିପାରିବ ବୋଲି ବିଶ୍ୱାସ କରାଯାଉଛି।

ଆମେରିକା ର ୩୦ ଟି ରାଜ୍ୟରେ ପରୀକ୍ଷା କରାଯିବ। ଏହି ଟିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବା ସ୍ଥାନ ଟେକ୍ସାସ୍, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଜର୍ଜିଆ, ଆରିଜୋନା ଏବଂ ଉତ୍ତର ଏବଂ ଦକ୍ଷିଣ କ୍ୟାରୋଲିନାରେ ଅବସ୍ଥିତ, ଯାହା କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଏହି ଟିକା ବିକଶିତ କରିବା ପାଇଁ ଆମେରିକା ସରକାର ମଧ୍ୟ ମୋଡର୍ନାଙ୍କୁ ୨.୫ ଲକ୍ଷ ଡଲାର ଅର୍ଥ ପ୍ରଦାନ କରିଛନ୍ତି। ଏହି ଟୀକାକରଣର ପ୍ରଥମ ଦୁଇଟି ପର୍ଯ୍ୟାୟ ପରୀକ୍ଷଣରେ କମ୍ପାନୀ ସଫଳ ବୋଲି ଦାବି କରିଛି। ତେବେ ଏହା ସହ ଜଡିତ ତଥ୍ୟ କମ୍ପାନୀ ଦ୍ୱାରା ସେୟାର କରାଯାଇ ନାହିଁ।

ଖବର ଅନୁଯାୟୀ, ଫେବୃଆରୀରୁ ମୋଡର୍ନା କମ୍ପାନୀର ସେୟାର ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି। ଆମେରିକାର ଷ୍ଟକ୍ ମାର୍କେଟ ନାସଡାକ୍(Nasdaq)  ତାଲିକାଭୁକ୍ତ ଏହି କମ୍ପାନୀର ଷ୍ଟକ ମୂଲ୍ୟ ମଙ୍ଗଳବାର ଦିନ ୭୪.୫୭ ଡଲାର ହୋଇଛି।  କରୋନା ଭାଇରସ୍ ଭ୍ୟାକ୍ସିନର ସଫଳ ପରୀକ୍ଷଣ ପରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକର ସେୟାରରେ ଏହି ଅଭିବୃଦ୍ଧି ଦେଖିବାକୁ ମିଳୁଛି।

ସୂଚନା ଯୋଗ୍ୟ ବର୍ତ୍ତମାନ କରୋନା ଭୂତାଣୁ ଟିକା ଉପରେ ୧୩ ଟି ଟିକା କ୍ଲିନିକାଲ୍ ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚିଛି। ଏଥିମଧ୍ୟ ରୁ ଚୀନ ରେ ୫, ବ୍ରିଟେନରେ ୨, ଆମେରିକାରେ ୩, ଅଷ୍ଟ୍ରେଲିଆ, ରୁଷ ଏବଂ ଜର୍ମାନୀରେ ଗୋଟିଏ ଲେଖାଏଁ ଟିକା କ୍ଲିନିକାଲ ପରୀକ୍ଷଣ ପର୍ଯ୍ୟାୟରେ ଅଛି।

FROM THE WEB

Share this: