ଏନ୍‌ସିଇଆରଟିର ୮ ସପ୍ତାହ ବିଶିଷ୍ଟ ଉଚ୍ଚପ୍ରାଥମିକ ବିକଳ୍ପ ଶିକ୍ଷା ପାଠ୍ୟକ୍ରମ ଜାରି,ଟିଭି ରେ ପାଠପଢା ଆରମ୍ଭ

Share this:

ନୂଆଦିଲ୍ଲୀ :କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଂକ ଆଜି ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ (Calendar) ଉନ୍ମୋଚନ କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ରହୁଥିବା ଏହି ବର୍ଗର ପିଲାମାନଙ୍କୁ ଯଥାର୍ଥ ଭାବରେ ପାଠପଢ଼ାରେ ନିୟୋଜିତ କରିବା ପାଇଁ ଏହି ବିକଳ୍ପ ପାଠ୍ୟକ୍ରମ ଉଦ୍ଦିଷ୍ଟ। ସେମାନେ ନିଜର ପିତାମାତା ଓ ଶିକ୍ଷକମାନଙ୍କ ଦ୍ୱାରା ସହଜରେ ଏହି ପାଠ ପଢିପାରିବେ। ଏହି ବିକଳ୍ପ ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦିଗ୍‌ଦର୍ଶନରେ ଏନ୍‌ସିଇଆରଟି ଏହାକୁ ପ୍ରସ୍ତୁତ କରିଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ନୂଆ ପାଠ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲର ପ୍ରିନ୍‌ସପାଲଙ୍କୁ ସଶକ୍ତ କରିବ। କୋଭିଡ୍‌ ସମୟରେ ଘରେ ରହୁଥିବା ପିଲାମାନଙ୍କୁ କିପରି ଶୈକ୍ଷିକ ଓ ଶିକ୍ଷଣୀୟ ସମ୍ବଳ ମାଧ୍ୟମରେ ପାଠପଢାରେ ନିୟୋଜିତ କରାଯାଇପାରିବ ସେଥିପାଇଁ ଉଭୟ ପିତାମାତା ଓ ଶିକ୍ଷକମାନେ ଯଥାର୍ଥ ସୁଯୋଗ ପାଇବେ। ଏହି ପାଠ୍ୟକ୍ରମରେ ବିଭିନ୍ନ ପ୍ରକାର ପାଠ ରହିଛି। ଅନ୍‌ଲାଇନ ବ୍ୟବସ୍ଥାରେ ପିଲାମାନେ ଏହି ପାଠ ପଢିବା ସହ ନିଜର ଶୈକ୍ଷିକ ଉପଲବ୍‌ଧିର ପ୍ରମାଣ ମଧ୍ୟ ଦେଇପାରିବେ। ସଂକ୍ଷେପରେ, ଘରେ ରହୁଥିବା ପିଲାମାନଙ୍କ ପାଇଁ ଏହା ଯଥାର୍ଥରେ ସ୍କୁଲ ଶିକ୍ଷା ସହ ସମାନ।

ସେ କହିଛନ୍ତି ଯେ ଉଚ୍ଚପ୍ରାଥମିକ ପର୍ଯ୍ୟାୟ ବା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ୪ ସପ୍ତାହ ନିମନ୍ତେ ଏଭଳି ଏକ ପାଠ୍ୟକ୍ରମ ପୂର୍ବରୁ ପ୍ରକାଶ କରାଯାଇଛି। ଏବେ ପରବର୍ତ୍ତୀ୮ସପ୍ତାହ ପାଇଁ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୂଆ ବିକଳ୍ପ ପାଠ୍ୟକ୍ରମ ପ୍ରକାଶ କରାଗଲା। ସେ ଆହୁରି କହିଛନ୍ତି  ଯେ ଏହି ପାଠ୍ୟକ୍ରମରେ ବିଭିନ୍ନ ବୈଷୟିକ ଓ ସାମାଜିକ ଗଣମାଧ୍ୟମର ଉପକରଣ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି। ଏହାକୁ କିପରି ଆକର୍ଷଣୀୟଭାବେ ଖେଳିଲାଭଳି ବ୍ୟବହାର କରାଯାଇପାରିବ ତାହାର ମଧ୍ୟ ବ୍ୟବସ୍ଥା ରହିଛି। କେବଳ ଛାତ୍ରଛାତ୍ରୀ ନୁହନ୍ତି, ଶିକ୍ଷକ ଏବଂ ସେମାନଙ୍କ ପିତାମାତା ମଧ୍ୟ ଏଥିରୁ ଅନେକ କଥା ଶିଖିପାରିବେ ।

ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଏସବୁ ଉପକରଣ ମଧ୍ୟରେ ମୋବାଇଲ ଫୋନ, ରେଡିଓ, ଟେଲିଭିଜନ, ଏସ୍ଏମ୍ଏସ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ରହିଛି। ଆମ ସମସ୍ତଙ୍କ ମୋବାଇଲ ଫୋନରେ ଇଣ୍ଟରନେଟ ସୁବିଧା ଥାଇ ନପାରେ କିମ୍ବା ଆମେ ସମସ୍ତେ ହ୍ୱାଟସ୍ଅପ୍, ଫେସବୁକ୍, ଟ୍ୱିଟର, ଗୁଗ୍ଲ ଆଦି ବ୍ୟବହାର କରିବାର ସୁଯୋଗ ପାଇନପାରୁ; ଏହା ସତ୍ତ୍ୱେ ମୋବାଇଲରେ ଏସ୍ଏମ୍ଏସ୍ କିମ୍ବା ଭଏସ୍ କଲ୍ ବ୍ୟବହାର କରି ପିଲାମାନେ ନୂଆ ପାଠ୍ୟକ୍ରମରେ ଶିକ୍ଷାଲାଭ କରିପାରିବେ। ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାଥମିକ ଅବସ୍ଥାରେ ପିତାମାତାମାନେ ନିଜର ପିଲାଙ୍କୁ ସାହାଯ୍ୟ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ସମେତ ସ୍ୱତନ୍ତ୍ର ଆବଶ୍ୟକତା ଲୋଡୁଥିବା ପିଲାମାନେ ନୂଆ ପାଠ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବେ। ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଅଡିଓ ବୁକ୍‌ ଲିଙ୍କ୍‌, ରେଡିଓ ଓ ଭିଡିଓ ପ୍ରୋଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପାଠ୍ୟକ୍ରମରେ ସପ୍ତାହଭିତ୍ତିକ ପାଠ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ସବୁ ପାଠ୍ୟକ୍ରମ ବେଶ୍‌ ଚିତ୍ତାକର୍ଷକ, ଆନନ୍ଦଦାୟୀ ଏବଂ ଆହ୍ୱାନମୂଳକ । ସ୍କୁଲ ସିଲାବସ୍‌କୁ ଭିତ୍ତିକରି ପାଠ ବହିରୁ ଏସବୁ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି । ଏଥିରେ ସବୁଠୁ ବଡକଥା ହେଉଛି ପିଲା କ’ଣ ଶିଖିଲେ ତାହା ପରୀକ୍ଷା କରିବା ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ଏଥିରେ କଳା ଶିକ୍ଷା, ଶାରୀରିକ ଶିକ୍ଷା, ଯୋଗ, ପ୍ରାକ୍‌ ଧନ୍ଦାମୂଳକ କୌଶଳ ଆଦି ପରୀକ୍ଷାମୂଳକ ଶୈକ୍ଷିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି। ଏହି ପାଠ୍ୟକ୍ରମରେ ବିଷୟବସ୍ତୁ ୱାରୀ ଏବଂ ଶ୍ରେଣୀ ୱାରୀ କାର୍ଯ୍ୟକ୍ରମ ରହିଛି।

ଏନ୍‌ସିଇଆରଟି ଇତିମଧ୍ୟରେ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକମାନଙ୍କ ସହ ସ୍ୱୟଂପ୍ରଭା କିଶୋର ମଞ୍ଚ ଟିଭି ଚ୍ୟାନେଲ ମାଧ୍ୟମରେ ଇଣ୍ଟରାକ୍ଟିଭ ସେସନ୍ସ ଆରମ୍ଭ କରିଛି। ଏହା ଫ୍ରି ଡିଟିଏଚ୍‌ ଚ୍ୟାନେଲ ୧୨୮ , ଡିସ୍‌ ଟିଭି ଚ୍ୟାନେଲ ୯୫୦, ସନ୍‌ ଡାଇରେକ୍ଟ ୭୯୩ , ଜିଓ ଟିଭି, ଟାଟା ସ୍କାଏ ୭୫୬ , ଏୟାରଟେଲ ଚ୍ୟାନେଲ ୪୪୦ , ଭିଡିଓକନ ଚ୍ୟାନେଲ ୪୭୭୭ ରେ ଉପଲବ୍‌ଧ। କିଶୋର ମଞ୍ଚ ଆପ୍‌ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିହେବ ଏବଂ ୟୁ ଟୁବ୍‌ ଏନ୍‌ସିଇଆରଟି ଅଫିସିଆଲ ଚ୍ୟାନେଲରୁ ଉପଲବ୍‌ଧ ହୋଇପାରିବ ।  ସୋମବାରରୁ ଶନିବାର ଯାଏଁ ପ୍ରତିଦିନ ଏହି ଅଧିବେଶନ ସକାଳ ୯ ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ମାଧ୍ୟମିକ ଶ୍ରେଣୀ ପାଇଁ ଏବଂ ୧୦ ଟା ୩୦ ରୁ ୧୨ ଟା ପର୍ଯ୍ୟନ୍ତ ପ୍ରାଥମିକ ଶ୍ରେଣୀ ପାଇଁ ଉପଲବ୍‌ଧ। ଏହାଛଡା ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଦିନ ୧୨ ଟାରୁ ସାଢେ ଗୋଟାଏ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ଦିନ ୨ ଟା ୩୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏହି ଅଧିବେଶନ ଉପଲବ୍‌ଧ। ଏହାଛଡା ଏସ୍‌ସିଇଆରଟି,ଏସ୍‌ଆଇଇ ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍‌ଇ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡଗୁଡିକ ଦ୍ୱାରା ଏହି ଶୈକ୍ଷିକ ପାଠ୍ୟକ୍ରମର ଭିଡିଓ କନ୍‌ଫରେନ୍‌ସିଂ ଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥା ଉପଲବ୍‌ଧ ହେବ।

Share this: