ଅନୁଗୋଳ ରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ : (ମହିମାଲାଇଭ) ଅନୁଗୋଳ ଜିଲ୍ଲାରୁ ସୋମବାର ଦିନ ପୁଣି  ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ସର୍ବାଧିକ ୫ ଜଣ , ଅନୁଗୁଳ ପୌରାଞ୍ଚଳରୁ ୩ ଜଣ , ଅନୁଗୁଳ ବ୍ଳକ୍, କଣିହାଁ ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୫ ଜଣ ପୁରୁଷ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ବାଙ୍ଗାଲୋର ଫେରନ୍ତା ହୋଇଥିବା ବେଳେ ଜଣେ ଗୁଜୁରାଟରୁ ଫେରି ଏହି ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ। ଅନୁଗୋଳ ପୌରାଞ୍ଚଳରୁ ଆଜି ୩ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିପରି  ଅନୁଗୁଳ ବ୍ଲକ ଅଞ୍ଚଳର ଜଣେ ୨୮ ବର୍ଷ ବୟସ୍କ କଲିକତା ଫେରନ୍ତା ପୁରୁଷଙ୍କର ଆଜି ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଜଣା ପଡିଛି।

କଣିହାଁ ଶିଳ୍ପାଞ୍ଚଳର ଜଣେ ୩୧ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିସଂକ୍ରମିତ ହୋଇଛନ୍ତି। ତାଳଚେର ବ୍ଲକ୍ ଅଞ୍ଚଳର ଜଣେ ଲକ୍ଷ୍ମଣଯୁକ୍ତ ୪୪ ବର୍ଷିୟା ମହିଳା ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି। ସେହିପରି ତାଳଚେର ପୌରାଞ୍ଚଳର ଜଣେ ୪୦ ବର୍ଷିୟ ପୁରୁଷ ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଥିବା ଜଣାପଡିଛି। ଏହି ୧୨ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

ଆଜିର ୧୨ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧ରେ ପହଞ୍ଚିଛି। ଇତି ମଧ୍ୟରେ ୬ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି। ଆଜିର ୬ ଜଣକୁ ମିଶାଇ ସମୁଦାୟ ସୁସ୍ଥ ସଂଖ୍ୟା ୧୨୪ ରେ ପହଞ୍ଚିଛି।  

Share this: